ଉଗ୍ର ହେଲା ଚାଷୀ ଆନ୍ଦୋଳନ

ପଦ୍ମପୁର : କୃଷି ବିଲ୍‌ ବିରୋଧରେ ଚାଷୀଙ୍କ ଆନ୍ଦୋଳନ ଉଗ୍ର ରୂପ ଧାରଣ କରିଛି। ପଦ୍ମପୁରଠାରେ ରାଜବୋଡାସମ୍ବର କୃଷକ ସଂଗଠନ ନେତୃତ୍ବରେ ଚାଷୀମାନେ ଏକଜୁଟ୍‌ ହୋଇ ନିଜ ଦମ୍‌ ଦେଖାଇଛନ୍ତି। ଏହାକୁ ବଣିକ ସଂଘ, ଓକିଲ ସଂଘ, ନାଗରିକ କମିଟି, ବିଭିନ୍ନ ବ୍ଲକର ଆଂଚଳିକ କୃଷକ ସଂଗଠନର ସମର୍ଥନ ଜଣାଇଛନ୍ତି। ପୂର୍ବରୁ ଧାନ ବିକ୍ରି ସମସ୍ୟା ନେଇ ଉପଜିଲ୍ଲାପାଳ ଅଫିସ ସମ୍ମୁଖରେ ଚାଷୀମାନେ ଧାରଣାରତ ଥିଲେ। କୃଷି ଓ କୃଷକଙ୍କ ପାଇଁ ଥିବା ଖାଦ୍ୟ ସୁରକ୍ଷା ନୀତି ଅନୁସାରେ ପ୍ରଶାସନ କାମ ନକରି ମନମୁଖୀ ଶାସନ କରୁଥିବା ଅଭିଯୋଗ କରି ଚାଷୀମାନେ ଖାଦ୍ୟ ସୁରକ୍ଷା ଆଇନ ବହିକୁ ପୋଡ଼ି ଦେଇଥିଲେ। ଏହା ପରେ ଅଚାନକ ଚାଷୀମାନେ ଭେଉଁରିଆ ଛକକୁ ବନ୍ଦ କରିଥିଲେ। ଫଳରେ ପଦ୍ମପୁରରୁ ପାଇକମାଳ, ନୂଆପଡା, ବରଗଡ଼, ଜଗଦଲପୁର, ଛତିଶଗଡ଼, ବଲାଂଗୀରକୁ ଯାନବାହାନ ଚଳାଚଳ ଠପ୍‌ ରହିଥିଲା। ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀ ଏବଂ ଆମ୍ବୁଲାନ୍ସ ବ୍ୟତୀତ ସମସ୍ତ ଯାନବାହାନ ବନ୍ଦ ଥିଲା। ଚାଷୀମାନେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଧାନ କିଣା ନୀତିର ତୀବ୍ର ସମାଲୋଚନା କରିଥିଲେ। ବିଭାଗୀୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ଓ ସଚିବ ବୀର ବିକ୍ରମ ଯାଦବଙ୍କ କୁଶ ପୁତ୍ତଳିକା ଦାହ କରିଥିଲେ। ଅପରାହ୍‌ଣ ୨ଟାରେ ଚାଷୀମାନେ ରାସ୍ତାରୋକରୁ ଓହରି ଧାରଣାସ୍ଥଳକୁ ଯାଇଥିଲେ। ଆଗକୁ ମଣ୍ତିରୁ ଧାନ ନଉଠିଲେ ଆନ୍ଦୋଳନକୁ ଜୋରଦାର କରିବାକୁ ଚେତାବନୀ ଦେଇଥିଲେ।

ସମ୍ବନ୍ଧିତ ଖବର