ବ୍ରହ୍ମଗିରି ଉଦ୍ୟାନ ବିଭାଗରେ ମିଳୁନି ନଡ଼ିଆ ଚାରା, ଉଦ୍ୟାନ ବିଭାଗକୁ ଦୌଡ଼ି ଦୌଡ଼ି ନିରାଶ ହେଉଛନ୍ତି ଚାଷୀ

ବ୍ରହ୍ମଗିରି : ବାତ୍ୟା ଫନି ପୁରୀ ଜିଲ୍ଲା ବ୍ରହ୍ମଗିରି ଓ କୃଷ୍ଣପ୍ରସାଦ ବ୍ଲକ୍‌ରେ ବ୍ୟାପକ କ୍ଷୟକ୍ଷତି ଘଟାଇ ଥିଲା। ଘରଦ୍ବାର ଭାଙ୍ଗିବା ସହିତ ଲକ୍ଷ ଲକ୍ଷ ଗଛ ନଷ୍ଟ ହୋଇଥିଲା। ସମଗ୍ର ଜିଲ୍ଲାରେ ଏହି ବାତ୍ୟା ଦ୍ବାରା ନଡ଼ିଆ ଚାଷ ଉଜୁଡ଼ି ଯାଇଥିବାବେଳେ ବ୍ରହ୍ମଗିରି ବ୍ଲକ୍‌ରେ ନଡ଼ିଆ ଚାଷ କରି ପରିବାର ପ୍ରତିପୋଷଣ କରୁଥିବା ଚାଷୀଙ୍କ ଦୁର୍ଦ୍ଦଶା ବଢି ଯାଇଛି। ହଜାର ହଜାର ଗଛ ସବୁ ବାତ୍ୟା ମାଡ଼ରେ ଭାଙ୍ଗି ନଷ୍ଟ ହୋଇଯାଇଛି। ବାତ୍ୟା ଯିବାର ଏବେ ସାଢେ ତିନି ମାସ ବିତିଲାଣି। ନିଜ ବାଡ଼ିବଗିଚାରେ ଗଛଟିଏ ଲଗାଇବାକୁ ବାରମ୍ବାର ନଡ଼ିଆ ଚାଷୀ ଉଦ୍ୟାନ ବିଭାଗକୁ ଦୈାଡି ଦୈାଡ଼ି ନାକେଦମ ହେଉଥିଲେ ସୁଦ୍ଧା ଗଛଟିଏ ମିଳୁ ନାହିଁ।

treesseller.com

ମିଳିଥିବା ସୂଚନା ମୁତାବକ ବାତ୍ୟା ମାଡ଼ରେ କୃଷ୍ଣପ୍ରସାଦ ବ୍ଲକ୍‌ର ୨୧ଟି ପଞ୍ଚାୟତରେ ୩୦ ହଜାରରୁ ଅଧିକ ନଡ଼ିଆ ଗଛ ନଷ୍ଟ ହୋଇଥିଲା। ସେହିପରି ବ୍ରହ୍ମଗିରି ବ୍ଲକ୍‌ର ୨୫ଟି ପଞ୍ଚାୟତରେ ୩୫ ହଜାରରୁ ଅଧିକ ନଡ଼ିଆ ଗଛ ଛାରଖାର ହୋଇଛି। ଦୁଇଟି ବ୍ଲକ୍‌ରେ ୬୫ ହଜାରରୁ ଅଧିକ ଗଛ ନଷ୍ଟ ହୋଇଥିବାବେଳେ ଗୋଟିଏ ହେଲେ ନୂଆ ଚାରା ଆଜି ସୁଦ୍ଧା ସରକାରୀ ପ୍ରୋତ୍ସାହନରେ ଚାଷୀ ଲଗାଇ ପାରି ନାହିଁ। ବାରମ୍ବାର ବ୍ରହ୍ମଗିରି ଉଦ୍ୟାନ ବିଭାଗକୁ ଦୌଡ଼ି ଦୌଡ଼ି ନିରାଶ ହେଉଥିବା ଚାଷୀମାନେ ପ୍ରକାଶ କରିଛନ୍ତି। ଏପରିକି ଉଦ୍ୟାନ ବିଭାଗ କାର୍ଯ୍ୟାଳୟରେ ଚାରା ଥାଇ ମଧ୍ୟ ମିଳୁ ନ ଥିବା କିଛି ଚାଷୀ ଅଭିଯୋଗ କରିଛନ୍ତି। ଏ ନେଇ ଉଦ୍ୟାନ ବିଭାଗର ସ୍ଥାନୀୟ ଓଭର୍‌ସିଅର ବାଲ୍ମିକୀ ପୂଜାରୀ କହିଛନ୍ତି ଯେ ଗୋଟିଏ ନଡ଼ିଆ ଚାରା ହେବା ପାଇଁ ସର୍ବନିମ୍ନ ୯ ମାସରୁ ୨ ବର୍ଷ ସମୟ ଲାଗିଥାଏ। ଏହି ଚାରା ୯ ମାସରୁ ୨ ବର୍ଷ ମଧ୍ୟରେ ଲଗା ଯିବା ଦରକାର। ଏବେ ବିଭାଗ କାର୍ଯ୍ୟାଳୟରେ ନଡ଼ିଆ ଚାରା ଲାଗିଛି। ଚାରା ଉଠାଇ ବଣ୍ଟନ କରିବା ପାଇଁ ଉପଯୁକ୍ତ ସମୟ ହୋଇ ନାହିଁ। ତେଣୁ ଚାଷୀଙ୍କୁ ଚାରା ଦିଆ ଯାଇ ପାରୁ ନାହିଁ। ଅନ୍ୟପଟେ ଉଦ୍ୟାନ ବିଭାଗ କାର୍ଯ୍ୟାଳୟ ପରିସରରେ ଥିବା ୩ ହଜାରରୁ ଅଧିକ ଚାରା ୩ରୁ୪ ବର୍ଷ ପୁରୁଣା। ଏହି ଚାରା ଗୁଡ଼ିକ ନଷ୍ଟ ହୋଇ ଯାଇଛି। ଗଛ ମୂଳରୁ ଏହାର ଫଳ ମଧ୍ୟ ଝଡି ଯାଇଥିବା ଦେଖିବାକୁ ମିଳିଛି।

ସମ୍ବନ୍ଧିତ ଖବର