ସାର ଅଭାବ, ଚିନ୍ତାରେ ଚାଷୀ : ମନଇଚ୍ଛା ଦର ନେଉଛନ୍ତି ବ୍ୟବସାୟୀ

ନୟାଗଡ଼ : ଚଳିତ ବର୍ଷ ବିଳମ୍ବରେ ଚାଷ ଆରମ୍ଭ ହୋଇଥିବାବେଳେ ସାର ଅଭାବ ଚାଷୀଙ୍କ ଚିନ୍ତା ବଢ଼ାଇଛି। ଚାଷୀ ପାଖରେ ଆବଶ୍ୟକ ପରିମାଣ ସାର ପହଞ୍ଚି ପାରୁନଥିବାରୁ ଧାର୍ଯ୍ୟ ଦର ଠାରୁ ଅଧିକ ଦରରେ ବ୍ୟବସାୟୀମାନେ ସାର ବିକ୍ରି କରୁଥିବା ଅଭିଯୋଗ ହେଉଛି। ଏଭଳି ସ୍ଥଳେ ସମବାୟ ସମିତିରୁ ଚାଷୀଙ୍କୁ ସାର ଯୋଗଣାରେ ପାତର ଅନ୍ତର କରାଯାଉଥିବା ଲକ୍ଷ୍ମୀପ୍ରସାଦ ପଞ୍ଚାୟତରୁ ଅଭିଯୋଗ ଆସିଛି। ସାର କେତେବେଳେ ଆସୁଛି କାହାକୁ ଯୋଗ ଯାଉଛି ଏସମ୍ପର୍କରେ ପଞ୍ଚାୟତର ଚାଷୀ ଜାଣିପାରୁନଥିବା କହିଛନ୍ତି। ଲକ୍ଷ୍ମୀପ୍ରସାଦ ସରପଞ୍ଚ ସୌମ୍ୟରଞ୍ଜନ ପ୍ରଧାନ ଅଭିଯୋଗ କରିଛନ୍ତିି ଯେ, ସମବାୟ ସମିତିକୁ ଆସିଥିବା ସାର ଅଳ୍ପ କିଛି ଚାଷୀଙ୍କୁ ଯୋଗାଇ ଦିଆଯାଉଛି।

ୟୁରିୟାର ସରକାରୀ ନିର୍ଦ୍ଧାରିତ ଦର ୨୯୫(୫୦ କେଜି ବସ୍ତା) ରହିଥିବା ଜିଲ୍ଲା କୃଷି କାର୍ଯ୍ୟାଳୟରୁ ସୂଚନା ମିଳିଛି। କିନ୍ତୁ ଏହା ଦଶପଲ୍ଲା ଅଞ୍ଚଳରେ ୩୫୦ରୁ ୩୭୦ ଟଙ୍କାରେ ବିକ୍ରି ହେଉଥିବା ହେଉଥିବା ଜଣାପଡ଼ିଛି। ସେହିପରି ଡିଏପି ସାରର ସରକାରୀ ଦର ୧୧୭୦ ଟଙ୍କା ଥିବାବେଳେ ରିଟେଲର ମାନେ ଏହାକୁ ୧୩୩୫ ଟଙ୍କା ରେ ବିକ୍ରି କରୁଥିବା ଚାଷୀ ପ୍ରମୋଦ କୁମାର ପ୍ରଧାନ କହିଛନ୍ତି। ସେହିପରି ଓଡ଼ଗାଁ ବ୍ଲକ୍‌ର ସୁନାମୁହିଁ, କୁରାଳ ଆଦି ପଞ୍ଚାୟତରେ ଲାଇସେନ୍‌ସପ୍ରାପ୍ତ ସାର ବ୍ୟବସାୟୀମାନେ ମନଇଚ୍ଛା ଚାଷୀମାନଙ୍କ ଠାରୁ ଦର ନେଉଥିବା ଅଭିଯୋଗ ଆସିଛି।

ପ୍ରତିବର୍ଷ ଚାଷୀଙ୍କୁ ଏପରି ଚଢା ଦରରେ ରିଟେଲର ମାନେ ସାର ବିକ୍ରି କରି ଠକୁଥିବାରୁ ଚଳିତ ବର୍ଷ କେନ୍ଦ୍ର ସରକାରଙ୍କ ପକ୍ଷରୁ କଟକଣା ଜାରି କରାଯାଇଥିଲା। ରିଟେଲର୍‌ମାନଙ୍କ ପାଖେ ଥିବା ପିଇଓ ମେସିନ୍‌ ମାଧ୍ୟମରେ ଚାଷୀ ତାର ଆାଧାର କାର୍ଡ ସଂଯୋଗ କରି ଏବଂ ଟିପ ଚିହ୍ନ ଦେଇ ସାର ନେବାର ବ୍ୟବସ୍ଥା କରାଯାଇଥିଲା। କିନ୍ତୁ ଜିଲ୍ଲାରେ ଅନେକ ଜାଗାରେ ରିଟେଲରମାନେ ଏହି ମେସିନ୍‌ର ବ୍ୟବହାର କରୁ ନଥିବା ଅଭିଯୋଗ ଆସିଛି।

ଏପରି ସମସ୍ୟା ନେଇ ଜିଲ୍ଲା ଉପ କୃଷି ନିର୍ଦେଶକ ଶିଶିର ପଣ୍ଡାଙ୍କୁ ପଚାରବାରୁ ସେ କହିଛନ୍ତି ଯେ ଜିଲ୍ଲା କୃଷି ଅଧିକାରୀଙ୍କ ନେତୃତ୍ୱରେ ଏକ ସ୍କ୍ଵାଡ୍‌ ଗଠନ କରାଯାଇ ଅଧିକ ଦର ନେଉଥିବା ରିଟେଲରମାନଙ୍କ ଉପରେ ଚଢଉ କରାଯିବ। ଜିଲ୍ଲାରେ ସମୁଦାୟ ୮ହଜାର ୩ ଶହ ମେଟ୍ରିକ ଟନ୍‌ ୟୁରିଆ ସାରର ଆବଶ୍ୟକତା ଥିବା ବେଳେ ଏପର୍ଯ୍ୟନ୍ତ ମାତ୍ର ତିନି ହଜାର ମେଟ୍ରିକ ଟନ୍‌ ସାର ଆସିଥିବା ଜିଲ୍ଲା କୃଷି କାର୍ଯ୍ୟାଳୟରୁ ସୂଚନା ମିଳିଛି। ସେହିପରି ପଟାସ ୪୦୦ ମେଟ୍ରିକ ଟନ୍‌, ଡିଏପି ୬୦୦ ମେଟ୍ରିକ ଟନ୍‌ ସାର ଆସିଥିବା ସୂଚନା ମିିଳିଛି।

ସମ୍ବନ୍ଧିତ ଖବର