ମାଲକାନଗିରି: ମାଲକାନଗିରି ଜିଲ୍ଲା ଅନ୍ତର୍ଗତ କୋରକୋଣ୍ଡା ବ୍ଲକରେ କୃଷି ଉଦ୍ୟାନ ବିଭାଗ ପକ୍ଷରୁ ଚାଷୀଙ୍କୁ ଅଦା ବିହନ ବଣ୍ଟନରେ ଅନିୟମିତତା ଅଭିଯୋଗ ହୋଇଛି।ବିହନ ନମିଳିବାରୁ ଚାଷୀଙ୍କ ମଧ୍ୟରେ ଉତ୍ତେଜନା ଦେଖିବାକୁ ମିଳିଥିଲା। ଉଦ୍ୟାନ ବିଭାଗ ପକ୍ଷରୁ ଚାଷୀଙ୍କୁ ବିହନ ବଣ୍ଟନ କରିବା ପାଇଁ ଦିନ ଧାର୍ଯ୍ୟ ହୋଇଥିଲା। ତେବେ ଏହି ଅଂଚଳର ଶତାଧିକ ଚାଷୀ ଅଦା ବିହନ ନେବାକୁ ସକାଳରୁ ଅପେକ୍ଷା କରିଥିଲେ। ଉଦ୍ୟାନ ବିଭାଗ ପକ୍ଷରୁ ସ୍ଥାନୀୟ ଏଏଚଓ ବିହନ ବଣ୍ଟନ ଆରମ୍ଭ କରିଥିଲେ। ଗୋଟିଏ ବସ୍ତାକୁ ଚାରି ଜଣ ଚାଷୀଙ୍କୁ ବଣ୍ଟନ କରାଯାଉଥିଲା। ଏଥିସହ ଚାଷୀଙ୍କର ସମସ୍ତ ଦରକାରୀ କାଗଜପତ୍ର ରଖାଯାଉଥିଲା। ବିହନ କମ୍ ଆସିଥିବା ବେଳେ ଚାଷୀଙ୍କର ସଂଖ୍ୟା ଅଧିକା ଥିଲା।ଯଦ୍ବାରା ବହୁ ଚାଷୀ ଅଦା ପାଇବାରୁ ବଞ୍ଚିତ ହୋଇଥିଲେ।

Advertisment

ଚାଷୀ ଅଦା ନପାଇବାରୁ ପାଟିତୁଣ୍ଡ କରିଥିଲେ। ବହୁ ସମୟ ଧରି ଚାଷୀ ଏବଂ ଅଧିକାରୀଙ୍କ ମଧ୍ୟରେ ଯୁକ୍ତିତର୍କ ହେବା ପରେ ବିଭାଗାୟୀ କର୍ମକର୍ତ୍ତାମାନେ ଚାଷୀଙ୍କର କାଗଜପତ୍ର ଫିଙ୍ଗି ଦେଇ ଚାଲିଯାଇଥିଲେ। କିନ୍ତୁ ବିଭାଗର ନିୟମ ଅନୁଯାୟୀ ଅଦା ବିହନ ଦେବା ପୂର୍ବରୁ ସମସ୍ତ ଚାଷୀଙ୍କର ଦରରକାରୀ କାଗଜପତ୍ର ଗ୍ରହଣ କରିବା ସହ ୬ ହଜାର ଟଂକା ଲେଖାଏଁ ଆଦାୟ କରିବା କଥା।କିନ୍ତୁ ଏଠାରେ ସେଭଳି କିଛି କରାନଯାଇ ଚାଷୀଙ୍କୁ ଡାକି ମନଇଛା ଅଦା ବିହନ ପ୍ରଦାନ କରାଯାଉଥିବାରୁ ସମସ୍ୟା ସୃଷ୍ଟି ହୋଇଥିଲା।

publive-image

ନିୟମ ଅନୁଯାୟୀ ୦.୧ ହେକ୍ଟର ଜମି ପାଇଁ ୭୦ କିଲୋ ଅଦା ବିହନ ଦେବାକୁ ନିୟମ ରହିଥିବା ବେଳେ ୦.୨ ହେକ୍ଟର ଜମି ପାଇଁ ୧୪୦ କିଲୋ ଅଦା ବିହନ ଚାଷୀଙ୍କ ପ୍ରଦାନ ନେଇ ନିୟମ ରହିଛି। କିନ୍ତୁ ଏଠାରେ ସେଭଳି କିଛି କରାନଯାଇ ଅତି ତରବରିଆ ଭାବେ ଅଲ୍ପ ବିହନ ଦେଇ ଚାଷୀଙ୍କୁ ଭୁଆଁ ବୁଲାଯାଉଥିବା ଅଭିଯୋଗ ହୋଇଛି।ସେହିପରି ଚାଷୀ ୬ ହଜାର ଟଂକା ଦେଇ ବିହନ ନେବା ପରେ ବିଭାଗ ତରଫରୁ ସବସିଡି ଆକାରରେ ୨୪ ହଜାର ଟଂକା ତାଂକ ଆକାଉଣ୍ଟକୁ ଆସିଯାଏ। ଜିଲ୍ଲାର ମାଲକାନଗିରି ବ୍ଲକରେ ୨୦ ହେକ୍ଟର ଜମିରେ ଅଦା ଚାଷ କରାଯିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିବା ବେଳେ ୧୪୦ କ୍ବିଣ୍ଟାଲ ବିହନ ଚାଷୀଙ୍କୁ ପ୍ରଦାନ କରାଯିବ।

ସେହିପରି କୋରକୋଣ୍ଡା ବ୍ଲକରେ ୬୦ ହେକ୍ଟର ଜମିରେ ଚାଷ କରାଯିବାକୁ ଥିବା ବେଳେ ୪୨୦ କ୍ବିଣ୍ଟାଲ ବିହନ ପ୍ରଦାନ କରାଯିବ।ଚିତ୍ରକୋଣ୍ଡା ବ୍ଲକରେ ୬୦ ହେକ୍ଟର ଜମି ପାଇଁ ୪୨୦ କ୍ବିଣ୍ଟାଲ,ଖଇରପୁଟ ବ୍ଲକରେ ୫୦ ହେକ୍ଟର ଜମିରେ ଚାଷ ପାଇଁ ୩୫୦ କ୍ବିଣ୍ଟାଲ, ମାଥିଲି ବ୍ଲକରେ ୬୦ ହେକ୍ଟର ଜମିରେ ଚାଷ ପାଇଁ ୪୨୦ କ୍ବିଣ୍ଟାଲ ଏବଂ କାଲିମେଳା ବ୍ଲକରେ ୫୦ ହେକ୍ଟର ଜମି ପାଇଁ ୩୫୦ କ୍ବିଣ୍ଟାଲ ଅଦା ବିହନ ବଣ୍ଟନ କରିବା ନେଇ ଉଦ୍ୟାନ ବିଭାଗ ପକ୍ଷରୁ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି।ଜିଲ୍ଲାରେ ମୋଟ ୩୦୦ ହେକ୍ଟର ଜମି ପାଇଁ ୨୧୦୦ କ୍ବିଣ୍ଟାଲ ଅଦା ବିହନ ବଣ୍ଟନ କରାଯିବା ନେଇ ଲକ୍ଷ୍ୟ ରହିଛି।ପ୍ରତି ବ୍ଲକର ଏଏଚଓମାନଙ୍କ ଦ୍ବାରା ଚାଷୀଙ୍କୁ ଏହି ବିହନ ବଣ୍ଟନ କରାଯିବ।ତେବେ ନିମୟକୁ ଉଲଙ୍ଘନ କରି ଏଏଚଓମାନେ ମନଇଛା ଅଦା ବଣ୍ଟନ କରିବା ସହ ଅଧା ଚାଷୀଙ୍କୁ ବିହନ ନଦେବା ଯୋଗୁଁ ଆଗାମୀ ଦିନରେ ଆନ୍ଦୋଳନକୁ ଉସୁକାଉଥିବା କୁହାଯାଇଛି।ତେବେ ଏନେଇ ଜିଲ୍ଲା ଉଦ୍ୟାନ ବିଭାଗର ଡେପୁଟି ଡାଇରେକ୍ଟର ପ୍ରଶାନ୍ତ କୁମାର ପାତ୍ରଙ୍କୁ ପଚାରିବାରୁ ସେ ଏନେଇ ଅବଗତ ରହିଥିବା ସହ ବିହନ ଆସିନଥିବା ବେଳେ ଅଳ୍ପ ଅଳ୍ପ ବିହନ ପ୍ରଦାନ କରାଯାଉଛି।ତେବେ ସମସ୍ତ ଚାଷୀ ନିଜ ଜମି ଅନୁଯାୟୀ ବିହନ ପାଇବେ ବୋଲି ସେ କହିଥିଲେ।