ରାଇରଙ୍ଗପୁର: ଦୀର୍ଘ ୩୦ ବର୍ଷରୁ ଊର୍ଦ୍ଧ୍ବ ହେଲା ଚାଷୀମାନେ ଚାଷ ପାଇଁ ଜଳ କର ଦେଉଛନ୍ତି। କିନ୍ତୁ ଜଳ ଟୋପାଏ ବି ପାଉନାହାଁନ୍ତି। ଏଭଳି ଘଟଣା ଦେଖିବାକୁ ମିଳୁଛି ମୟୂରଭଂଜ ଜିଲ୍ଲା ବାମନଘାଟୀ ଉପଖଣ୍ଡ କୁସୁମୀ ବ୍ଲକର ଶ୍ୟାମସୁନ୍ଦରପୁର ଗ୍ରାମ ସମେତ ବଡସାହି, କାରାନସାହି, ଢଡାସାହି, ରାଖାସାହି, କପିଳାସସାହି ଓ ରାଇରଙ୍ଗପୁର ବ୍ଲକର ସିନ୍ଦୁରଗୌରୀ ଏବଂ ମହିଷାନେଦା ଗ୍ରାମରେ। ଚାଷୀଙ୍କ ଅଭିଯୋଗ ଅନୁଯାୟୀ ଖଡଖାଇ ନଦୀ ବନ୍ଧ ନିର୍ମାଣ ହେବା ପରେ ସେହି ଗ୍ରାମର ଚାଷୀଙ୍କ ପାଇଁ ଉଭୟ ରବି ଓ ଖରିଫ ଋତୁରେ ଚାଷ ପାଇଁ କେନାଲ ପାଣିରେ ଚାଷ କରିବେ।
ତେବେ ୨ ବର୍ଷ ପାଣି ପାଇବା ପରେ ଆଉ ପାଣି ପାଇଲେ ନାହିଁ, ଯାହା ଫଳରେ ଚାଷ କାର୍ଯ୍ୟରୁ ବଂଚିତ ହେଲେ। ଦେଖିବାକୁ ଗଲେ ସରକାର ଚାଷୀମାନଙ୍କ ପାଇଁ ଅନେକ ଯୋଜନା କରି ଲକ୍ଷ ଲକ୍ଷ ଟଙ୍କାର ଚାଷୀଙ୍କ ହିତ ପାଇଁ ନୂଆ ନୂଆ ପ୍ରକଳ୍ପ ଆରମ୍ଭ କରୁଛନ୍ତି। ଯୋଜନା ଅନୁଯାୟୀ କାର୍ଯ୍ୟ ମଧ୍ୟ ସମାପ୍ତ ହେଉଛି। କିନ୍ତୁ ଦେଖିବାକୁ ଗଲେ ପ୍ରକୃତ ଚାଷୀମାନେ ତାହାର ଲାଭ ପାଉନାହାଁନ୍ତି। ଉକ୍ତ କେନାଲର ଶ୍ୟାମସୁନ୍ଦର-ଦେଉଳି ନାଳ ଉପରେ ୫ ଶହ ମିଟର ପାଇପ୍ ବିଛାଇ ଜଳ ସେଚନ କରାଯାଉଥିଲା। ପାଇପରୁ ୯୦ ପ୍ରତିଶତ ପାଣି ଲିକ୍ ହୋଇଯାଉଛି। ଫଳରେ କେନାଲକୁ ପାଣି ପହଂଚୁନାହିଁ। କୋଟି କୋଟି ଟଙ୍କାରେ ନିର୍ମିତ ହୋଇଥିବା କେନାଲ ନିମ୍ନମାନର ହୋଇଥିବାରୁ ଚାଷୀ ପାଣି ପାରୁନାହାଁନ୍ତି।
ଅଭିଯୋଗ ଅନୁଯାୟୀ ସେହି ଗ୍ରାମର ୫ ଶହରୁ ଊର୍ଦ୍ଧ୍ବ ଚାଷୀମାନେ ପ୍ରତ୍ୟେକ ବର୍ଷ ହଜାର ହଜାର ଟଙ୍କା ଜଳ କର ମଧ୍ୟ ଦେଉଛନ୍ତି। କିନ୍ତୁ ପାଣି ଟୋପାଏ ବି ପାଉନାହାଁନ୍ତି। ତେବେ ପ୍ରତ୍ୟେକ ବର୍ଷ ଉକ୍ତ କେନାଲ ଲକ୍ଷ ଲକ୍ଷ ଟଙ୍କାରେ ମରାମତି ହେଉଛି ବୋଲି ଗ୍ରାମବାସୀ ପ୍ରକାଶ କରିଛନ୍ତି। ତେବେ କେଉଁ ସ୍ୱାର୍ଥରେ ପ୍ରତ୍ୟେକ ବର୍ଷ ମରାମତି କରାଯାଉଛି ବୋଲି ଗ୍ରାମବାସୀ ପ୍ରଶ୍ନ କରିଛନ୍ତି। ମରାମତି ନାମରେ ଲକ୍ଷ ଲକ୍ଷ ଟଙ୍କା ଠିକାଦାର ଓ ବିଭାଗୀୟ ଅଧିକାରୀମାନେ ମିଶି ଲୁଟୁଥିବା ଅଭିଯୋଗ ହେଉଛନ୍ତି।
କେନାଲ କୌଣସି ସ୍ଥାନରେ ମରାମତି ହେଉନଥିବାରୁ ମାଟି ଓ ଅଳିଆରେ ପୋତି ହୋଇ ରାସ୍ତା ସହିତ ସମାନ ହୋଇଯାଇଥିବା ଦେଖିବାକୁ ମିଳିଛି। ଏନେଇ ଚାଷୀମାନେ ଜଳସେଚନ ବିଭାଗରେ ବାରମ୍ବାର ଅଭିଯୋଗ କଲାପରେ କୌଣସି ପ୍ରତିକାର କରାନଯିବା ଦୁର୍ଭାଗ୍ୟଜନକ ବୋଲି ଚାଷୀମାନେ ପ୍ରକାଶ କରିଛନ୍ତି। ସାଧାରଣ ବର୍ଗର ଚାଷୀ ମାନେ ଚାଷ ପାଇଁ ଧାର କରଜ କରି ତୋ କିଏ କିଏ ବ୍ୟାଙ୍କ୍ ଋଣ କରି ଚାଷ କରୁଛନ୍ତି। ତାହା କିପରି ପରିଶୋଧ କରାଯିବ ସେନେଇ ଚାଷୀ ଚିନ୍ତାରେ ରହୁଛନ୍ତି।
ତେବେ କେନାଲରୁ ପାଣି ପାଉନଥିବାରୁ ଜଳ କର ଛାଡ କରାଯାଉ ବୋଲି ଦାବି କରୁଛନ୍ତି। ୧୯୮୫ ମସିହା ପରଠାରୁ ପାଣି ପାଇନାହାଁନ୍ତି। ଶ୍ୟାମସୁନ୍ଦର,(ବଡସାହି, କାରାନସାହି, ରାଖାସାହି, ଢଡାସାହି, କପିଳାସ), ସିନ୍ଦୁରଗୌରୀ, ମହିଷାନେଦା,୫ ଶହରୁ ଊର୍ଦ୍ଧ୍ବ ଚାଷୀ ଲାଭ ପାଇବାରୁ ବଂଚିତ ହେଉଛନ୍ତି। ଏ ସମ୍ବନ୍ଧରେ ରାଇରଙ୍ଗପୁର ଉଠାଜଳ ସେଚନ ବିଭାଗର ସହକାରୀ ଯନ୍ତୀ ଅରୁଣ କୁମାର ଗିରିଙ୍କ ସହିତ ଯୋଗାଯୋଗ କରିବାରୁ ୫ଟି(ଫାଇଭ୍ ଟି) ଯୋଜନାରେ ଅର୍ନ୍ତଭୂକ୍ତ କରିବା ପାଇଁ ଆବେଦନ କରାଯାଇଛି। ୫-ଟି ଯୋଜନାରେ ସାମିଲ୍ ହେଲେ ସେଥିରେ ଉକ୍ତ କେନାଲ ପାଇଁ ଅର୍ଥ ମଂଜୁର ହେଲେ କେନାଲ କାର୍ଯ୍ୟ ଉନ୍ନତମାନର ହେବ ଏବଂ ଚାଷୀମାନେ ଉପକୃତ ହେବେ।