ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାରେ ଚଳିତ ଖରିଫ୍ ଚାଷ ବିଳମ୍ବରେ ଆରମ୍ଭ ହୋଇଛି। ବର୍ଷା ନଥିବାରୁ ଚାଷୀ ନାନା ହଇରାଣର ସମ୍ମୁଖୀନ ହେଉଛନ୍ତି। ଗତ ଦୁଇଦିନ ହେଲା ଜିଲ୍ଲାରେ ହୋଇଥିବା ବର୍ଷା ଯୋଗୁଁ ଚାଷ କାର୍ଯ୍ୟ ଜୋର୍ ଧରିଛି। ବର୍ତ୍ତମାନ ସୁଦ୍ଧା ଜିଲ୍ଲାରେ ପ୍ରାୟ ୬୫/୬୮ ପ୍ରତିଶତ ଧାନରୁଆ ସରିଥିବା ଜିଲ୍ଲା କୃଷି ବିଭାଗ ସୂତ୍ରରୁ ପ୍ରକାଶ। ଚଳିତ ବର୍ଷ ଚାଷୀଙ୍କ ପାଇଁ ଆବଶ୍ୟକତା ଠାରୁ ଅଧିକ ସାର ଜିଲ୍ଲାରେ ଗଚ୍ଛିତ ରହିଛନ୍ତି। କିନ୍ତୁ ପାଣି ଅଭାବ ଯୋଗୁଁ ଚାଷ କାର୍ଯ୍ୟ ଧିମା ପଡ଼ି ଯାଇଥିବାରୁ ଚାଷୀ ସାର ଉଠାଇ ନଥିଲେ। ଜିଲ୍ଲା ପାଇଁ ଏବେ ୬୬ହଜାର ୨୮୩ ମେଟ୍ରିକ୍ ଟନ୍(ଏମ୍ଟି) ସାର ଆସିଥିବା ବେଳେ ତନ୍ମଧ୍ୟରୁ ଚାଷୀ ମାତ୍ର ୨୮ହଜାର ଏମ୍ଟି ସାର ଉଠାଇଛନ୍ତି। ବର୍ଷା ପରେ ଏବେ ଚାଷ କାର୍ଯ୍ୟ ଜୋର ଧରିବ। ଫଳରେ ସାର ବିକ୍ରି ମଧ୍ୟ ବଢ଼ିବ ବୋଲି ଅନୁମାନ କରାଯାଉଛି।
ଗଞ୍ଜାମ ଜିଲ୍ଲାରେ ଚଳିତ ଖରିଫ୍ରେ ମୋଟ ୪ଲକ୍ଷ ୫ହଜାର ୫୭୦ ହେକ୍ଟର୍ରେ ଚାଷ ପାଇଁ ଲକ୍ଷ୍ୟ ରଖାଯାଇଛି। ଏହି ଚାଷ ମଧ୍ୟରେ ଧାନ, ପରିବା, ଡାଲି, ମସଲା ଓ ତେଲ ଜାତୀୟ ଫସଲ ରହିଛି। ଜିଲ୍ଲାରେ ମୋଟ ୧ଲକ୍ଷ ୭୯ହଜାର ୯୪୯ ହେକ୍ଟର୍ ଜମିରେ ଧାନ ଚାଷ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି। ସେହିପରି ୬୪ହଜାର ୭୨୧ ହେକ୍ଟର୍ ଜମିରେ ପନିପରିବା ଚାଷ କରିବାକୁ ଲକ୍ଷ୍ୟ ରଖାଯାଇଥିବା ବେଳେ ୫୮ହଜାର ହେକ୍ଟର୍ ଜମିରେ ଡାଲି ଜାତୀୟ, ୨୬ହଜାର ୨୮୦ ହେକ୍ଟର୍ ଜମିରେ ତେଲ ଜାତୀୟ ଫସଲ କରିବାକୁ ନିଷ୍ପତ୍ତି ହୋଇଛି। ୪ହଜାର ୨୬୦ ହେକ୍ଟର୍ ଜମିରେ ମସଲା ଜାତୀୟ ଫସଲ କରିବାକୁ ଲକ୍ଷ୍ୟ ରଖାଯାଇଥିବା ବେଳେ ଚଳିତ ବର୍ଷ ୩ହଜାର ୨୩୦ ହେକ୍ଟର୍ ଜମିରେ କପା ଚାଷ କରିବାକୁ ଲକ୍ଷ୍ୟ ରଖାଯାଇଛି। ଖରିଫ୍ ଚାଷ ପାଇଁ ଗଞ୍ଜାମ ଜିଲ୍ଲାକୁ ପ୍ରାୟ ୫୭ହଜାର ୪୭୦ ଏମ୍ଟି ସାର ଆବଶ୍ୟକ। କିନ୍ତୁ ଜିଲ୍ଲାରେ ଗତ ଏପ୍ରିଲ୍ ୧ତାରିଖ ସୁଦ୍ଧା ୧୯ହଜାର ୮୨୬ ଏମ୍ଟି ସାର ଗଚ୍ଛିତ ରହିଥିଲା। ଏହାପରେ ୪୬ହଜାର ୪୫୬ ଏମ୍ଟି ସାର ଜିଲ୍ଲାକୁ ଯୋଗାଣ ହୋଇଛି। ଗତ ୧୬ତାରିଖ ସୁଦ୍ଧା ଗଞ୍ଜାମ ଜିଲ୍ଲାକୁ ମୋଟ ୬୬ହଜାର ୨୮୩ ଏମ୍ଟି ସାର ଆସିଥିବା ବେଳେ ପ୍ରାୟ ୨୮ହଜାର ଏମ୍ଟି ସାର ବଣ୍ଟନ ହୋଇ ସାରିଛି। ଏବେ ୩୮ହଜାର ୨୯୭ ଏମ୍ଟି ସାର ଗଚ୍ଛିତ ରହିଛି। ଚଳିତ ଖରିଫ୍ ପାଇଁ ଜିଲ୍ଲାରେ ଆବଶ୍ୟକତା ଠାରୁ ଅଧିକ ପରିମାଣ ସାର ଗଚ୍ଛିତ ରହିଥିବା ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ସୁବ୍ରତ କୁମାର ସାହୁ ସୂଚନା ଦେଇଛନ୍ତି। ସାର ଅଭାବ ହେବ ନାହିଁ। ବର୍ଷା ନଥିବାରୁ ସାର ବିକ୍ରି ଧିମେଇଥିଲା। ବର୍ଷା ପରେ ଜିଲ୍ଲାରେ ଚାଷ କାମ ଜୋରସୋର୍ରେ ଆରମ୍ଭ ହୋଇଛି। ଆଗକୁ ମଧ୍ୟ ବର୍ଷା ଥିବା ନେଇ ପାଣିପାଗ ବିଭାଗ ଆକଳନ କରିଛି। ଖରିଫ୍ ଚାଷ ପାଇଁ ଅକ୍ଟୋବର ପର୍ଯ୍ୟନ୍ତ ସାର ବିକ୍ରି ଚାଲିବ ବୋଲି ସେ କହିଛନ୍ତି।
ଜିଲ୍ଲା ପାଇଁ ଆବଶ୍ୟକ ରହିଥିବା ସାର ମଧ୍ୟରୁ ପ୍ରାୟ ୫୦ ପ୍ରତିଶତ ଧାନଚାଷରେ ବିନିଯୋଗ ହେଉଛି। ୟୁରିଆ ସାର ୩୩ହଜାର ୭୭୦ ଏମ୍ଟି ଆବଶ୍ୟକତା ରହିଛି। ସେହିପରି ଡିଏପି, ଏମ୍ଓପି ଓ ନାନୋ ୟୁରିଆ(ବୋତଲ)ର ମଧ୍ୟ ଚାହିଦା ରହିଛି। ଗଞ୍ଜାମ ଜିଲ୍ଲାରେ ଚଳିତ ବର୍ଷ ୨୨ଟି ବ୍ଲକ୍ରେ ଥିବା ୪୬୫ ପିପିସି (ପେଡି ପ୍ରକ୍ୟୁର୍ମେଣ୍ଟ୍ ସେଣ୍ଟର୍) ଜରିଆରେ ଚାଷୀଙ୍କ ନାମ ପଞ୍ଜୀକରଣ ପ୍ରକ୍ରିୟା ଜାରି ରହିଛି। ତନ୍ମଧ୍ୟରେ ୩୬୩ ପ୍ୟାକ୍ସ ରହିଥିବା ବେଳେ ୧୦୧ଟି ମହିଳା ସ୍ବୟଂସହାୟିକା ଗ୍ରୁପ୍ ଓ ଗୋଟିଏ ପାଣି ପଞ୍ଚାୟତ ରହିଛି। ତେବେ ସାର ବିକ୍ରି କରିବା ପାଇଁ ୩୮୩ ସମିତିକୁ ଲାଇସେନ୍ସ ପ୍ରଦାନ କରାଯାଇଛି। ସେହିପରି ଜିଲ୍ଲାରେ ୬ଶହରୁ ଅଧିକ ଘରୋଇ ଡିଲର୍ ରହିଛନ୍ତି।