ବ୍ରହ୍ମପୁର/ପାଟପୁର: ଧାନର ଅଭାବୀ ବିକ୍ରି ରୋକିବା ଲାଗି ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଚଳିତବର୍ଷ ଡିସେମ୍ବର ୨୯ ତାରିଖ ବଦଳରେ ସପ୍ତାହକ ଆଗରୁ ତଥା ୨୨ ତାରିଖରେ ୨୨ଟି ଯାକ ବ୍ଲକ୍‌ରେ ମଣ୍ଡି ଖୋଲିବାକୁ ନିଷ୍ପତ୍ତି ନିଆଯାଇଥିଲା। ଏହିକ୍ରମ‌ରେ ନିର୍ଦ୍ଧାରିତ ସମୟରେ ଜିଲ୍ଲାରେ ପ୍ୟାକ୍ସ୍ ଓ ସ୍ବୟଂ ସହାୟିକା ଗୋଷ୍ଠୀଙ୍କୁ ନେଇ ମୋଟ ୪୬୮ଟି ମଣ୍ଡିକୁ ଖୋଲିଦିଆଗଲା ବୋଲି ପ୍ରଶାସନ ଘୋଷଣା କରିଥିଲେ। କାଗଜପତ୍ରରେ କେବଳ ମଣ୍ଡି ‌ଚାଲିଛି ଓ ସରକାରୀ ରିପୋର୍ଟରେ ଚାଷୀଙ୍କଠୁ ଧାନ କିଣାଯାଉଛି ବୋଲି ଦର୍ଶାଯାଉଛି। କିନ୍ତୁ ବାସ୍ତବ ଚିତ୍ର ସଂପୂର୍ଣ୍ଣ ଭିନ୍ନ। କୌଣସି ବ୍ଲକ୍‌ରେ ମଣ୍ଡି ନାହିଁ, କି କର୍ମଚାରୀ ନହାନ୍ତି। ଚାଷୀଙ୍କୁ ଟୋକନ୍‌ ହିଁ ମିଳିନି। ୨୨ଟି ବ୍ଲକ୍‌ରେ ଏଯାବତ୍ ଅର୍ଦ୍ଧାଧିକ ମଣ୍ଡି ଖୋଲିପାରିନି। ଫଳରେ ଚାଷୀ କ୍ବିଣ୍ଟାଲ୍ କ୍ବିଣ୍ଟାଲ୍ ଧାନବସ୍ତାକୁ ପଦାରେ ଖଳାରେ ପକାଇ ରଖି ଶୀତକାକରରେ ଜଗୁଛି। ଟୋକନ୍ ମିଳି ନଥିବାରୁ ସେମାନେ ଦ୍ବନ୍ଦ୍ବରେ ପଡ଼ିଛନ୍ତି। ଏହାର ସୁଯୋଗ ନେଇ ଗଞ୍ଜାମ ଜିଲ୍ଲାର ପ୍ରତିଟି ବ୍ଲକ୍‌ରେ ଆନ୍ଧ୍ରପ୍ରଦେଶ ସମେତ ଅନ୍ୟାନ୍ୟ ରାଜ୍ୟର ବେପାରୀ ଏବେ ଗାଁ ଗାଁରେ ଆଡ଼ା ଜମାଇସାରିଲେଣି। ଆଉ ଚାଷୀଙ୍କଠୁ ଶାଗମାଛ ଦରରେ ଧାନ କିଣି ଗଳାବାଟରେ ଗାଡ଼ିରେ ବୋହି ନେଉଥିବା ଦେଖିବାକୁ ମିଳିଛି। ସଦ୍ୟତମ ସୂଚନାନୁସାରେ, ଜିଲ୍ଲାରେ ଆଜି ସୁଦ୍ଧା ୧୮ଟି ଜାଗ‌ାରେ ମୋଟ ୧୬ ଜଣ ଚାଷୀଙ୍କଠୁ ଧାନ କିଣାଯାଇଛି। ବୈଷୟିକ ତ୍ରୁଟି ଓ ଅନ୍ୟାନ୍ୟ ଆନୁଷଙ୍ଗିକ ଭିତ୍ତିଭୂମି ଏବଂ ମାନବସମ୍ବଳ ସମସ୍ୟା ହେତୁ କିଛି ମଣ୍ଡି ଖୋଲିନି। କିନ୍ତୁ ଖୁବ୍‌ଶୀଘ୍ର ମଣ୍ଡି ଖୋଲିବ ବୋଲି ପ୍ରଶାସନ ସ୍ପଷ୍ଟ କରିଛି।
Advertisment
ସାନଖେମୁଣ୍ଡି ବ୍ଲକ୍ କଥାକୁ ବିଚାରରେ ନେଲେ, ବର୍ତ୍ତମାନସୁଦ୍ଧା ଧାନମଣ୍ଡି ଖୋଲିପାରିନାହିଁ। ଫଳରେ ଧାନର ଅଭାବୀ ବିକ୍ରି ଆରମ୍ଭ ହୋଇସାରିଛି। ଚାଷୀ ବାଧ୍ୟ ହୋଇ କ୍ବିଣ୍ଟାଲ୍ ପିଛା ୧୬୦୦ ଟଙ୍କାରେ ଆନ୍ଧ୍ର ବେପାରୀଙ୍କୁ ଧାନ ବିକୁଛି। ମଣ୍ଡି ଖୋଲିବା ପୂର୍ବରୁ ଏବେ ଚାଷୀଙ୍କ ଖଳାରୁ ଧାନ ଶେଷ ହେବାକୁ ବସିଥିବା ବେଳେ ମିଲରମାନଙ୍କ ଗୋଦାମ ଭର୍ତ୍ତି ହେବାରେ ଲାଗିଛି। ଗତ ୨୧ ତାରିଖରେ ସାନଖେମୁଣ୍ଡି ବ୍ଲକ୍ ଅଫିସ୍‌ରେ ଧାନ କିଣିବା ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା। ୨୨ ତାରିଖରୁ ମଣ୍ଡି ଖୋଲିବାକୁ ନିଷ୍ପତ୍ତି ନିଆଯାଇଥିଲା। କିନ୍ତୁ ୨୬ଟିଯାକ ମଣ୍ଡି ଏଯାବତ୍ ଖୋଲିନି। ଯାହାର ସୁଯୋଗ ନେଇ ରାଜ୍ୟ ବାହାରର ବେପାରୀମାନେ ଏବେ ଗାଁ ଗାଁରେ ଡେରା ପକାଇଛନ୍ତି। ପେଟପାଟଣା ଓ ଋଣ ପରିଶୋଧନ ଚିନ୍ତାରେ ଚାଷୀ ବାଧ୍ୟ ହୋଇ ସେମାନଙ୍କୁ ଧାନ ବିକୁଛି। ସରକାର ମଣ୍ଡିରେ କ୍ବିଣ୍ଟାଲ୍ ପିଛା ୨୩୦୦ ଟଙ୍କାରେ ଧାନ କିଣିବା ପାଇଁ ସ୍ଥିର କରିଥିବା ବେଳେ ବାହାର ରାଜ୍ୟର ବେପାରୀ ୬୦୦-୭୦୦ ଟଙ୍କା କମ୍ ମୂଲ୍ୟରେ ଧାନ କ୍ରୟ କରୁଛନ୍ତି।
ଅନ୍ୟପଟେ ମଣ୍ଡି ଖୋଲିବା ପୂର୍ବରୁ ଆନ୍ଧ୍ର ବେପାରୀଙ୍କ ଦ୍ବାରା ଧାନକିଣାକୁ ନେଇ ଅଞ୍ଚଳର ବୁଦ୍ଧିଜୀବୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ସରକାର ସାଟେଲାଇଟ୍ ସର୍ଭେ ଠାରୁ ଆରମ୍ଭ କରି କ୍ଷେତ୍ର ପରିଦର୍ଶନ କରିବା ପରେ ଚୂଡ଼ାନ୍ତ ତାଲିକା ପ୍ରସ୍ତୁତ କରିଛନ୍ତି। କୃଷି ବିଭାଗର ଜଣେ କର୍ମଚାରୀଙ୍କ କହିବା ଅନୁସାରେ ବର୍ତ୍ତମାନ ସୁଦ୍ଧା ଚାଷୀଙ୍କ ତାଲିକା ଓ ଟୋକନ୍ ଆସି ନଥିବାରୁ ଧାନ କିଣାରେ ବିଳମ୍ବ ହେଉଛି। ଅନ୍ୟପଟେ ବ୍ଲକ୍‌ରେ ଅତିରିକ୍ତ ୫ଟି ମଣ୍ଡି ଖୋଲାଯିବାକୁ ଉଦ୍ୟମ ଚାଲିଥିବାରୁ ଅହେତୁକ ବିଳମ୍ବ ହେଉଛି। ତେବେ ଧାନକିଣା ପାଇଁ ଜିଲ୍ଲାପାଳ ତୁରନ୍ତ ପଦକ୍ଷେପ ନନେଲେ ରାଜରାସ୍ତାକୁ ଓହ୍ଲାଇବାକୁ ଚାଷୀ ଚେତାବନୀ ଦେଇଛନ୍ତି। ଚଳିତବର୍ଷ ସ୍ବଳ୍ପ ବୃଷ୍ଟିପାତ ଓ ଜଳାଭାବ ସତ୍ତ୍ବେ ଚାଷୀ ହାଡ଼ଭଙ୍ଗା ପରିଶ୍ରମ କରି ଧାନଫସଲ ଅମଳ କରିଛି। ଆଉ ଏବେ ଧାନବିକା ସମୟ ଆରମ୍ଭ ହୋଇଥିବା ବେଳେ ପ୍ରଶାସନ ଓ କୃଷି ବିଭାଗ ଦାଉ ସାଧୁଥିବା ଅଭିଯୋଗ ହୋଇଛି।