ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲାରେ ୮ଟି ବ୍ଲକରେ ମରୁଡ଼ି ପରିସ୍ଥିତି। ବର୍ଷା ଅଭାବରୁ ଧାନ କ୍ଷୀର ଧରିବା ପରିବର୍ତେ ଅଗାଡ଼ି ହୋଇଛି। ଏନେଇ ଆଜି ସମ୍ବାଦରେ ଖବର ପ୍ରକାଶିତ ହୋଇଥିଲା। ଏହାପରେ ଆଜି ବେଗୁନିଆ ସମେତ ବିଭିନ୍ନ ଅଞ୍ଚଳର ଚାଷୀମାନେ ହାତରେ ଶୁଖିଲା ଧାନଗଛ ଧରି ସହାୟତା ନିମନ୍ତେ ଗୁହାରୀ କରି ଜିଲ୍ଲାପାଳଙ୍କ ନିକଟରେ ପହଞ୍ଚିଛନ୍ତି।
ଆଜି ଦେଉଳୀ ଓ ହଜ ପଞ୍ଚାୟତର ପ୍ରାୟ ୪୦ରୁ ଉର୍ଦ୍ଧ୍ବ ଚାଷୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲେ। ହାତରେ ଶୁଖିଲା ଧାନ ଗଛ ଥିଲା। ଧାନଗଛରେ ଧାନକେଣ୍ଡାରେ କ୍ଷୀର ଧରିବା ପରିବର୍ତେ କିଭଳି ଅଗାଡ଼ି ହୋଇଛି ସେକଥା ସେମାନେ ଜିଲ୍ଲାପାଳଙ୍କୁ ଦେଖାଇଥିଲେ। ହଜ ପଞ୍ଚାୟତର ଚାଷୀ ରଙ୍କନାଥ ସୁବୁଦ୍ଧି, ସନ୍ତୋଷ କୁମାର ରାୟ, ବେଣୁଧର ସାହୁ ପ୍ରମୁଖକହିଛନ୍ତି ଯେ ତାଙ୍କ ପଞ୍ଚାୟତ ଅନ୍ତର୍ଗତ ହଜ, କଲରାଝର, ନିଧିପୁର, ମୁକ୍ତାପୁର, ନାରୋଗଦା, ବାଳିଧାଛ, କାଳୁଚାପାଟଣାର ୧୫୦୦ ହେକ୍ଟରରୁ ଅଧିକ ଚାଷ ଜମି ପାଣି ଅଭାବରୁ ଧାନଫସଲ ନଷ୍ଟ ହେବାକୁ ବସିଛି। କୌଣସି ଜାଗାରେ ପାଣିନାହିଁ। ଧାନଚାଷ ସେମାନଙ୍କ ପ୍ରମୁଖ ଜୀବିକା ଅଟେ। ସୋସାଇଟି ଋଣ, ହାତଉଧାରୀ ଆଣି ଧାନଚାଷ କରିଛନ୍ତି, ଚଳିତ ବର୍ଷ ଫସଲ ନଷ୍ଟ ହେବା ପରେ ସେମାନେ ଘୋର ଆର୍ଥିକ ସଂକଟରେ ଗତି କରିବା ସମ୍ଭବାନ ଅଧିକ। ଏଣୁ ଏନେଇତୁରନ୍ତ ପ୍ରାଶାସନିକ ସ୍ତରର ସହାୟତାର ବ୍ୟବସ୍ଥା ନକଲେ ଅନେକ ଚାଷୀ ଆତ୍ମହତ୍ୟା କରିବା ସମ୍ଭାବନା ରହିଛି।
ସେହିଭଳି ଦେଉଳୀ ପଞ୍ଚାୟତର ଚାଷୀ ତଥା ସରପଞ୍ଚ ତକ୍ଷକୁମାର ରାଉତରାୟ, ୱାର୍ଡସଭ୍ୟ ପ୍ରମୋଦ ଶ୍ରୀଚନ୍ଦନ, ୱାର୍ଡ ସଭ୍ୟ ମହେଶ୍ବର ବିଶ୍ବାଳ, ୱାର୍ଡସଭ୍ୟ ପୁଷ୍ପାଞ୍ଜଳି ବେହେରାଙ୍କ ସମେତ ୭ରୁ ଉର୍ଦ୍ଧ୍ବ ୱାର୍ଡସଭ୍ୟ ଓ ଚାଷୀ କହିଛନ୍ତି ଯେ ତାଙ୍କ ପଞ୍ଚାୟତରେ ଚଳିତ ଖରିଫ ଋତୁର ୯୦ ଭାଗ ଫସଲ ନଷ୍ଟ ହୋଇଯାଇଛି। ବର୍ଷା ଅଭାବରେ ଚୂଆ, ପୋଖରୀ, ଗାଡ଼ିଆରେ ପାଣି ନାହିଁ ଏଣୁ ଜମିରେ ପାଣି ମଡ଼ାଇବା ମଧ୍ୟ ଅସମ୍ଭବ। ପରିସ୍ଥିତି ଏଭଳି ହୋଇଛି ଚଳିତ ବର୍ଷ ଧାନ ତ ନାହିଁ ଗାଈଗୋରୁଙ୍କୁ ନଡ଼ା ମିଳିବା ମଧ୍ୟ କଷ୍ଟକର ହେବ। ଏଣୁ ପ୍ରଶାସନ ତୁରନ୍ତ ଏହି ସମସ୍ୟାରେ ହସ୍ତକ୍ଷେପ କରି ପଦକ୍ଷେପ ଗ୍ରହଣ କରନ୍ତୁ। ଜିଲ୍ଲାପାଳ କେ ସୁଦର୍ଶନଚକ୍ରବର୍ତୀ ଚାଷୀଙ୍କ ସହ ଆଲୋଚନା ପରେ କୃଷି ବିଭାଗ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି ଓ ଏନେଇଆବଶ୍ୟକ ପଦକ୍ଷେପ ନେବାକୁ ପ୍ରତିଶ୍ରୁତି ଦେଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/11/dhana-gachhadhari-chasi-Khordha-zillapala-karjyalaya-re.jpg)