ଖୋର୍ଦ୍ଧା ଜିଲ୍ଲାର ୮ ବ୍ଲକରେ ଚାଷ ଜମି ଶୁଖିଲା, ଚିନ୍ତାରେ ଚାଷୀକୁଳ

ଖୋର୍ଦ୍ଧା(ଲମ୍ବୋଦର ପ୍ରସାଦ ଦାଶ): ଆଉ ଗୋଟିଏ ମାସ ​ପରେ ଚାଷୀ ଜମିରୁ ଧାନ ଅମଳ କରିବ। ବର୍ଷ ସାରା ମୁଣ୍ଡର ଝାଳ ତୁଣ୍ଡରେ ମାରି ନିଜ ଚାଷ ଜମିରେ ଯେଉଁ ପରିଶ୍ରମ କରିଥିଲା ତା’ର ଫଳ ମିଳିବ, ଖୋର୍ଦ୍ଧା ଜିଲ୍ଲାର ଚାଷୀଙ୍କ ଏହି ଆଶା ପ୍ରାୟ ମଉଳି ଯାଇଛି। ଜିଲ୍ଲାର ୧୦ଟି ବ୍ଲକରୁ ୮ଟି ବ୍ଲକରେ ଅଧିକାଂଶ ଚାଷ ଜମିରେ ପାଣି ନାହିଁ। ଯଦି ଆଗ ୩-୪ ଦିନ ମଧ୍ୟରେ ବର୍ଷା ନହୁଏ ତେବେ ଧାନ ହଜାର ହାଜର ଏକର ଚାଷ ଜମିର ଧାନ ଗଛ ଶୁଖିଯିବ।

ଆଠ ଦୁମୁକୁଣି, ଷୋହଳ ଅସରା, ବତିସି ଝିପିଝିପି, ଚୌଷଠି କୁଣ୍ଡାଝଡ଼ା, ତେବେଯାଇ ହେବ ଚାଷୀର ପେଟପୂରା। ପ୍ରଚଳିତ କଥା ଅନୁସାରେ, ଧାନ ବୁଣିବା ଠାରୁ ଧାନ ଅମଳ ୧୧୦ ରୁ  ୧୨୦ ଦିନ ମଧ୍ୟରେ ୧୨୦ ଦିନ ବର୍ଷା ହେଲେ ଯାଇ ଧାନର କ୍ଷୀର ପାଚିବ। ଏହି କଥାନୁସାରେ, ଭାଦ୍ରବରୁ ଆଶ୍ବୀନ ମାସ ମଧ୍ୟରେ କୁଣ୍ଡାଝଡ଼ା ବର୍ଷା ନିୟମିତ ବ୍ୟବଧାନରେ ହେବା କଥା, କିନ୍ତୁ ଚଳିତ ବର୍ଷ କେବଳ ୩୦ରୁ ୪୦ ଦିନ ବର୍ଷା ହୋଇଛି। ଶ୍ରାବଣର ଶେଷ ଓ ଭାଦ୍ରବର ପ୍ରଥମ ପକ୍ଷ ( ସେପ୍ଟମ୍ବର) ମାସରେ ଯାହା ବର୍ଷା ହୋଇଥିଲା ସେଥିରେ ଚାଷୀ ଭରସା କରି ଧାନ ବୁଣିଥିଲା। ତଥାପି ବର୍ଷା ଅଭାବକୁ ଦେଖି ଜିଲ୍ଲାର ୧ଲକ୍ଷ ୧୦ ହଜାର ହେକ୍ଟର ଧାନ ଚାଷ ଜମି ମଧ୍ୟରୁ ୭୦ରୁ ୮୦ ପ୍ରତିଶତ ଜମିରେ ହିଁ ଚଳିତ ବର୍ଷ ଧାନ ଚାଷ ହୋଇଥିଲା। ବର୍ତମାନ ଖୋର୍ଦ୍ଧାର ଦୁଇଟି ବ୍ଲକ- ବାଲିଅନ୍ତା ଓ ବାଲିପାଟଣା ବ୍ୟତୀତ ଅନ୍ୟ ସମସ୍ତ ବ୍ଲକର ଅଧିକାଂଶ ଚାଷ ଜମିରେ ପାଣିନାହିଁ। ଧାନ ଗଛରେ ଧାନ କ୍ଷୀର ଧରିବା ବେଳେ ବର୍ଷା ଅଭାବରୁ ଚାଷ ଜମି ଫାଟି ଆଁକରିବା ବେଳେ ଧାନଗଛ କଳା ପଡ଼ିବା ଆରମ୍ଭ କଲାଣି।

ଖୋର୍ଦ୍ଧା ବ୍ଲକ କଲ୍ୟାଣପୁରର ଅକ୍ରୁର ସେଠୀ ଜଣେ ଭାଗ ଚାଷୀ, ୨ ଏକର ଜମି ଭାଗ ନେଇ ଚଳିତ ବର୍ଷ ଧାନ ଫସଲ କରିଥିଲେ। ଏଥିପାଇଁ ସେ ୨୦-୩୦ ହଜାର ଟଙ୍କା ହାତଉଧାରି ମଧ୍ୟ ଆଣିଥିଲେ। ସେ ଭାଗ ନେଇଥିବା ଜମି ଖଣ୍ଡିକ ପୋଖରୀ ତଳେ ରହିଛି। ଏଣୁ ଗତ ଦୁଇ ଦିନ ଧରି ପମ୍ପ ଯୋଗେ ପାଣି ଉଠାଇ ନିଜ ଚାଷ ଜମିରେ ପାଣି ମାଡ଼ାଇଛନ୍ତି। ଶ୍ରୀ ସେଠୀ ନିଜ ପ୍ରତିକ୍ରିୟାରେ କହିଛନ୍ତି ଯେ ତାଙ୍କ ଗାଁର ଅଧିକାଂଶ ଚାଷୀ ତାଙ୍କ ଭଳି ଭାଗ୍ୟବାନ ନୁହନ୍ତି। ସମସ୍ତଙ୍କ ଚାଷ ଜମି ପାଣି ଅଭାବରୁ ଶୁଖି ଆଁ କଲାଣି। ଯଦି ଆଉ ୩-୪ ଦିନ ମଧ୍ୟରେ ବର୍ଷା ନହୁଏ ତେବେ ଏବର୍ଷ ଧାନ ଚାଷ ନଷ୍ଟ ହୋଇଯିବ। ସେହିଭଳି ବେରୁଆଁର ଚାଷୀ ପ୍ରଫୁଲ୍ଲ ମହାପାତ୍ର ନିଜର ୩ ଏକର ଜମିରେ ଚଳିତ ବର୍ଷ ଧାନ ବୁଣି ଚାଷ କରିଛନ୍ତି। ସେ ଚଳିତ ବର୍ଷ ଅମଳ ହେବ ବୋଲି ଆଶା ଛାଡ଼ି ଦେଇଛନ୍ତି। ତାଙ୍କର କହିବାନୁସାରେ, ବେରୁଅଁ, କଲ୍ୟାଣପୁର, ଜରିପୁଟ, ଛୋଟରାୟପୁର ଅଞ୍ଚଳର ପ୍ରାୟ ୯ଶହରୁ ୧ହଜାର ଏକର ଚାଷ ଜମି ଶୁଖିଲା ପଡ଼ିଛି। କେବଳ ଏହି ଗାଁ ନୁହେଁ, ବର୍ତମାନ ବେଗୁନିଆ, ବୋଲଗଡ଼, ଟାଙ୍ଗୀ, ବାଣପୁର, ଚିଲିକା ଆଦି ଅଞ୍ଚଳରେ ଅନୁରୂପ ପରିସ୍ଥିତି। ଖାଲୁଆ ଜମି, ପୋଖରୀ ଓ ଜଳାଶୟ କଡ଼ରେ ଥିବା ଜମିରେହୋଇଥିବା ଫସଲକୁ ଚାଷୀ କୌଣସି ପ୍ରକାରେ ବଞ୍ଚାଇବାକୁ ଚେଷ୍ଟା କରୁଥିବା ବେଳେ ଟିକିଏ ଢିପ ଜମି ଓ କେବଳ ବର୍ଷା ଭରସାରେ ଚାଷ କରିଥିବା ଚାଷୀ ଫସଲ ଉପରେ ଭରସା ତୁଟାଇଦେଇଛନ୍ତି।

ଏନେଇ ଜିଲ୍ଲା କୃଷି ବିଭାଗର​ ଡେପୁଟି ନିର୍ଦ୍ଦେଶକ ପ୍ରଫୁଲ୍ଲ କୁମାର ମହାରଣା କହିଛନ୍ତି ଯେ ବର୍ଷା ଅଭାବ ଓ ଚାଷ ଜମିର ସ୍ଥିତିରେ ନେଇ ବିଭାଗ ସଚେତନ ଅଛି। ଦୁଇ ଦିନ ପୂର୍ବେ, ସମସ୍ତ ବ୍ଲକ କୃଷି ଅଧିକାରୀଙ୍କୁ ନିଜ ନିଜ ବ୍ଲକର ସ୍ଥିତି ସମ୍ପର୍କରେ ଜଣାଇବାକୁ କୁହାଯାଇଥିଲା। ବାଲିପାଟଣା, ବାଲିଅନ୍ତା ବ୍ୟତୀତ ଅନ୍ୟ ସମସ୍ତ ବ୍ଲକରେ ବର୍ଷା ଅଭାବ ଜନିତ ସମସ୍ୟାର ସୂଚନା ଆସିଛି। ଏଣୁ ଭିଏଲ୍‌ଡବ୍ଲୁମାନଙ୍କୁ ଦ୍ବିତୀୟଥର, ତୃଣମୂଳସ୍ତରରେ ଅନୁସନ୍ଧାନ କରି ରିପୋର୍ଟ ଦେବାକୁ କୁହାଯାଇଛି। ଏହି ରିପୋର୍ଟ ୨-୩ ଦିନରେ ମିଳିବ, ଏହାପରେ ଯାଇ ଯାହାକିଛି କୁହାଯାଇପାରିବ।

ସମ୍ବନ୍ଧିତ ଖବର