ଜଳଭଣ୍ଡାର ଖୁଖିଲା, ଚାଷ କାମକୁ ନିଅଣ୍ଟ; ୩ ଡ୍ୟାମ୍ ଥାଇ ବି ଜଳ ସମସ୍ୟା ସହ ଯୁଝୁଛନ୍ତି ନୀଳଗିରି ଅଞ୍ଚଳର ଚାଷୀ

ନୀଳଗିରି,  (ଦିଲ୍ଲୀପ ସ୍ବାଇଁ): ଚାଷ ପାଇଁ ପାଣିର ଆବଶ୍ୟକତା ରହିଛି। ଖରିଫ ଋତୁକୁ ଛାଡ଼ିଦେଲେ ରବି ଋତୁରେ ଚାଷ କରିବା ପାଇଁ ଚାଷୀମାନେ ପାଣି ସମସ୍ୟାକୁ ସାମ୍ନା କରନ୍ତି। ତେବେ ସମସ୍ୟାର ସମାଧାନ ପାଇଁ ସରକାର ରାଜ୍ୟର ବିଭିନ୍ନ ସ୍ଥାନରେ ଛୋଟବଡ଼ ଡ୍ୟାମ୍‌ ନିର୍ମାଣ କରିଛନ୍ତି। ହେଲେ ଦେଖାଯାଉଛି ଡ୍ୟାମ୍‌ ଚାଷୀଙ୍କ କାମରେ ଲାଗି ପାରୁନି। ବୈଷୟିତ ତ୍ରୁଟି ଓ ଅନ୍ୟ କାରଣ ପାଇଁ ଡ୍ୟାମ୍‌ରେ ପାଣି ଗଚ୍ଛିତ ରହୁନାହିଁ। ଫଳରେ ଡ୍ୟାମ୍‌ ନିର୍ମାଣ କରାଯିବାର ଉଦ୍ଦେଶ୍ୟ ପୂରଣ ହୋଇପାରୁନି। ବାଲେଶ୍ବର ଜିଲ୍ଲା ନୀଳଗିରି ଉପଖଣ୍ଡରେ ସେମିତି ଏକାଧିକ ଡ୍ୟାମ୍‌ ରହିଛି। ଯେଉଁ ଡ୍ୟାମ୍‌ଗୁଡ଼ିକର ଅବସ୍ଥା ସଂଗିନ ହୋଇପଡ଼ିଛି।

ନୀଳଗିରି ଉପଖଣ୍ଡରେ ଖୁମକୁଟ କ୍ଷୁଦ୍ର ଜଳଭଣ୍ଡାର ରହିଛି। ୪.୫ ହେକ୍ଟର ଅଞ୍ଚଳରେ ଥିବା ଏହି ଜଳଭଣ୍ଡାର ଦ୍ବାରା ୧୦୦ ହେକ୍ଟର ଜମିକୁ ଜଳସେଚନ କରାଯିବା ନେଇ ଲକ୍ଷ୍ୟଧାର୍ଯ୍ୟ ହୋଇଥିଲା। ହେଲେ ଏବେ ଜଳଭଣ୍ଡାରର ସ୍ଥିତି ସଂଗିନ ହୋଇପଡ଼ିଛି। ଦୁର୍ବଳ ବନ୍ଧ ଯୋଗୁ ଜଳଭଣ୍ଡାରରେ ପାଣି ରହୁନାହିଁ। ଫଳରେ ଚାଷଜମିକୁ ପାଣି ମିଳୁନି। ୨୦୧୦-୧୧ ମସିହାରେ ୩୦ ଲକ୍ଷ ଏବଂ ୨୦୨୧-୨୨ ମସିହାରେ ୫ ଲକ୍ଷ ଟଙ୍କା ଖର୍ଚ୍ଚ କରି ଜଳଭଣ୍ଡାରର ମରାମତି କାମ ହୋଇଥିଲେ ମଧ୍ୟ କିଛି ଫଳ ନାହିଁ। କେବଳ ଖୁମକୁଟ ନୁହେଁ, ରିସିଆ କ୍ଷୁଦ୍ର ଜଳଭଣ୍ଡାରର ମଧ୍ୟ ସମାନ ସ୍ଥିତି। କୁଲଡ଼ିହା ଅଭୟାରଣ୍ୟ ଭିତରେ ଥିବା ରିସିଆ ଜଳଭଣ୍ଡାରରେ ପାଣି ଅଭାବ ଦେଖାଦେଇଛି। ଟାଙ୍ଗଡ଼ା ନଦୀ ଉପରେ ୪୩୫୦ ଫୁଟ୍‌ ଲମ୍ବର ରିସିଆ ଜଳଭଣ୍ଡାର କେଶିପୁର, ଛତ୍ରପୁର ଓ ତେଲିପାଳ ପଞ୍ଚାୟତର ୪ ହଜାର ୫୦୦ ଏକର ଜମିକୁ ଜଳ ଯୋଗାଇବା ଉଦ୍ଦେଶ୍ୟରେ ନିର୍ମାଣ କରାଯାଇଥିଲା। ହେଲେ ରକ୍ଷଣାବେକ୍ଷଣ ଅଭାବ ଯୋଗୁ ଜଳଭଣ୍ଡାର ଶୁଖିଲା ପଡ଼ୁଛି। ସେହିପରି ସପ୍ତଘାଟି ଜଳଭଣ୍ଡାରରେ ମଧ୍ୟ ପାଣି ରହୁନାହିଁ।

ଏପରି ସମୟରେ ରବି ଚାଷୀମାନେ ଚିନ୍ତାରେ ଅଛନ୍ତି। ଦିନେ ଯେଉଁ ଚାଷୀ ଜଳସେଚନ ପାଇଁ ଖୁମକୁଟ, ରିସିଆ ଓ ଓ ସପ୍ତଘାଟି ଜଳଭଣ୍ଡାର ଉପରେ ନିର୍ଭର କରୁଥିଲେ, ଆଜି ସେମାନଙ୍କ ପାଇଁ ଉକ୍ତ ଜଳଭଣ୍ଡାଗୁଡ଼ିକରୁ ପାଣି ମିଳିବା ମହରଗ ହୋଇପଡ଼ିଛି। ଯାହାଫଳରେ ଚାଷୀମହଲରେ ନିରାଶା ପ୍ରକାଶ ପାଇଛି। ସମସ୍ୟା ପ୍ରତି ସରକାର ସଚେତନ ହୁଅନ୍ତୁ ଏବଂ ଜଳଭଣ୍ଡାରଗୁଡ଼ିକର ପୁନରୁଦ୍ଧାର ପାଇଁ ଉଦ୍ୟମ କରନ୍ତୁ ବୋଲି ବିଭିନ୍ନ ମହଲରେ ଦାବି ହେଉଛି। ଦାବି ପୂରଣ ନହେଲେ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦିଆଯାଇଛି।

ସମ୍ବନ୍ଧିତ ଖବର