ଭୁବନେଶ୍ୱର/ ଗଞ୍ଜାମ/ ରାୟଗଡ଼ା: ସରକାରଙ୍କ ଉପରେ ଚାଷୀର ଭରସା ପାଉନାହିଁ। ମରୁଡ଼ି ସାଙ୍ଗକୁ ଚକଡ଼ା ପୋକର ଦୌରାତ୍ମ୍ୟ ଏବେ ଚାଷୀର ମେରୁଦଣ୍ଡ ଭାଙ୍ଗିି ଦେଇଛି। ପରିସ୍ଥିତି ଏମିତି ହୋଇଛି ଯେ ଗତ ସପ୍ତାହକ ମଧ୍ୟରେ ଫସଲ ହାନିରେ ବ୍ୟତିବ୍ୟସ୍ତ ହୋଇ ୪ ଜଣ ଚାଷୀ ଆତ୍ମହତ୍ୟା ପରି ଚରମ ପଥକୁ ବାଛି ନେଇଥିବା ବେଳେ ଏବେ ଚାଷୀ ନିଜ ଚାଷ ଜମିରେ ନିଜ ହାତରେ ନିଆଁ ଲଗାଇ ଦେଉଥିବା ପରି ଘଟଣା ଓଡ଼ିଶାର ବିଭିନ୍ନ ଅଞ୍ଚଳରୁ ଆସୁଛି। ବିଶେଷ କରି ବରଗଡ଼ ଜିଲ୍ଲା ଚାଷୀ ବୃନ୍ଧାବନ ସାହୁ ନିଜ ଏକର ଏକର ଧାନ ଫସଲରେ ନିଅାଁ ଲଗାଇ ବିଷ ପିଇ ଆତ୍ମହତ୍ୟା କରିବା ପରେ ଏହି ଘଟଣା ବେଳେ ପଶ୍ଚିମାଞ୍ଚଳରୁ ଦକ୍ଷିଣାଞ୍ଚଳକୁ ବ୍ୟାପିଛି। ଆଜି ରାୟଗଡ଼ା ଜିଲ୍ଲା ଓ ଗଞ୍ଜାମ ଜିଲ୍ଲାରେ ଚାଷୀମାନେ ସେମାନଙ୍କ ଚାଷ ଜମିରେ ନିଆଁ ଲଗାଇ ଦେଇଥିବା ପରି ଘଟଣା ସାମ୍ନାକୁ ଆସିଛି।
/sambad/media/post_attachments/wp-content/uploads/2017/11/ganjam-3-300x206.jpg)
ମିଳିଥିବା ସୂଚନା ଅନୁଯାୟୀ, ରାୟଗଡ଼ା ଜିଲ୍ଲା ରାମନାଗୁଡ଼ା ବ୍ଲକ୍ ଅନ୍ତର୍ଗତ ଗାଦିଲଗୁଡ଼ି ଗ୍ରାମର ଚାଷୀ ନାଇଡ଼ୁ ଯୋଗୀ ୪ ଏକରରୁ ଊର୍ଧ୍ୱ ଜମିରେ ଧାନ ଚାଷ କରିଥିଲେ। ମାତ୍ର ଗତ କିଛି ଦିନ ହେବ ଏହି ଧାନ ଫସଲରେ ଚକଡ଼ା ପୋକ ଲାଗି ଫସଲକୁ ସମ୍ପୂର୍ଣ୍ଣ ଉଜାଡ଼ି ଦେଇଛନ୍ତି। ଏଥିରେ ମ୍ରିୟମାଣ ହୋଇ ଶ୍ରୀ ଯୋଗୀ ନିଜର ସମସ୍ତ ୪ ଏକର ଚାଷ ଜମିରେ ଆଜି ସକାଳୁ ନିଆଁ ଲଗାଇ ଦେଇଛନ୍ତି। ଏ ଖବର ପାଇ ରାମନଗୁଡ଼ା ବିଡିଓ ଗୁଲାମ ମକ୍ସଦ ଓ ତହସିଲାଦାର ପ୍ରମୁଖ ଗାଦିଲଗୁଡ଼ା ଗ୍ରାମକୁ ଯାଇଛନ୍ତି। ଏ ସମ୍ପର୍କରେ ବିଡିଓ ଗୁଲାମ ମକ୍ସଦଙ୍କୁ ପଚାରିବାରୁ ସେ କହିଥିଲେ ଏମିତି ଧାନ କ୍ଷେତ ପୋଡ଼ାଯାଇଥିବା ଖବର ପାଇ ଆମେ ସମ୍ପୃକ୍ତ ଗ୍ରାମକୁ ଯାଇ ଚାଷୀଙ୍କ ସହିତ ଆଲୋଚନା କରିବୁ। ପରେ ପ୍ରକୃତରେ ଧାନାପୋକ କେତେ ଫସଲ ନଷ୍ଟ କରିଛନ୍ତି, ଚାଷୀ କାହିଁକି ଧାନକ୍ଷେତରେ ନିଆଁ ଲଗାଇଲେ ସେ ସମ୍ପର୍କରେ ସରକାରଙ୍କୁ ରିପୋର୍ଟ ପ୍ରଦାନ କରାଯିବ ବୋଲି ବିଡିଓ ଗୁଲାମ ମକ୍ସଦ କହିଛନ୍ତି।
ସେହିପରି ଆଜି ଆଉ ଏକ ଖବର ଆସିଛି ଗଞ୍ଜାମ ଜିଲ୍ଲାରୁ। ଗଞ୍ଜାମ ଜିଲ୍ଲା ଚିକିଟିର ପିତାତଳି ପଞ୍ଚାୟତର ଲିମାକୁଡ଼ିଆ ଗ୍ରାମର ଜଣେ ଚାଷୀ ତାଙ୍କ ୨ ଏକର ଧାନ ଜମିରେ ନିଆଁ ଲଗାଇ ଦେଇଥିବା ଜଣାପଡ଼ିଛି। ସେ ମଧ୍ୟ ଫସଲ ନଷ୍ଟ ହେବା ଦେଖି ବିବ୍ରତ ହୋଇ ଅାତ୍ମହତ୍ୟା କରିଥିବା ଜଣାପଡ଼ିଛି।
ସୂଚନାଯୋଗ୍ୟ ଯେ ବରଗଡ଼ ବ୍ଲକ୍ କଳାପାଣିଆ ଗ୍ରାମର ଚାଷୀ ବୃନ୍ଦାବନ ସାହୁ( ୫୮) ପ୍ରାୟ ୧୪ ଏକର ଜମିରେ ଧାନ ଚାଷ କରିଥିଲେ। ଏଥିପାଇଁ ଶ୍ରୀ ସାହୁ ଲକ୍ଷାଧିକ ଟଙ୍କା ହାତ ଉଦ୍ଧାରି କରିଥିଲେ। ତେବେ ମରୁଡ଼ି ପରେ ପରେ ଚକଡ଼ା ପୋକ ଧାନ ଫସଲକୁ ସମ୍ପୂର୍ଣ୍ଣ ନଷ୍ଟ କରି ଦେଇଛି। ଏଥିରେ ବ୍ୟତିବ୍ୟସ୍ତ ହୋଇ ବୃନ୍ଦାବନ ଗତ ୩୧ ତାରିଖ ଅପରାହ୍ଣରେ ତାଙ୍କ ଧାନ କ୍ଷେତରେ ନିଆଁ ଲଗାଇ ଦେଇଥିଲେ। ଏହା ପରଠାରୁ ତାଙ୍କ ମାନସିକ ଅବସ୍ଥା ଭଲ ନ ଥିଲା। ସେ ବିଲକୁ ଯାଇ ଉଜୁଡ଼ା ଫସଲକୁ ଦେଖି ଆଉ ଧର୍ଯ୍ୟ ଧରି ପାରି ନ ଥିଲେ। ବିଷ ପାନ କରି ସେ ଗତକାଲି ଆତ୍ମହତ୍ୟା କରିଥିଲେ। ଏହାକୁ ନେଇ ବରଗଡ଼ରେ ଚାଷୀ ଆନ୍ଦୋଳନ ତୀବ୍ର ହୋଇଥିବା ବେଳେ ନିଜ ଚାଷ ଜମିରେ ଚାଷୀମାନେ ନିଆଁ ଲଗାଇ ଦେବା ଏବେ ବାରମ୍ବାର ଦେଖିବାକୁ ମିଳିଲାଣି। ଅବଶ୍ୟ ପ୍ରଶାସନ ପକ୍ଷରୁ ଧାନ କ୍ଷେତରେ ନିଆଁ ନ ଲଗାଇବାକୁ ଚାଷୀମାନଙ୍କୁ ଅନୁରୋଧ କରାଯାଇଛି, ମାତ୍ର ତାହା ଚାଷୀମାନଙ୍କ ଉପରେ ପ୍ରଭାବ ପକାଇ ପାରି ନାର୍ହିଁ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2017/11/ganjam-1-1.jpg)