ଝାରସୁଗୁଡ଼ା: ଉପକୂଳିଆ ନୀତିରେ ହନ୍ତସନ୍ତ ହେଉଛନ୍ତି ପଶ୍ଚିମ ଓଡ଼ିଶାର ଚାଷୀ। ଉପକୂଳର ପାଣିପାଗ, ଜଳସ୍ତରକୁ ଦେଖି ସରକାର ଯୋଜନା କରୁଥିବା ବେଳେ ପରିବର୍ତ୍ତିତ ସ୍ଥିତିରେ ପଶ୍ଚିମ ଓଡ଼ିଶାରେ ଉକ୍ତ ଯୋଜନା ‌ଚାଷୀଙ୍କ କାମରେ ଲାଗିପାରୁନି। ଭାତ ହାଣ୍ଡିରୁ ଗୋଟିଏ ଭାତ ଚିପିବା ସଦୃଶ ମତ୍ସ୍ୟ ବିଭାଗର ମାଛ ପୋଖରୀ ଯୋଜନାକୁ ଉଦାହରଣ ଭାବେ ନେଲେ ଯୋଜନାଗୁଡ଼ିକ କିଭଳି ବିଫଳ ହେଉଛି, ତାହା ଜଳଜଳ ବାରି ହୋଇପଡୁଛି। ପଶ୍ଚିମ ଓଡ଼ିଶାରେ ଜଳସ୍ତର ଦିନକୁ ଦିନ ନିମ୍ନଗାମୀ ହେଉଥିବା ବେଳେ ମାଛ ପୋଖରୀଗୁଡ଼ିକ ଡିସେମ୍ବରରୁ ଶୁଖି ପଡ଼ିଆ ହୋଇଯାଉଛି।

Advertisment

ସୂଚନା ଅନୁସାରେ, ଝାରସୁଗୁଡ଼ା ଜିଲ୍ଲାରେ ବାର୍ଷିକ ହାରାହାରି ୩୦ଟି ମାଛ ପୋଖରୀ ମତ୍ସ୍ୟ ବିଭାଗର ଯୋଜନାରେ ଖୋଳାଯାଉଛି। ପୋଖରୀ ଖୋଳିବାକୁ ସରକାରଙ୍କ ପକ୍ଷରୁ ସବ୍‌ସିଡି ଯୋଗାଇ ଦିଆଯାଉଛି। ଉକ୍ତ ପୋଖରୀରେ ମାଛ ଚାଷ କରି ଚାଷୀ ଲାଭାନ୍ବିତ ହେବା ସାଙ୍ଗକୁ ମାଛ ଉତ୍ପାଦନ ବୃଦ୍ଧି ସରକାରଙ୍କ ଲକ୍ଷ୍ୟ। ହେଲେ, ଏହିସବୁ ମାଛ ପୋଖରୀର ଗଭୀରତା ମାତ୍ର ୬ ଫୁଟ୍‌ ରହୁଛି। ୬ ଫୁଟ୍‌ରୁ ଅଧିକ ଖୋଳିବାକୁ ହେଲେ ସେଥିରେ କୌଣସି ସବ୍‌ସିଡି ମିଳୁନଥିବା ବେଳେ ଚାଷୀଙ୍କୁ ନିଜ ଖର୍ଚ୍ଚରେ ଅଧିକ ଗଭୀର ଖନନ କରିବାକୁ ପଡୁଛି। ଫଳସ୍ବରୂପ ପ୍ରାୟତଃ ଚାଷୀ ଗଭୀରତା ୬ ଫୁଟ୍‌ରେ ହିଁ ସୀମିତ ରଖୁଛନ୍ତି।

ପୂର୍ବ ଓଡ଼ିଶାରେ ଭୂତଳ ଜଳସ୍ତର ଅପେକ୍ଷାକୃତ ଉପରେ ରହୁଥିବାରୁ ୬ ଫୁଟ୍‌ ଗଭୀର ଗାଡ଼ିଆରେ ବି ବର୍ଷର ୮ରୁ ୧୦ ମାସ ପାଣି ରହୁଛି। ଯେଉଁଥିରେ ମାଛ ଚାଷ କରି ଚାଷୀ ସୁଫଳ ପାଉଛନ୍ତି। ମାତ୍ର, ଝାରସୁଗୁଡ଼ା, ସମ୍ବଲପୁର, ବଲାଙ୍ଗୀର ଭଳି ଜିଲ୍ଲାରେ ଭୂତଳ ଜଳସ୍ତର ଦିନକୁ ଦିନ ନିମ୍ନଗାମୀ ହେବାରେ ଲାଗିଛି। ଏପରିକି ୨୦ ଫୁଟ୍‌ ଗଭୀରତାର ପୋଖରୀ ବି ମାର୍ଚ୍ଚ ବେଳକୁ ଶୁଖିଯାଉଛି। ଏଭଳି ସ୍ଥିତିରେ ୬ ଫୁଟ ଗଭୀର ଗାଡ଼ିଆରେ ଡିସେମ୍ବର ମାସରୁ ପାଣି ରହୁନି। ବର୍ଷା ୪ ମାସ କେବଳ ପାଣି ରହୁଥିବାରୁ ସେଥିରେ ମାଛ ଚାଷ ସମ୍ଭବ ହେଉନି। ଏହି କାରଣ ଯୋଗୁଁ ମାଛ ପୋଖରୀରୁ ମତ୍ସ୍ୟ ଉତ୍ପାଦନ ପ୍ରାୟ ଶୂନ ରହିଥିବା ଖୋଦ୍‌ ବିଭାଗୀୟ ସୂତ୍ରରୁ ସୂଚନା ମିଳିଛି। ଖୋଦ୍‌ ମତ୍ସ୍ୟ ବିଭାଗ ବି ଏହି ଘଟଣାକୁ ସ୍ବୀକାର କରୁଥିଲେ ହେଁ ସରକାରୀ ନିୟମ ବଦଳାଇବା ସମ୍ଭବ ନଥିବା କହି ଅଧିକାରୀମାନେ ଅଧିକ ମୁଣ୍ଡ ଖର୍ଚ୍ଚ କରୁନାହାନ୍ତି। ଏ ସଂପର୍କରେ ଜିଲ୍ଲା ମତ୍ସ୍ୟ ଅଧିକାରୀ ବିବେକ ସୋରେନ୍‌ଙ୍କୁ ପଚାରିବାରେ, ଏ ନେଇ ନିର୍ଦ୍ଦେଶାଳୟକୁ ସୂଚନା ଦିଆଯାଇଥିବା କହିଛନ୍ତି।