ଦିଗପହଣ୍ଡି/ପାଟପୁର: ଗଞ୍ଜାମ ଜିଲ୍ଲାରେ ସାର ସଂକଟକୁ ନେଇ ଚାଷୀଙ୍କ ଭିତରେ କୁହୁଳୁଥିବା ଅସନ୍ତୋଷ ଆଜି ଉଗ୍ର ରୂପ ନେଇଛି। ଦିଗପହଣ୍ଡି ବ୍ଲକ୍‌ କୋଟିନଡ଼ା ଓ ସିଦ୍ଧେଶ୍ବର ପଞ୍ଚାୟତର ଚାଷୀ ଏବଂ ସାନଖେମୁଣ୍ଡି ବ୍ଲକ୍‌ର ସାହାସପୁର ଏବଂ ଚୁଡ଼ଙ୍ଗପୁର ପଞ୍ଚାୟତର ଚାଷୀ ଆଜି ରାଜରାସ୍ତାକୁ ଓହ୍ଲାଇଛନ୍ତି। ଦିଗପହଣ୍ଡି- ବ୍ରହ୍ମପୁର ରାସ୍ତା ଗଣିଆନାଳ ଛକ ଏବଂ ସାନଖେମୁଣ୍ଡି ବ୍ଲକ୍‌ ହାଟପଦାରେ ଆସିକା-ଦିଗପହଣ୍ଡି ୩୨୬ ନମ୍ବର ଜାତୀୟ ରାଜପଥକୁ ଚାଷୀ ଅବରୋଧ କରିଛନ୍ତି। 

Advertisment

ଆଜି ସକାଳେ ଦିଗପହଣ୍ଡି ବ୍ଲକ୍‌ ସିଦ୍ଧେଶ୍ବର ସମବାୟ ସମତିରେ ୟୁରିଆ ସାର ଅଭାବକୁ ନେଇ ଚାଷୀ ସେଠାରେ ତାଲା ଠୁଙ୍କି ପ୍ରତିବାଦ କରିବା ସହ ସମ୍ପାଦକ ଗୋପାଳକୃଷ୍ଣ ଜେନାଙ୍କୁ ଘେରି ଯାଇ କାରଣ ପଚାରିଥିଲେ। ସମ୍ପାଦକ ସାର କଳାବଜାର କରୁଥିବା ଅଭିଯୋଗ ଆଣି ଗଣିଆନାଳ ଛକରେ ଟାୟାର ଜାଳି ରାସ୍ତା ଅବରୋଧ କରିଥିଲେ। ଫଳରେ ରାସ୍ତାର ଉଭୟ ପାର୍ଶ୍ବରେ ବହୁସଂଖ୍ୟାରେ ଯାନବାହନ ଅଟକି ରହିବା ସହ ଆମ୍ବୁଲାନ୍‌ସ ବି ଫସିଯାଇଥିଲା। ଚାଷୀଙ୍କ ଅଭିଯୋଗ ହେଉଛି, ପୂର୍ବରୁ ସୋସାଇଟିରେ ୫୦ ବସ୍ତା ସାର ରହିଥିବା ବେଳେ ଗତକାଲି ୪୫୦ ବସ୍ତା ଆସିଥିଲା। ଏହା ଜାଣିବା ପରେ ସାର ନେବାକୁ ଚାଷୀ ସୋସାଇଟିକୁ ଆସିବା କ୍ଷଣି ସଂପାଦକ ତାଲା ପକାଇଦେଇଥିଲେ। ଫଳରେ ଚାଷୀ ଉତ୍‌କ୍ଷିପ୍ତ ହୋଇ ‌ହୋହଲ୍ଲା କରିବା ସହ ସଂପାଦକଙ୍କ ବିରୋଧରେ ବିଷୋଦ୍‌ଗାର କରିଥିଲେ। ୨ ଘଣ୍ଟା କାଳ ରାସ୍ତାରୋକ ପରେ ଦିଗପହଣ୍ଡି ତହସିଲଦାର ସନ୍ତୋଷ କୁମାର ସାହୁ ଓ ପୁଲିସ ପହଞ୍ଚି ଉତ୍ତ୍ୟକ୍ତ ଚାଷୀଙ୍କୁ ବୁଝାସୁଝା କରିଥିଲେ। ବ୍ରହ୍ମପୁର ସହକାରୀ ସମବାୟ ଉପପ୍ରବନ୍ଧକ, ତହସିଲଦାର ଶ୍ରୀ ସାହୁ ଏବଂ ପୁଲିସ ଉପସ୍ଥିତିରେ ସାର ବଣ୍ଟନ କରାଯାଇଥିଲା। 

ସେହିପରି ସାନଖେମୁଣ୍ଡି ବ୍ଲକ୍‌ ସାହାସପୁର ସେବା ସମବାୟ ସମିତିରେ ସାର ବଣ୍ଟନରେ ପାତରଅନ୍ତର ନୀତି ଅବଲମ୍ବନ ହେଉଥିବା ଅଭିଯୋଗ ଆଣି ଚାଷୀମାନେ ହାଟପଦାରେ ଆସିକା-ଦିଗପହଣ୍ଡି ରାସ୍ତାକୁ ଅବରୋଧ କରିଥିଲେ। ଫଳରେ ବହୁ ସଂଖ୍ୟାରେ ଯାନବାହନ ଅଟକି ରହିଥିଲା।  ଆଜି ସାହାସପୁର ଏବଂ ଚୁଡ଼ଙ୍ଗପୁର ପଞ୍ଚାୟତର ଚାଷୀ ମେଳି ବାନ୍ଧି ସମବାୟ ସମିତିକୁ ସାର ଆଣିବାକୁ ଯାଇଥିଲେ। କିନ୍ତୁ ସାର ନ ମିଳିବାରୁ ଉତ୍‌କ୍ଷିପ୍ତ ହୋଇ ରାସ୍ତା ଅବରୋଧ କରିଥିଲେ। ସାନଖେମୁଣ୍ଡି ତହସିଲଦାର ରାମଚନ୍ଦ୍ର ପଟ୍ଟନାୟକ, ପାଟପୁର ଥାନାଧିକାରୀ ଦୀପ୍ତିରଞ୍ଜନ ବେହେରା, ବ୍ଲକ୍ କୃଷି ଅଧିକାରୀ ଜୟଦପ୍ରଭା ଆଚାର୍ଯ୍ୟ ଓ ସେବା ସମବାୟ ସମିତି ସଭାପତି କୈଳାସ ପାତ୍ର ଚାଷୀଙ୍କୁ ବୁଝାସୁଝା କରିଥିଲେ। ଏକ ସପ୍ତାହ ମଧ୍ୟରେ ସାର ଦେବାକୁ ପ୍ରତିଶ୍ରୁତି ମିଳିବା ପରେ ଅବରୋଧ ପ୍ରତ୍ୟାହୃତ ହୋଇଥିଲା।  ଚାଷୀ ନେତା ପ୍ରସାଦ ଦୋରା କହିଛନ୍ତି ସରକାର ଯଥେଷ୍ଟ ପରିମାଣର ସାର ଯୋଗାଉନାହାନ୍ତି। ଫ‌ଳରେ ଚାଷୀ ଚଢ଼ାଦରରେ ସାର କିଣୁଛନ୍ତି। ତୁରନ୍ତ ସରକାର ଏଦିଗରେ ପଦକ୍ଷେପ ନନେଲେ ପୁଣି ଥରେ ଚାଷୀ ରାଜରାସ୍ତାକୁ ଓହ୍ଲାଇବେ ବୋଲି ସେ ଚେତାବନୀ ଦେଇଛନ୍ତି।