କୃଷକ ସଂଗଠନ ବନାମ କେନ୍ଦ୍ର ସରକାର: ଲମ୍ବା ଲଢ଼େଇର ଅନ୍ତ

ଗଣତନ୍ତ୍ରର ବିଜୟ, ଅହଂକାରର ପରାଜୟ: କଂଗ୍ରେସ

ଭୁବନେଶ୍ବର : ଦେଶର କୋଟି କୋଟି କୃଷକ ଯେଉଁ ଆନ୍ଦୋଳନ ଜାରି ରଖିଥିଲେ, ତାହା ନ୍ୟାୟ ସଂଗତ ଓ କୃଷକ ବିରୋଧୀ ଥିଲା ବୋଲି ଏଥିରୁ ପ୍ରମାଣିତ ହୋଇଛି। ଏଥିରେ ଦେଶର କୃଷକ ଓ ଗଣତନ୍ତ୍ରର ବିଜୟ ହୋଇଥିବା ବେଳେ ସଂଖ୍ୟା ଓ ଅହଂକାରର ପରାଜୟ ବୋଲି କହିଛନ୍ତି ରାଜ୍ୟ କଂଗ୍ରେସ ପ୍ରଭାରୀ ଏ.ଚେଲାକୁମାର।

କୃଷି ଆଇନର ପ୍ରତ୍ୟାହାର ପରିପ୍ରେକ୍ଷୀରେ ଆଜି କଂଗ୍ରେସ ଭବନରେ କଂଗ୍ରେସ ନେତୃବୃନ୍ଦ ପରସ୍ପରକୁ ମିଠା ଖୁଆଇ ଶୁଭେଚ୍ଛା ଜଣାଇଛନ୍ତି। ପରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ଚେଲାକୁମାର କହିଲେ ଦୀର୍ଘ ୭ବର୍ଷ ଧରି ମୋଦୀ ସରକାର ବିମୁଦ୍ରୀକରଣଠାରୁ ଆରମ୍ଭ କରି ଜିଏସ୍‌ଟି କିମ୍ବା ରାଷ୍ଟ୍ରୀୟ ସଂପତ୍ତି ବିକ୍ରି କରିବାର ଯେଉଁସବୁ ନିଷ୍ପତ୍ତି ନେଇଛନ୍ତି ତାହା ଜନବିରୋଧୀ। ନିକଟରେ ଦେଶବ୍ୟାପୀ ଯେଉଁ ନିର୍ବାଚନ ହୋଇଥିଲା ଏଥିରେ କଂଗ୍ରେସ ଦଳର ସଫଳତା ଓ ବିଜେପିର ମୂଳପୋଛ ଆଜି କେନ୍ଦ୍ର ସରକାରଙ୍କୁ ନିଜ ଅହଂକାର ଓ ଦାମ୍ଭିକତାରୁ ହଟିବା ପାଇଁ ବାଧ୍ୟ କରିଛି। କଂଗ୍ରେସ ଯେତେ ଶକ୍ତିଶାଳନୀ ହେବ, ମୋଦୀ ସରକାର ସମସ୍ତ ନିୟମକୁ ପରିବର୍ତନ କରିବେ। କଂଗ୍ରେସ ଦଳ କୃଷକ ଆନ୍ଦୋଳନ ସହିତ ଜଡ଼ିତ ଥିଲା ଓ ଆଗକୁ ମଧ୍ୟ ରହିବ ବୋଲି ସେ କହିଥିଲେ।

ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଲେ କୃଷକ ଆନ୍ଦୋଳନରେ ଯେଉଁ ୭ଶହରୁ ଅଧିକ ଚାଷୀ ପ୍ରାଣ ହରାଇଛନ୍ତି। ଚାଷୀମାନଙ୍କୁ ଗାଡ଼ି ଚଢ଼ାଇ ମାରିବା ଓ ବିଭିନ୍ନ ଆତଙ୍କବାଦ ଆଇନ ବଳରେ ଯେଉଁ ମାମଲା ଦାୟର ହୋଇଛି, ସେଥିପାଇଁ ମୋଦୀ ସରକାର ଦାୟୀ ରହିବେ। ଆଜି ଯଦି ସରକାର ଆଇନକୁ ପ୍ରତ୍ୟାହାର ନିଷ୍ପତ୍ତି ନେଇପାରିଲେ, ତା’ହେଲେ କୃଷକମାନଙ୍କୁ କାହିଁକି ଆତଙ୍କବାଦୀ ବୋଲି ଚିତ୍ରଣ କରାଗଲା। ସେମାନଙ୍କୁ ଖଲିସ୍ଥାନୀ, ବିଦେଶରୁ ପର୍ଯ୍ୟାପ୍ତ ଚାନ୍ଦା ଆଣି ଦେଶ ବିରୋଧରେ ଷଡ଼ଯନ୍ତ୍ର କରାଯାଉଥିବା ଆଦି ମନ୍ତବ୍ୟର ମୋଦୀ ସରକାର ଓ ତାଙ୍କ ଦଳର ତୁଙ୍ଗ ନେତା କେବେ ଉତ୍ତର ରଖିବେ ବୋଲି ଶ୍ରୀ ପଟ୍ଟନାୟକ ପ୍ରଶ୍ନ କରିଛନ୍ତି। ସାମ୍ବାଦିକ ସମ୍ମିଳନୀରେ ଏଆଇସିସି ସଂପାଦକ ଜି.ରୁଦ୍ର ରାଜୁ, ପିସିସି ମିଡିଆ ସେଲର ଅଧ୍ୟକ୍ଷ ଗଣେଶ୍ବର ବେହେରା, ଯଜ୍ଞେଶ୍ବର ବାବୁ ଓ ସେବାଦଳର ଅଧ୍ୟକ୍ଷ ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର ପ୍ରମୁଖ ଉପସ୍ଥିତ ଥିଲେ।

କୃଷକଙ୍କ ଐତିହାସିକ ବିଜୟ: ଆଇଏନ୍‌ଟିୟୁସି
ଭୁବନେଶ୍ୱର : କୃଷି ଆଇନ ପ୍ରତ୍ୟାହାର କରାଯିବା, ଦେଶର କୃଷକମାନଙ୍କ ଏକ ଐତିହାସିକ ବିଜୟ। ବରିଷ୍ଠ କଂଗ୍ରେସ ନେତା ତଥା ରାଷ୍ଟ୍ରୀୟ ମଜଦୁର କଂଗ୍ରେସର ରାଜ୍ୟ ସଭାପତି ରାମଚନ୍ଦ୍ର ଖୁଣ୍ଟିଆ ଆଜି ଏକ ପ୍ରେସ୍‌ ବିବୃତିରେ ଏହା କହିଛନ୍ତି। ସେ କହିଛନ୍ତି ଯେ କେନ୍ଦ୍ର ସରକାର ଏକତରଫା କୃଷି ଆଇନ ପ୍ରଣୟନ କରିଥିଲେ। କିନ୍ତୁ ମିଳିତ କୃଷକ ଓ ଶ୍ରମିକ ଆନ୍ଦୋଳନ ଏବଂ ଜନସାଧାରଣଙ୍କ ଚାପରେ ବିଜେପି ସରକାର ମୁଣ୍ଡ ନୁଆଁଇଛନ୍ତି। ତେଣୁ କୃଷକଙ୍କ ଆନ୍ଦୋଳନ ସଫଳ ହୋଇଛି।

ପରାଜୟ ଭୟରେ କୃଷି ଆଇନ ପ୍ରତ୍ୟାହାର : ସମାଜବାଦୀ ପାର୍ଟି
ଭୁବନେଶ୍ୱର : ଆସନ୍ତା ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନରେ ବିଜେପିକୁ ଏବେଠୁ ହାରିବା ଭୟ ଘାରିଲାଣି। ସେହି ଭୟରେ ମୋଦୀ ସରକାର ୩ କଳା କୃଷି ଆଇନକୁ ପ୍ରତ୍ୟାହାର କରିନେଇଛନ୍ତି। ସମାଜବାଦୀ ପାର୍ଟି ଓଡ଼ିଶା ରାଜ୍ୟ କମିଟି ସଭାପତି ରବି ବେହେରା ଆଜି ଏକ ପ୍ରେସ୍ ବିବୃତ୍ତିରେ ଏହା କହିଛନ୍ତି। ‌ସେ କହିଛନ୍ତି ଯେ ଆସନ୍ତା ବର୍ଷ ୫ଟି ରାଜ୍ୟର ନିର୍ବାଚନ, ବିଶେଷତଃ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନରେ ପରାଜିତ ହେବାର ଆଶଙ୍କା କେନ୍ଦ୍ର ସରକାରଙ୍କୁ ବିଚଳିତ କରିଛି। ତେଣୁ ମୋଦୀ ସରକାର ବାଧ୍ୟ ହୋଇ କୃଷି ଆଇନ ପ୍ରତ୍ୟାହାର କରିନେଇଛନ୍ତି।

ସମ୍ବନ୍ଧିତ ଖବର