ବିହନ ଛିନା ପର୍ବ: କାଦୁଅ ବୋଳା ପର୍ବରେ ଭାଗନେଲେ ଚାଷୀ

ଚନ୍ଦାହାଣ୍ଡି: ନବରଂଗପୁର ଜିଲ୍ଲା ଚନ୍ଦାହାଣ୍ଡି ପାନାବେଡା ଅଞ୍ଚଳର ଅନ୍ୟତମ ପ୍ରମୂଖ ଉତ୍ସବ ବିହନ ଛିନା ପର୍ବ। ଚାଷୀମାନଙ୍କର ଏହି ପର୍ବ ବୁଧବାର ବିଭିନ୍ନ ଗ୍ରାମରେ ଉତ୍ସାହର ସହିତ ଅନୁଷ୍ଠିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ଚନ୍ଦାହାଣ୍ଡି ବ୍ଲକ ଅଧିନସ୍ଥ ବିଭିନ୍ନ ଗ୍ରାମ ଠାରେ ପାରମ୍ପରିକ ରିତିନୀତିରେ ବିହନଛିନା ଯାତ୍ରା ଏବଂ କାଦୁଅ ବୋଳା କାର୍ଯ୍ୟକ୍ରମ ଆୟୋଯିତ ହୋଇଯାଇଛି। ଏଥିରେ ସମସ୍ତ ଗ୍ରାମରେ ଶତାଧିକ ଚାଷୀ ଭାଗନେଇଥିବାରୁ ଅଂଚଳ ଉତ୍ସବ ମୁଖର ହୋଇଉଠିଥିଲା। ଏହି ଉତ୍ସବ କାହିଁ ପ୍ରାଚୀନ କାଳରୁ ଚଳି ଆସୁଥିବା ବେଳେ କାଦୁଅ ବୋଳା ଯାତ୍ରାର ପରଦିନ ଠାରୁ ଚାଷ କାର୍ଯ୍ୟ ଆରମ୍ଭ ହୋଇଥାଏ ବୋଲି ବରିଷ୍ଠ ଚାଷୀ ସନ୍ତୋଷ ମାଝୀ ପ୍ରକାଶ କରିଛନ୍ତି।

ଦଳବେଡା ଗ୍ରାମ୍ୟ ଦେବୀ ପୂଜକ ଧନିଷ୍ଠ ପୁଜାରୀଙ୍କ କହିବା ଅନୁସାରେ ଗତ ସପ୍ତାହ ଠାରୁ ଯାତ୍ରା ପାଳନ ନିମନ୍ତେ ପ୍ରସ୍ତୁତି ଆରମ୍ଭ ହୋଇଥିଲା। ଏଥିରେ ବିହନ ପ୍ରଦାନ ବ୍ୟବସ୍ଥା, ଦେବାଦେବୀ ପୂଜା ଓ ବଳୀ ସଂପର୍କରେ ଆଲୋଚନା କରାଯାଇ ଲଗ୍ନ ଧାର୍ଯ୍ୟ କରାଯାଇଥିଲା। ଧାର୍ଯ୍ୟ ସୂଚୀ ଅନୁସାରେ ପ୍ରଥମ ଦିନ ପିତା ବିହନ ନାମରେ ପୂଜା କରାଯାଇ ଆଂଶିକ ବିହନ ଗ୍ରହଣ କରାଯାଇଥିବା ବେଳେ ଆଜି ପୂର୍ଣ୍ଣାଙ୍ଗ ଯାତ୍ରା ଅନୁଷ୍ଠିତ ହୋଇଥିଲା। ଗ୍ରାମ୍ୟ ପୂଜକ ଦଳବେଡା ଗ୍ରାମର ୩୭୫ ପରିବାରକୁ ବିହନ ପ୍ରଦାନ କରିଥିଲେ। ଗ୍ରାମ୍ୟ ଦେବୀ ପୂଜକଙ୍କ ଘରୁ ପୂଜା ସାମଗ୍ରୀ ନିଆଯାଇ ବିହନ ପ୍ରଦାନ ସ୍ଥଳରେ ରଖାଯାଇ ପୂଜା କରାଯିବା ସହ ବଳି ଦିଆଯାଇଥିଲା। ପରେ ବିହନ ଗ୍ରହଣ ପର୍ବ ସହ ଦେବୀ ସବକ (ନରିଆ) ବିହନ ଗ୍ରହଣ କରିଥିବା ଚାଷୀମାନଙ୍କୁ ବାଟ ଉଗାଳିବା ସହ ସେମାନଙ୍କ ପିଠିରେ କାଦୁଅ ବୋଳିଥିଲେ।

ବିହନ ଧରି ଘରେ ଫେରିବା ବେଳେ ସମସ୍ତ ଚାଷମାନେ ଏକତ୍ରୀତ ହୋଇ ବାଜା ବଜେଇ ପୂଜକଙ୍କୁ କାନ୍ଧରେ ବୋହି ତାଙ୍କ ଘରକୁ ପହଂଚେଇ ଥାନ୍ତି। ଏହା ପରେ ଚାଷୀମାନେ ନିଜ ଘରକୁ ବିହନ ଧରି ପହଞ୍ଚିବା ପରେ ନିଜ ଘରର ସ୍ତ୍ରୀ ଲୋକମାନେ ବନ୍ଧା ପଣା ଦେଇ ପାଛୋଟି ନେଇଥାନ୍ତି। ଦଳବେଡା ଗ୍ରାମରେ ଆଜି ଏହି ବିହନ ଛିନା ଯାତ୍ରା ଆନନ୍ଦ ଉଲ୍ଲାସରେ ପାଳନ ହୋଇଥିବା ଚାଷୀମାନେ ପ୍ରକାଶ କରିଛନ୍ତି। ଏହି ଯାତ୍ରାରେ ରାମେଶ୍ୱର ମାଝୀ, ଖଗେଶ୍ବର ମାଝୀ, ମାଧବ ଧୁରୁଆ, ନାୟକୁ ମାଝୀ, ତରାଚନ ମାଝୀ, ମଙ୍ଗଳ ନାୟକ, ଲାଲୁ ମାଝୀ, ଜଗନ୍ନାଥ ଗୌଡ଼, ଭୁବନେଶ୍ୱର ପୂଜାରୀ, ଘନ ମାଝୀ, ନର୍ସିଂ ମାଝୀ ଗୁନ୍ଧର ମାଝୀ, ଘନଶ୍ୟାମ ନାୟକ, ଅପିନ୍ଦର ମାଝୀ, ଭୋଳାନାଥ ବେଶ୍ରା ସହଯୋଗ କରିଥିଲେ।

ସମ୍ବନ୍ଧିତ ଖବର