ବିଜେପି ପକ୍ଷରୁ ଚାଷୀଙ୍କ ଶକ୍ତି ପ୍ରଦର୍ଶନ; ହଳ, ଲଙ୍ଗଳ, ଟ୍ରାକ୍ଟର ଧରି ବୁଲିଲେ

ଭୁବନେଶ୍ବର : ଚାଷ ଓ ଚାଷୀଙ୍କ ପ୍ରସଙ୍ଗକୁ ନେଇ ବିଜେପି ଗତ ୧୫ଦିନ ହେବ ଲୋୟର୍‌ ପିଏମ୍‌ଜିରେ ସତ୍ୟାଗ୍ରହ ଚଳାଇଥିଲେ। ଶୁକ୍ରବାର ଦିନ ଦଳ ପକ୍ଷରୁ ରାଜଧାନୀରେ ବିଶାଳ ଚାଷୀ ସମାବେଶ ଆୟୋଜନ କରାଯାଇ ଶକ୍ତି ପ୍ରଦର୍ଶନ କରାଯାଇଥିଲା। ଟ୍ରାକ୍ଟର୍‌, ଶଗଡ଼, ହଳ-ଲଙ୍ଗଳ ଧରି ଚାଷୀମାନେ ଅଭିନବ ପ୍ରତିବାଦ କରିଥିଲେ। ରାଜ୍ୟ ସରକାରଙ୍କ ବିରୋଧୀ ସ୍ଲୋଗାନ୍‌ ଦେଇ ହଜାର ହଜାର ଚାଷୀ ରାଜ୍ୟ କାର୍ଯ୍ୟାଳୟରୁ ଏକ ଶୋଭାଯାତ୍ରାରେ ବାହାରି ବିଧାନସଭା ଅଭିମୁଖେ ଯାଇଥିଲେ। ପରେ ଲୋୟର ପିଏମ୍‌ଜିଠାରେ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା। ଏଥିରେ ବି‌ଜେପି ନେତାମାନେ ସରକାରଙ୍କ ଚାଷ ଓ ଚାଷୀ ମାରଣ ନୀତିକୁ ତୀବ୍ର ସମାଲୋଚନା କରିଥିଲେ।

ଏଥିରେ ଯୋଗ ଦେଇ ବିଜେପିର ବରିଷ୍ଠ ବିଧାୟକ ମୋହନ ମାଝୀ କହିଲେ ଯେ ଓଡ଼ିଶାର ସାଢେ଼ ୪କୋଟି ଓଡ଼ିଆଙ୍କ ଦୁଃଖ, ସମସ୍ୟାକୁ ଆଲୋଚନା ନକରି ମୁଖ୍ୟମନ୍ତ୍ରୀ, କୃଷିମନ୍ତ୍ରୀ, ସମବାୟ ମନ୍ତ୍ରୀ ଓ ଅର୍ଥମନ୍ତ୍ରୀ ପଦ୍ମପୁର ଉପନିର୍ବାଚନ ପ୍ରଚାରରେ ଲାଗିବା ଲଜ୍ଜା ଓ ପରିତାପର ବିଷୟ। ସେହିପରି ମୁଖ୍ୟମନ୍ତ୍ରୀ ପଦ୍ମପୁର ଉପନିର୍ବାଚନରେ ଜିତିବା ଲାଗି ଚାଷୀଙ୍କୁ ୨୦୦କୋଟି ଟଙ୍କା ଇନ୍‌ପୁଟ ସବସିଡି ଦେବାକୁ ଘୋଷଣା କରିଥିଲେ। ବାସ୍ତବରେ ମୁଖ୍ୟମନ୍ତ୍ରୀ ୨୦୦କୋଟି ଟଙ୍କା କେଉଁ ଚାଷୀଙ୍କୁ ଦେବେ ଓ କେଉଁ ଆଧାରରେ ଦେବେ ଓ କେତେ ଚାଷୀ ପାଇବେ, ତା’ର ତାଲିକା ସାର୍ବଜନୀନ କରିବାକୁ ଶ୍ରୀ ମାଝି ଦାବି କରିଥିଲେ। ସାଧାରଣ ନିର୍ବାଚନ ଆସିଲେ ନୂଆ ଯୋଜନା ଘୋଷଣା କରାଯାଏ। କିନ୍ତୁ ବାସ୍ତବରେ ନିର୍ବାଚନ ସରିଲେ ତାହା କରାଯାଏ ନାହିଁ। ସରକାରଙ୍କ ଦୋମୁହାଁ ନୀତି ଓ ଚାଷୀ ବିରୋଧୀ ନୀତିକୁ ରାଜ୍ୟବାସୀ କ୍ଷମା ଦେବେ ନାହିଁ ବୋଲି ଶ୍ରୀ ମାଝି କହିଥିଲେ।

କାର୍ଯ୍ୟକ୍ରମରେ ବିଧାୟକ ଭାସ୍କର ମଢ଼େଇ, ଜୟନ୍ତ ଷଡ଼ଙ୍ଗୀ, ସୁକାନ୍ତ ନାୟକ, ସନାତନ ବିଜୁଳି, ନବଚରଣ ମାଝି ପ୍ରମୁଖ ଯୋଗଦେଇ କହିଲେ, ଚାଷୀ ସମ୍ମୁଖୀନ ହେଉଥିବା ଧାନମଣ୍ଡି, ଏମ୍‌ଏସ୍‌ପି, ଇନ୍‌ପୁଟ ସବ୍‌ସିଡି, ସାର ଓ ବିହନ, ଫସଲବୀମା ସମସ୍ୟାର ସମାଧାନର ରାସ୍ତା ରାଜ୍ୟ ସରକାର କରିନାହାନ୍ତି। ତେଣୁ ରାଜ୍ୟର ଚାଷୀମାନଙ୍କର ସମସ୍ୟାର ସମାଧାନ ନହେବା ଯାଏ ମିଥ୍ୟାବାଦୀ ଓ ଚାଷୀ ବିରୋଧୀ ସରକାର ବିରୋଧରେ ଆନ୍ଦୋଳନକୁ ଜୋରଦାର କରାଯିବ। ବିଜେପି ରାଜ୍ୟ ଉପସଭାପତି ଭୃଗୁ ବକ୍ସିପାତ୍ର କହିଲେ, ବିଜେପି ପକ୍ଷରୁ ୧୫ ଦିନ ହେଲା ଚାଷ ପ୍ରସଙ୍ଗରେ ସତ୍ୟାଗ୍ରହ ଚାଲିଥିଲା। ମାତ୍ର ମୁଖ୍ୟମନ୍ତ୍ରୀ କିମ୍ବା ତାଙ୍କର ମନ୍ତ୍ରୀ ପରିଷଦର କେହି ହେଲେ ଏହି ପ୍ରସଙ୍ଗରେ ବିରୋଧୀ ଦଳ ସହ ଆଲୋଚନା କଲେ ନାହିଁ। ଚାଷୀଙ୍କ ପ୍ରତି ସରକାରଙ୍କ କି’ ପ୍ରକାର ଭାବନା ରହିଛି, ଏଇ କଥାରୁ ସ୍ପଷ୍ଟ ଜଣାପଡ଼ୁଛି। ବିଧାନସଭା ଆସୁ ନଥିବା ମୁଖ୍ୟମନ୍ତ୍ରୀ ପଦ୍ମପୁରରେ ନିର୍ବାଚନୀ ସଭା କରି କୃଷି ଓ କୃଷକ ପ୍ରସଙ୍ଗକୁ ପ୍ରତ୍ୟାଖାନ କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ।

ଆଜିର ଏହି ବିକ୍ଷୋଭରେ ରାଜ୍ୟ ସାଧାରଣ ସଂପାଦିକା ଲେଖାଶ୍ରୀ ସାମନ୍ତସିଂହାର, ରାଜ୍ୟ ଉପସଭାନେତ୍ରୀ ଅନିତା ଶୁଭଦର୍ଶିନୀ ପଟ୍ଟନାୟକ, ନୟନ କିଶୋର ମହାନ୍ତି, ସାରଦା ପ୍ରଧାନ, ରାଜ୍ୟ ସଂପାଦକ ଅମର ନାୟକ, ପିଙ୍କି ପ୍ରଧାନ, ଗଣମାଧ୍ୟମ ମୁଖ୍ୟ ଦିଲୀପ ମଲ୍ଲିକ, ପୁରୀ ଜିଲ୍ଲା ସଭାପତି ଆଶ୍ରିତ ପଟ୍ଟନାୟକ ଓ ଭୁବନେଶ୍ୱର ଜିଲ୍ଲା ସଭାପତି ବାବୁ ସିଂହ ପ୍ରମୁଖ ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର