ଝାରବନ୍ଧ : ବିଭିନ୍ନ ଦାବି ନେଇ ବର୍ତ୍ତମାନ ଚାଷୀମାନେ କେତେକ ସ୍ଥାନରେ ଆନ୍ଦୋଳନ ଜାରି ରଖିଥିବା ବେଳେ ଗୁରୁବାର ଦିନ ଝାରବନ୍ଧ ବ୍ଲକ ଡଭାଠାରେ ଚାଲିଥିବା ଆନ୍ଦୋଳନରେ ପ୍ରଶାସନ ମୁଣ୍ଡ ନୂଆଁଇବାକୁ ବାଧ୍ୟ ହୋଇଛି। ଚାଷୀମାନଙ୍କ ପ୍ରମୁଖ ଦାବିଗୁଡ଼ିକ ମଧ୍ୟରେ ବୀମା ରାଶି ପ୍ରଦାନ, ଧାନ ବିକ୍ରୟ ଓ ପ୍ୟାକ୍ସ ନିର୍ବାଚନରେ ସଦସ୍ୟ ନେଇଥିବା ସମସ୍ତ ଚାଷୀଙ୍କୁ ଭୋଟ ଦେବାର ଅଧିକାର ଦାବିରେ ଆନ୍ଦୋଳନ ହୋଇଥିଲା। ଏଥିମଧ୍ୟରୁ କେତୋଟି ଦାବି ପୂରଣ ପାଇଁ ପ୍ରଶାସନ ଏକମତ ହୋଇଛି।
ଝାରବନ୍ଧ ଚାଷୀ ସଂଗଠନର ପ୍ରମୁଖ ଚାଷୀ ନେତା ଭୁବନାନନ୍ଦ ନାୟକ, ଲଳିତ ନାୟକ, ଭଜନ ସାଗର, ଅଶୋକ ସାହୁ, ଡୋଳାମଣୀ ଚୌଧୁରୀ, ସନ୍ତୋଷ ବେହେରା, ଅବଧୂତ ଜଗତ ପ୍ରମୁଖଙ୍କ ନେତୃତ୍ବରେ ଚାଷୀମାନେ ଝାରବନ୍ଧ, ଡଭା, ଲଉଡ଼ିଦର୍ହା ପ୍ୟାକ୍ସକୁ ତାଲା ଦେବା ପରେ ଡଭା ସାପ୍ତାହିକ ବଜାରଠାରେ ଧାନବସ୍ତା ପକାଇ ରାସ୍ତା ବନ୍ଦ କରିଥିଲେ। ଯଦ୍ୱାରା ଡଭା-ଝାରବନ୍ଧ, ଡଭା-ଜଗଦଲପୁର, ଡଭା-ନୂଆପଡ଼ା ଓ ଡଭା-ଛତିଶଗଡ଼ ରାସ୍ତା ସମ୍ପୂର୍ଣ୍ଣ ଭାବେ ପ୍ରଭାବିତ ହୋଇଥିଲା। ପରେ ଆନ୍ଦୋଳନ ସ୍ଥଳକୁ ତହସିଲଦାର ସୀମା ସବିତା କୁଲୁ, ଏଆର୍ସିଏସ୍ ପତଞ୍ଜଳୀ ମିଶ୍ର, ଏସିଏସ୍ଓ ସନ୍ତୋଷ ପ୍ରଧାନ, ବ୍ଲକ ଯୋଗାଣ ଅଧିକାରୀ ରଶ୍ମୀରଞ୍ଜନ ଘଡ଼ାଇ, ପଦ୍ମପୁର ଏସ୍ଡିପିଓ ବିଭୂତି ଭୂଷଣ ଭୋଇ ପହଞ୍ଚି ଚାଷୀମାନଙ୍କ ସହିତ ଆଲୋଚନା କରିଥିଲେ।
/sambad/media/post_attachments/wp-content/uploads/2022/06/dhana2-300x272.jpg)
ଡଭା ପ୍ୟାକ୍ସ ଅଧୀନସ୍ଥ ଧାନ ବିକ୍ରୟ ପାଇଁ ପଞ୍ଜୀକୃତ ହୋଇଥିବା ୭୯୫ ଜଣ ମଧ୍ୟରୁ ୨୮୫ ଜଣ ଚାଷୀଙ୍କ ବର୍ତ୍ତମାନ ସୁଦ୍ଧା ଧାନ କାର୍ଡ ଆସୁନଥିବାରୁ ଧାନ ବିକ୍ରୟ ପାଇଁ ବଞ୍ଚିତ ହେଉଥିବା ପ୍ରସଙ୍ଗ ଉପସ୍ଥାପନ ପରେ ଉକ୍ତ ଚାଷୀଙ୍କ ଧାନକୁ ସଙ୍ଗେ ସଙ୍ଗେ ଉଠାଇବାକୁ ଯୋଗାଣ ବିଭାଗ ପ୍ରକାଶ କରିଥିଲେ। ଏହା ସହିତ ବୀମା ଟଙ୍କା ଆସନ୍ତା ୨୫ ତାରିଖ ସୁଦ୍ଧା ପ୍ରକୃତ ଚାଷୀଙ୍କ ଖାତାରେ ଦିଆଯିବ ବୋଲି କହିଥିଲେ। ପ୍ୟାକ୍ସ ନିର୍ବାଚନ ପ୍ରସଙ୍ଗରେ ସମସ୍ୟା ବିଷୟ ସରକାରଙ୍କ ଅବଗତ କରାଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ଆନ୍ଦୋଳନ ପ୍ରତ୍ୟାହାର ହୋଇଥିଲା। ହେଲେ ଏହାର ବ୍ୟତିକ୍ରମ ହେଲେ ୨୬ରୁ ପୁଣି ଆନ୍ଦୋଳନକୁ ତୀବ୍ର କରାଯିବ ବୋଲି ଚାଷୀ ସଂଗଠନ ତରଫରୁ ଚେତାବନୀ ଦିଆଯାଇଛି। ଆଜି ଆନ୍ଦୋଳନକୁ ପ୍ରତ୍ୟକ୍ଷ ଭାବରେ ଜିଲ୍ଲାସ୍ତରୀୟ ଚାଷୀ ନେତା ରମେଶ ମହାପାତ୍ର ଯୋଗଦେଇ ସମର୍ଥନ ଜଣାଇ ଆଲୋଚନାରେ ଭାଗ ନେଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/06/dhana.jpg)