ନୂଆପଡ଼ା : କୁଲିଆବନ୍ଧା ପେକ୍ସରେ ସାର ଅଭାବ ହେବାରୁ ସୋମବାର ଚାଷୀଙ୍କ ମଧ୍ୟରେ ଉତ୍ତେଜନା ଦେଖାଦେଇଥିଲେ। ପରେ ପେକ୍ସରେ ତାଲା ମାରି ଚାଷୀମାନେ ଧାରଣାରେ ବସିଥିଲେ। କିଛି ସମୟ ପରେ ଅଧିକାରୀମାନେ ଆସି ଚାଷୀଙ୍କ ସହ ଆଲୋଚନା କରି ସାର ଦେବାକୁ ପ୍ରତିଶ୍ରୁତି ଦେବାରୁ ଅଧିକାରୀଙ୍କୁ ଛଡ଼ାଯାଇଛି।

Advertisment

କୁଲିଆବନ୍ଧ ପଞ୍ଚାୟତରେ ୫ଟି ଗ୍ରାମରେ ଶତାଧିକ ଚାଷୀ ଖରିଫ ଚାଷ କରିଛନ୍ତି। ଏହି ପେକ୍ସକୁ ପ୍ରତି ବର୍ଷ ୫ହଜାର ବସ୍ତା ସାର ଦିଆଯିବା କଥା, ଚଳିତ ବର୍ଷ ଚାଷୀଙ୍କ ପାଇଁ ମାତ୍ର ଏକ ହଜାର ବସ୍ତା ସା‌ର ଆସିଥିଲା। ଏନେଇ ବାରମ୍ବାର ପେକ୍ସ ଓ କୃଷି ବିଭାଗକୁ ଜଣାଇଥିଲେ ମଧ୍ୟ କିଛି ଫଳ ମିଳି ନଥିଲା। ବାଧ୍ୟ ହୋଇ ଚାଷୀମାନେ ସୋମବାର ସକାଳ ୧୦ ଟାରୁ ଧାରଣାରେ ବସିଥିଲେ। ସୂଚନା ପାଇ ଅତିରିକ୍ତ ତହସିଲଦାର ଅଶେଷା ବାଗ, ବେଲଟୁକରୀ ଥାନା ଅଧିକାରୀ ପହଞ୍ଚି ଚାଷୀଙ୍କ ସହ ଆଲୋଚନା କରିଥିଲେ। ପରେ ଘଟଣାସ୍ଥଳକୁ ନୂଆପଡ଼ା ଏଆର୍‌ସିଏସ୍‌ ଗିରିଜା ଶଙ୍କର ପୁରୋହିତ, ଅତିରିକ୍ତ କୃଷି ଅଧିକାରୀ ସୁଧାଂଶୁ ସାହୁ ଆସିଥିଲେ। ଚାଷୀମାନେ ୨ ଅଧିକାରୀଙ୍କୁ ତଳେ ବସାଇ ଆଲୋଚନା କରିଥିଲେ। ପ୍ରାୟ ଏକ ଘଣ୍ଟା ଧରି ଆଲୋଚନା ହୋଇଥିଲା। ମଙ୍ଗଳବାର କୁଲିଆବନ୍ଧା ପେକ୍ସକୁ ୧୫ଶହ ବସ୍ତା ସାର ପହଞ୍ଚିବ ବୋଲି ପ୍ରତିଶ୍ରୁତ ମିଳିବା ପରେ ଧାରଣାରୁ ଉଠିଥିଲେ। ଚାଷୀ କେଜୁରାମ ଚନ୍ଦ୍ରକ‌ାର, ରାମଗୁଲା ସାହୁ, ମନୁଲାଲ ଚନ୍ଦ୍ରକାର, ଗୋପାଳ ସାହୁ, ଅମରଚନ ଚନ୍ଦ୍ରକାର, ବାଲେଶ୍ବର ସାହୁ, ଗୋପାଳ ମାଝୀ, ହେମଲାଲ ସାହୁ ୫ଟି ଗ୍ରାମର ଶତାଧିକ ଚାଷୀ ଉପସ୍ଥିତ ଥିଲେ।