ତୃତୀୟ ଦିନରେ ଚାଷୀ ଆନ୍ଦୋଳନ

ଅତାବିରା : ଟୋକନ୍‌ ସମସ୍ୟା ଏବଂ ଧାନ ବିକ୍ରି ନ ହୋଇ ପଡ଼ିଥିବା ପ୍ରତିବାଦରେ ଓଡ଼ିଶା ରାଜ୍ୟ କୃଷକ ସଂଗଠନ ପକ୍ଷରୁ ବରଗଡ଼ ଜିଲ୍ଲା ଅତାବିରା ଠାରେ ଚାଲିଥିବା ଆନ୍ଦୋଳନ ତୃତୀୟ ଦିନରେ ପହଂଚିଛି। ପ୍ରଶାସନ ଖାତିର କରୁନଥିବାରୁ ଆନ୍ଦୋଳନକୁ ଆହୁରି ତୀବ୍ର କରିବା ପାଇଁ ଓକିଲ ସଂଘର ପ୍ରସ୍ତାବକ୍ରମେ ଶନିବାର ଅତାବିରା ବନ୍ଦ ଡାକରା ଦିଆଯାଇଛି। ସକାଳ ୬ଟାରୁ ସଂଧ୍ୟା ୬ଟା ପର୍ଯ୍ୟନ୍ତ ସମସ୍ତ ଦୋକାନ ବଜାର, ବ୍ୟାଙ୍କ, ସରକାରୀ ଅଫିସ ବନ୍ଦ ରହିବ ବୋଲି କୁହାଯାଇଛି।

ଟୋକନ୍‌ ପୁନଃ ଜାରି କରି ଧାନ କିଣିବା ଦାବିରେ ବୁଧବାର ଦିନ ତହସିଲ, ବ୍ଳକ ଅଫିସ, ବ୍ଳକ କୃଷି କାର୍ଯ୍ୟାଳୟ, ଏନ୍ଏସି, ଆର୍‌ଆଇ ଅଫିସରେ ଚାଷୀମାନେ ଧାନ ଗଦା କରି ତାଲା ପକାଇଥିଲେ। ଗୁରୁବାର ସମନ୍ବିତ ଶିଶୁ ବିକାଶ ପ୍ରକଳ୍ପ କାର୍ଯ୍ୟାଳୟ ଓ ଲାଦରପାଲିରେ ଥିବା ସବ୍-ରେଜିଷ୍ଟାର ଅଫିସ ମଧ୍ୟ ତାଲା ମାରିଥିଲେ। ଉପଜିଲ୍ଲାପାଳଙ୍କ ସମେତ ଅନ୍ୟ ପ୍ରଶାସନିକ ଅଧିକାରୀ ଧାରଣାରତ ଚାଷୀଙ୍କ ସହ ଆଲୋଚନା ପାଇଁ ଆସିଥିଲେ। ତେବେ, କୌଣସି ସମାଧାନର ବାଟ ବାହାରି ନଥିଲା। ସ୍ବେଚ୍ଛାସେବୀ ସଂସ୍ଥା ‘ଆମ ସହର, ଦାୟିତ୍ବ ଆମର, ବରିଷ୍ଠ ନାଗରିକ ସଂଘ ଚାଷୀ ଆନ୍ଦୋଳନକୁ ସଂପୂର୍ଣ୍ଣ ସମର୍ଥନ ଜଣାଇଛନ୍ତି। ସଂଧ୍ୟାରେ ପୁଣି ପ୍ରଶାସନିକ ଅଧିକାରୀମାନେ ଚାଷୀନେତା ବୀରେନ୍ଦ୍ର କର, ସୁବାସ ବିଶ୍ବାଳ, କସ୍ତୁଭ ପ୍ରଧାନ, ଟିକେଲାଲ ମିଶ୍ର, ସୁରେନ୍ଦ୍ର ସ୍ବାଇଁ ଏବଂ ଭୀଷ୍ମଦେବ ପଣ୍ଡାଙ୍କ ସହ ଆଲୋଚନା କରିଥିଲେ। କିନ୍ତୁ ଏଥିରୁ କିଛି ଫଳାଫଳ ବାହାରି ନଥିଲା।

ସମ୍ବନ୍ଧିତ ଖବର