ବୀମା ଟଙ୍କା ଦାବିରେ ଶକ୍ତି ଦେଖାଇଲେ ଚାଷୀ: ପଦ୍ମପୁର ଉପଖଣ୍ଡ ସଂପୂର୍ଣ୍ଣ ବନ୍ଦ, ବରଗଡ଼ରେ ରେଳରୋକ

ବରଗଡ଼ : ବୀମା କମ୍ପାନିର ପ୍ରତାରଣା, ପ୍ରଶାସନର ନିଷ୍କ୍ରିୟତା ଏବଂ ସରକାରୀ ଉଦାସୀନତା। ଏସବୁ ଭିତରେ ଛନ୍ଦି ହୋଇଛି ବରଗଡ଼ ଜିଲ୍ଲାର ଚାଷୀ। ଧୈର୍ଯ୍ୟ ଭାଙ୍ଗିବା ପରେ ଜିଲ୍ଲାର ଚାଷୀମାନେ ବାଧ୍ୟହୋଇ ସେମାନଙ୍କ ମିଳିତ ଶକ୍ତି ଦେଖାଇଛନ୍ତି। ସୋମବାର ଦିନ ବୀମା ଟଙ୍କା ଦାବିରେ ରାଜବୋଡ଼ାସମ୍ବର କୃଷକ ସଂଗଠନର ନେତୃତ୍ବରେ ପଦ୍ମପୁର ଉପଖଣ୍ଡକୁ ସଂପୂର୍ଣ୍ଣ ଅଚଳ କରି ଦେଇଛନ୍ତି।

ସୂଚନା ଅନୁସାରେ; ଉପଖଣ୍ଡର ସମସ୍ତ ଅଫିସ୍‌, ରାସ୍ତା, ଦୋକାନ ବଜାର ବନ୍ଦ ରହିଥିଲା। ରାଜରାସ୍ତାକୁ ମଧ୍ୟ ଚାଷୀମାନେ ନିଜ ଅକ୍ତିଆରକୁ ନେଇଥିଲେ। ଏପରିକି ବିଭିନ୍ନ ବ୍ଲକ୍‌କୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତା ମଧ୍ୟ ଚାଷୀମାନେ ବନ୍ଦ ରଖିଥିଲେ। ବିଭିନ୍ନ ଚାଷୀ ସଂଗଠନ, ରାଜନୈତିକ ଦଳ ଏବଂ ସାମାଜିକ ଅନୁଷ୍ଠାନ ସଂପୂର୍ଣ୍ଣ ସମର୍ଥନ କରିଥିବାରୁ ଚାଷୀମାନଙ୍କ ଏହି ଆନ୍ଦୋଳନ ବ୍ୟାପକ ରୂପ ଧାରଣ କରିଥିଲା। ବରଗଡ଼ରେ ଚାଷୀ ସଂଗଠନ ସମନ୍ବୟ ସମିତିର କର୍ମକର୍ତ୍ତା ସକାଳ ୧୦ରୁ ୧୨ଟା ଯାଏଁ ରେଳରୋକ୍‌ କରିଥିଲେ। ଫଳରେ, ଯାତ୍ରୀବାହୀ ଏବଂ ମାଲ୍‌ଗାଡ଼ି ଚଳାଚଳ ସମ୍ପୂର୍ଣ୍ଣ ଭାବେ ବାଧାପ୍ରାପ୍ତ ହୋଇଥିଲା। ଅନ୍ୟପକ୍ଷରେ, ଆନ୍ଦୋଳନକୁ ସମର୍ଥନ ଜଣାଇ ପଦ୍ମପୁର ଉପଖଣ୍ଡ ଅନ୍ତର୍ଗତ ପାଇକମାଳ, ଝାରବନ୍ଧ, ପଦ୍ମପୁର, ବିଜେପୁର, ଗାଇସିଲାଟ୍‌ ଏବଂ ସୋହେଲା ବ୍ଲକ୍‌ରେ ଜୋର୍‌ଦାର୍‌ ଆନ୍ଦୋଳନ ହୋଇଥିଲା। ସେହିଭଳି; ଭଟଲି, ଅମ୍ବାଭୋନା, ଅତାବିରା ବ୍ଲକ୍‌ରେ ବିଭିନ୍ନ ଚାଷୀ ସଂଗଠନମାନେ ତହସିଲ ଅଫିସ୍‌ ଘେରାଉ କରିଥିଲେ। ବୀମା ଟଙ୍କା ନମିଳିବା ଯାଏଁ ପଦ୍ମପୁର ଉପଖଣ୍ଡର ସମସ୍ତ ଅଫିସ୍‌ ବନ୍ଦ ରଖାଯିବ ବୋଲି ଆନ୍ଦୋଳନକାରୀ ଚାଷୀ ଚେତାବନୀ ଦେଇଛନ୍ତି।

ସୂଚନାଯୋଗ୍ୟ, ଗତ ୨୦୨୧ ଖରିଫ ଋତୁରେ ଭୟଙ୍କର ମରୁଡ଼ି ସତ୍ତ୍ବେ ଏଚ୍‌ଡିଏଫ୍‌ସି ଏଗ୍ରୋ କମ୍ପାନି ବିଭିନ୍ନ ଆଳ ଦେଖାଇ ଚାଷୀଙ୍କୁ ବୀମା ଟଙ୍କା ଦେଇନାହିଁ। ‌ଯେଉଁ ଚାଷୀଙ୍କୁ କମ୍ପାନି ବୀମା ରାଶି ଦେଇଛି, କ୍ରପ୍‌ କଟିଂ ପରିସଂଖ୍ୟାନ ତୁଳନାରେ ତାହା ଢେର୍‌ କମ୍‌। ଖରିଫ ୨୦୨୧ର ଫସଲ ବୀମା ଓ ମରୁଡ଼ି ସହାୟତା ରାଶି ପ୍ରଦାନ ଦାବି ନେଇ ଚାଷୀମାନେ ବାରମ୍ବାର ଲମ୍ବା ଆନ୍ଦୋଳନ ସହ ସରକାରୀ ଦପ୍ତରଗୁଡ଼ିକରେ ତାଲାବନ୍ଦ କରିଥିଲେ। ପ୍ରଶାସନ ଓ ବୀମା କମ୍ପାନିର ତୁହାକୁ ତୁହା ଆଲୋଚନା ପରେ ବି ସମାଧାନର ବାଟ ନ ବାହାରିବାରୁ ଶେଷରେ ଚାଷୀମାନେ ଲମ୍ବା ଆନ୍ଦୋଳନ ପାଇଁ ପ୍ରସ୍ତୁତି କରିଛନ୍ତି।

ସମ୍ବନ୍ଧିତ ଖବର