୫ ଘଣ୍ଟା ତହସିଲ ଅଫିସ୍‌ ଘେରିଲେ ଚାଷୀ

ଭେଡ଼େନ/ଥୁଆପାଲି/ରେମଣ୍ଡା : ଭେଡ଼େନ ବ୍ଲକ କୃଷକ ସଙ୍ଗଠନ ପକ୍ଷରୁ ଗୁରୁବାର ୫ ଘଣ୍ଟା ଧରି ତହସିଲ ଅଫିସ୍‌ରେ ତାଲା ମାରିବା ସହ ଘେରାଉ କରାଯାଇଥିଲା। ପ୍ରଥମେ ଭେଡେନ ସିଦ୍ଧେଶ୍ବର ମନ୍ଦିର ପ୍ରାଙ୍ଗଣରେ ଚାଷୀ ଏକାଠି ହୋଇଥିଲେ। ସେଠାରୁ ଏକ ବିଶାଳ ରାଲିରେ ତହସିଲ ଅଫିସ୍‌ ପର୍ଯ୍ୟନ୍ତ ପହଞ୍ଚିଥିଲେ। ସମସ୍ତ କର୍ମଚାରୀଙ୍କୁ ଭିତରୁ ବାହାରି କରି ମୁଖ୍ୟ ଗେଟ୍‌ ସମ୍ମୁଖରେ ତାଲା ମାରିଥିଲେ। ଅଫିସ ସମ୍ମୁଖରେ ଆନ୍ଦୋଳନରେ ବସିଥିଲେ। ଟୋକନ ବ୍ୟବସ୍ଥା ଉଚ୍ଛେଦ କିମ୍ବା ଜମି ମାଲିକାନାକୁ ଆଧାର କରି ଯୋଗ୍ୟ ଉତ୍ତରାଧିକାରୀଙ୍କୁ ବିନା କଟକଣାରେ ଟୋକନ ଦେବାକୁ ଦାବି କରାଯାଇଥିଲା। ଟୋକନର ଅବଧି ଫସଲ ବିକ୍ରିହେବା ଯାଏ ବୈଧ କରିବା ସହ ସମସ୍ତ କିସମର ଜମିକୁ ଚାଷୀ ପରିଚୟ ପତ୍ରରେ ସାମିଲ କରିବାକୁ ଦାବି କରାଯାଇଛି। ସେହିପରି ଉଠା ଜଳସେଚନ ପାଇଁ ବର୍ଦ୍ଧିତ ବିଦ୍ୟୁତ୍‌ ବିଲ୍‌କୁ  ପ୍ରତ୍ୟାହାର କରିବାକୁ ଦାବି ହୋଇଥିଲା।

ଆନ୍ଦୋଳନସ୍ଥଳକୁ ତହସିଲଦାର ଅନୀଲ ହୋତା ଓ ଅତିରିକ୍ତ ତହସିଲଦାର ନାରାୟଣ ଡନସନା ପହଞ୍ଚିଲା ପରେ  ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ତାଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ। ଚାଷୀନେତା ଉତ୍ପନ ଭୋଇ, ନରେନ୍ଦ୍ର ଭୋଇ, ରମେଶ ମହାପାତ୍ର, ଗଣ୍ଡାରାମ ଦାଶ, ସରୋଜ ବାରିକ, ବିଶ୍ବଜିତ ହୋତା, ସୋମନାଥ ଭୋଇ, ସଂଖ୍ୟାକାରୀ ଖମାରୀଙ୍କ ସମେତ ଅଂଚଳର ବହୁ ଚାଷୀ ଏଥିରେ ସାମିଲ ହୋଇଥିଲେ।

ସମ୍ବନ୍ଧିତ ଖବର