ପୁରୁଣା ଭୁବନେଶ୍ୱର : ନବନିର୍ମାଣ କୃଷକ ସଂଗଠନର ରାଷ୍ଟ୍ରୀୟ ସଂଯୋଜକ ଅକ୍ଷୟ କୁମାର ଗତ ଡିସେମ୍ବର ୨୬ ତାରିଖରୁ ଆରମ୍ଭ କରିଥିବା ଅନଶନ ଆଜି ୧୫ଦିନରେ ଆଇନ ଅମାନ୍ୟ ଆନ୍ଦୋଳନରେ ଶେଷ ହୋଇଛି। ପୂର୍ବ ଘୋଷଣା ଅନୁଯାୟୀ, ଗତକାଲି ସରକାର କୌଣସି ଆଲୋଚନା ନ କରିବାରୁ ଆଜି ଆଇନ ଆନ୍ଦୋଳନ କରି ସେ ଅନଶନ ଭଙ୍ଗ କରିଛନ୍ତି। ଏକ ବିରାଟ ଶୋଭାଯାତ୍ରାରେ ଚାଷୀମାନେ ଆଜି ନବୀନ ନିବାସ ଘରୋଉ ଉଦ୍ୟମ କରୁଥିବା ବେଳେ ଏୟାରଫିଲଡ଼୍‌ ଥାନା ନିକଟରେ ପୁଲିସ ସେମାନଙ୍କୁ ଅଟକାଇଥିଲା। ଏହାକୁ ନେଇ ଚାଷୀ ଓ ପୁଲିସ୍ ମଧ୍ୟରେ ଧସ୍ତାଧସ୍ତି ହେବାରୁ ସେଠାରେ ଉତ୍ତେଜନା ପ୍ରକାଶ ପାଇଥିଲା। ପରେ ପୁଲିସ ଚାଷୀ ନେତା ତଥା ସଂଗଠନର ରାଷ୍ଟ୍ରୀୟ ସଂଯୋଜକ ଅକ୍ଷୟ କୁମାର, ଶେଷଦେବ ନନ୍ଦ, ରାଜ୍ୟ ସଂଯୋଜକ ମଧୁମିତା ସାମଲ, ସହ ସଂଯୋଜକ ନିମାଇଁ ରାୟ, ଗୋବିନ୍ଦ ମହାପାତ୍ର ସ୍ନେହାଂଶୁ ଜେନା, ଦୁର୍ଗା ବାରିକ, ପ୍ରସନ୍ନ କୁଅଁର, ସୁରେଶ ଚନ୍ଦ୍ର ମାନସିଂହ, ଦେବୀପ୍ରସାଦ ମହାରଣାଙ୍କ ନେତୃତ୍ୱରେ ଆସିଥିବା ଆନ୍ଦୋଳନକାରୀଙ୍କୁ ପୁଲିସ ଗିରଫ କରିବାରୁ ପରିସ୍ଥିତି ଶାନ୍ତ ପଡ଼ିଥିଲା। ସେମାନଙ୍କୁ ପୁଲିସ୍‌ ସନ୍ଧ୍ୟା ପୂର୍ବରୁ ଛାଡ଼ି ଦେଇଛି।

Advertisment

ଅନ୍ୟପଟେ କାଳିଆ ଯୋଜନା କାହିଁକି ବନ୍ଦ ହେଲା ବୋଲି କୃଷି ମନ୍ତ୍ରୀଙ୍କ ବିରୋଧରେ ସ୍ଲୋଗାନ ଦେଇ ଚାଷୀମାନେ ତାଙ୍କ ବାସଭବନରେ ଧସେଇ ପଶିବାକୁ ଉଦ୍ୟମ କରିଥିଲେ। ସଂଗଠନର ରାଜ୍ୟ ସହସଂଯୋଜକ ଉମାକାନ୍ତ ଭାରତ, ନବନିର୍ମାଣ ଯୁବଛାତ୍ର ସଂଗଠକ ମନୱାର ଅଲ୍ଲୀ, ଦୁର୍ଗାପ୍ରସାଦ ଦାସ, ମମତା ନାଥ, ବିଳାସିନୀ ମହନ୍ତ, ଅଶ୍ୱିନୀ ଜେନା, ରଣଜିତ ପଟ୍ଟନାୟକ ଓ ଭରତ ସ୍ୱାଇଁ ପ୍ରମୁଖ କୃଷୀ ମନ୍ତ୍ରୀ ଶ୍ରୀ ସାହୁଙ୍କ ବାସଭବନରେ ଧସେଇ ପଶିବା ବେଳେ ପୁଲିସ ସେମାନଙ୍କୁ କ୍ୟାପିଟାଲ ଥାନାରେ ଅଟକ ରଖି ପରେ ଛାଡ଼ି ଦେଇଥିଲା। ଆସନ୍ତା ମେ’ ମାସରେ ସଂଗଠନ ତରଫରୁ ମହାସଂଗ୍ରାମ ଆରମ୍ଭ ହେବ ବୋଲି ସଂଗଠନ ପକ୍ଷରୁ ଘୋଷଣା କରାଯାଇଛି। ସୂଚନାଯୋଗ୍ୟ, କାଶୀନାଥ ମଲ୍ଲିକ ଶ୍ରୀ କୁମାରଙ୍କୁ ଫଳ ରସ ପଆଇ ଅନଶନ ଭଙ୍ଗ କରିଥିଲେ।