୨ ହଜାର ଚାଷୀ ବିକିପାରି ନାହାନ୍ତି ଧାନ, ପ୍ରତିବାଦରେ ହୁମ୍ମା-ଆସିକା ରାସ୍ତା ୪ଘଣ୍ଟା ଅବରୋଧ

ଗଞ୍ଜାମ : ଗଞ୍ଜାମ ବ୍ଲକ୍‌ରେ ଧାନ କିଣାକୁ ନେଇ ଚାଷୀ ଅସନ୍ତୋଷ ଜାରି ରହିଛି। ପ୍ରଥମେ ପ୍ରଶାସନ ଟାର୍ଗେଟ ନଥିବା କହୁଥିବା ବେଳେ, ପରେ ଟୋକନ୍‌ ଅବଧି ସାରି ଯାଇଥିବା କହିଛନ୍ତି। ଯାହାକୁ ନେଇ ଚାଷୀଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ଦେଖାଯାଇଛି। ବାଧ୍ୟ ହୋଇ ଚାଷୀ ଏବେ ରାସ୍ତାକୁ ଓହ୍ଲାଇଛନ୍ତି। ପ୍ରତିବାଦ କରିବାକୁ ଯାଇ ହୁମ୍ମା-ଆସ୍କା ରାଜପଥକୁ ଚାରି ଘଣ୍ଟା ଧରି  ଅବରୋଧ କରି ରଖିଥିଲେ। ଚାଷୀ ରାସ୍ତାରେ ବସି ରହିବା ଫଳରେ ଏହି ରାସ୍ତାରେ ଯାତାୟାତ ବନ୍ଦ ହୋଇଯାଇଥଲା। ପୂର୍ବ ଘୋଷଣା ଅନୁଯାୟୀ,   କଳାଯମୁନା ଠାରେ ସକାଳ ପ୍ରାୟ ୧୦ଟାରୁ ଚାଷୀ ରାସ୍ତା ଅବରୋଧ କରି ଦେଇଥିଲେ। ଫଳରେ ଉଭୟ ପାର୍ଶ୍ୱରେ ଶହ ଶହ ଯାନବାହନ ଅଟକି ରହିଥିଲା। ଖବର ପାଇ ଗଞ୍ଜାମ ତହସିଲଦାର ଅରୁଣ କୁମାର ନାୟକ, ବିଡିଓ ବିଶ୍ୱଜିତ ରାୟ, ରମ୍ଭା ଥାନାଧିକାରୀ କୃଷ୍ଣଚନ୍ଦ୍ର ସେଠୀ, ହୁମ୍ମା ଫାଣ୍ଡି ଅଧିକାରୀ ଶରତ ଚନ୍ଦ୍ର ଦାଶ, ଯୋଗାଣ ନିରୀକ୍ଷକ ରୀନାରାଣୀ ମହାପାତ୍ର ପ୍ରମୁଖ ପହଞ୍ଚି ଚାଷୀଙ୍କୁ ବୁଝାସୁଝା କରିଥିଲେ। ତେବେ ଚାଷୀ ନିଜ ଜିଦ୍‌ରେ ଅଟଳ ରହିଥିଲେ। ଜିଲ୍ଲା ଯୋଗାଣ ଅଧିକାରୀ ଓ ଗଞ୍ଜାମ ଜିଲ୍ଲାପାଳଙ୍କ ସହ ତହସିଲଦାର ଫୋନ୍‌ରେ କଥା କରାଇ ସପ୍ତାହକ ମଧ୍ୟରେ ଧାନ କିଣାଯିବା ସହ ଟୋକନ୍‌ର  ଅବଧି ଶେଷ ହୋଇଥିବା ଚାଷୀଙ୍କ ଧାନ ମଧ୍ୟ କିଣାଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ରାସ୍ତା ଅବରୋଧ ହଟିଥିଲା।
ଗଞ୍ଜାମ ବ୍ଲକ୍‌ ସମେତ ଦୁଇଟି ଏନ୍‌ଏସି ଗଞ୍ଜାମ ଓ ରମ୍ଭାର ୫ହଜାର ୭୯୬ ଚାଷୀ ପଞ୍ଜୀକୃତ ହୋଇଥିଲେ। ସେମାନଙ୍କ ମଧ୍ୟରୁ ୩ ହଜାର ୬୬୪ ଚାଷୀ ଧାନ ବିକ୍ରି କରିଥିବା ବେଳେ ୨ହଜାରରୁ ଊର୍ଦ୍ଧ୍ବ ଚାଷୀ ଧାନ ବିକି ନପାରି ହନ୍ତସନ୍ତ ହେଉଛନ୍ତି। ୮ଶହ ଚାଷୀଙ୍କୁ ଟୋକନ୍ ପ୍ରଦାନ କରା ଯାଇଥିବା ବେଳେ ଏଥିରୁ ୩୫ଜଣ ଚାଷୀ ଟୋକନ୍ ପାଇ ମଧ୍ୟ ଧାନ ବିକିପାରୁ ନାହାନ୍ତି। ଋଷିକୁଲ୍ୟା ରୟତ ମହାସଭା ସମ୍ପାଦକ ସୀମାଞ୍ଚଳ ନାହାକ, କମ୍ୟୁନିଷ୍ଟ ନେତା ପ୍ରଦୀପ ସେଠୀ, ରାଜୀବ ଲୋଚନ ପଣ୍ଡା, ପୂର୍ଣ୍ଣଚନ୍ଦ୍ର ରଥ, ଶ୍ରମିକ ନେତା ବୃନ୍ଦାବନ ପଲେଇ, ଶରତ ଚନ୍ଦ୍ର ପଟ୍ଟନାୟକ ଓ ବିଜେପି ନେତା ପ୍ରଶାନ୍ତ କୁମାର କର ପ୍ରମୁଖ ନେତୃତ୍ୱ ନେଇଥିଲେ।
ସମ୍ବନ୍ଧିତ ଖବର