ମିଲର୍‌ଙ୍କ ବିରୋଧରେ ତାତିଲେ ଚାଷୀ: ଗଞ୍ଜାମରେ ଧାନବସ୍ତା ରଖି ରାସ୍ତା ଅବରୋଧ

୧୨ ଘଣ୍ଟା ଧରି ଯାନବାହନ ଚଳାଚଳ ସଂପୂର୍ଣ୍ଣ ଠପ୍

ବେଗୁନିଆପଡ଼ା : ଧାନକିଣାରେ ମିଲର୍ ମାନଙ୍କ କଟ୍‌ନିଛଟ୍‌ନି ନୀତି ପ୍ରତିବାଦରେ ଆଜି ଗଞ୍ଜାମ ଜିଲ୍ଲାରେ ରାଜରାସ୍ତାକୁ ଓହ୍ଲାଇଛନ୍ତି ଚାଷୀ। ୭୫ କିଲୋ ଧାନ ବଦଳରେ ମିଲର୍ ୮୦ କିଲୋ ଦାବି କରୁଥିବାରୁ ବେଗୁନିଆପଡ଼ା ବ୍ଲକ୍ ଅଧୀନ ବୁରୁଝରିରେ ୩୦୦ରୁ ଅଧିକ ଚାଷୀ ଧାନବସ୍ତା ରଖି ଅଙ୍ଗାରଗାଁ-ବେଗୁନିଆପଡ଼ା ମୁଖ୍ୟରାସ୍ତାକୁ ୧୨ ଘଣ୍ଟାରୁ ଅଧିକ ସମୟ ହେଲା ଅବରୋଧ କରି ରଖିଛନ୍ତି। ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଛି। ବିଭାଗୀୟ ଅଧିକାରୀମାନେ ପହଞ୍ଚି ବୁଝାସୁଝା କରିବାସତ୍ତ୍ବେ ଚାଷୀ ରାସ୍ତା ଅବରୋଧ ପ୍ରତ୍ୟାହାର କରିନାହାନ୍ତି। ଯାନବାହନ ଚଳାଚଳ ସଂପୂର୍ଣ୍ଣ ଭାବେ ଠପ୍ ହୋଇଯାଇଛି।

ମିଲରମାନେ ଏଫଏକ୍ୟୁ ମାନ ପରୀକ୍ଷା କରି ୭୫ କିଲୋ ବଦଳରେ ୮୦ କିଲୋ ଚାଉଳ ଦାବି କରିବା, ଲଗାଣ ବର୍ଷାରେ କ୍ଷତିଗ୍ରସ୍ତ ଦୁଇଟି ପଞ୍ଚାୟତକୁ କ୍ଷତିପୂରଣ ପ୍ରଦାନରୁ ବାଦ୍ ଦିଆଯିବା ଓ ମଣ୍ଡିର ସଠିକ୍ ପରିଚାଳନା ହେଉ ନଥିବା ଆଦି ଅଭି‌ଯୋଗ ଆଣି ବୁରୁଝରି ସେବା ସମବାୟ ସମିତି ଅଧୀନରେ ପଞ୍ଜୀକୃତ ଚାଷୀମା‌ନେ ଗତ ୨୦ ତାରିଖରେ ଗଞ୍ଜାମ ଜିଲ୍ଲା ପ୍ରଶାସନ, ଜିଲ୍ଲା ଯୋଗାଣ ଅଧିକାରୀ, କୋଦଳା ତହସିଲଦାର ଓ ବେଗୁନିଆପଡ଼ା ବିଡିଓଙ୍କୁ ଲିଖିତ ଭାବେ ଅବଗତ କରାଇଥିଲେ। ଏହାସହ ୨୪ ତାରିଖ ସୁଦ୍ଧା ଦାବି ପୂରଣ ନହେଲେ ଆନ୍ଦୋଳନ ଲାଗି ଚେତାବନୀ ଦେଇଥିଲେ। କିନ୍ତୁ ମହଲତ ପୂରିଯାଇ ଥିବାରୁ ଆଜି ଭୋର୍ ୪ଟାରୁ ହିଁ ଶତାଧିକ ଚାଷୀ ରାଜରାସ୍ତାକୁ ଓହ୍ଲାଇଥିଲେ। ବାଉଁଶ ବ୍ୟାରିକେଡ୍ କରି ଧାନବସ୍ତା ରଖି ଅଙ୍ଗାରଗାଁ-ବେଗୁନିଆପଡ଼ା ରାସ୍ତାକୁ ଅବରୋଧ କରିଥିଲେ। ଗୋଟିଏପଟେ ଲଗାଣ ବର୍ଷାରେ ସେମାନେ କ୍ଷତିଗ୍ରସ୍ତ ହୋଇଥିବା ବେଳେ ଅନ୍ୟପଟେ ମିଲର୍ ସେମାନଙ୍କଠୁ ଅଧିକ ୫ କେଜି ଧାନ ଦାବି କରିବା ଦୁଃଖର ବିଷୟ। ଏଭଳି ପରିସ୍ଥିତିରେ କିଛି ଚାଷୀ ଧାନ ବିକିପାରିନାହାନ୍ତି। କିଛି ଚାଷୀଙ୍କ ୨୮ ତାରିଖରେ ଟୋକନ୍ ଅବଧି ଶେଷ ହେଉଛି। ତଥାପି ଯୋଗାଣ ବିଭାଗ ଓ ପ୍ରଶାସନ ନିରବଦ୍ରଷ୍ଟା ସାଜିବା ଦୁଃଖର ବିଷୟ ବୋଲି ଚାଷୀମାନେ କହିଥିଲେ।

ଆନ୍ଦୋଳନରେ ଧରିତ୍ରୀ କୃଷକ ସଂଘ ପି.ନୂଆଗାଁ ଓ ଋଷିକୁଲ୍ୟା ରୟତ ମହାସଭା ପକ୍ଷରୁ ଭଗବାନ ସାହୁ, ଦୀନବନ୍ଧୁ ରାଉତ, ଦେଶବନ୍ଧୁ ଜେନା, ବିଜୟ ସ୍ୱାଇଁ, ସନାତନ ମହାନ୍ତି, ଯୁଗଳ କିଶୋର ଜେନା ଓ ନିରଞ୍ଜନ ଜେନା ପ୍ରମୁଖଙ୍କ ନେତୃତ୍ୱ ନେଇଥିଲେ।

କୋଦଳା ଅତିରିକ୍ତ ତହସିଲଦାର ଅଶୋକ କୁମାର ତ୍ରିପାଠୀ, ପୁରୁଷୋତ୍ତମପୁର ଏସଡିପିଓ ସୂର୍ଯ୍ୟମଣି ପ୍ରଧାନ, କୋଦଳା ଅତିରିକ୍ତ ଥାନା ଅଧିକାରୀ ପ୍ରଭାତ କୁମାର ବେହେରା, ବେଗୁନିଆପଡ଼ା ଫାଣ୍ଡି ଅଧିକାରୀ ସଂଗ୍ରାମ ଦେହୁରି, ଜିଲ୍ଲା ଅତିରିକ୍ତ ଯୋଗାଣ ଅଧିକାରୀ ପୀତାମ୍ବର ସେଠୀ ଓ ବ୍ଲକ୍ ଯୋଗାଣ ନିରୀକ୍ଷକ ଧୀରେନ ସାହୁ ପହଞ୍ଚି ଆନ୍ଦୋଳନକାରୀ ଚାଷୀଙ୍କ ସହ ଆଲୋଚନା କରିଥିଲେ। ଦାବି ପୂରଣ ନହେବା ଯାଏ ଅହୋରାତ୍ର ଧାରଣା ଦେବୁ। ଆସନ୍ତାକାଲି ଅନ୍ୟ ପଞ୍ଚାୟତରେ ବି ଚାଷୀ ଆନ୍ଦୋଳନକୁ ବ୍ୟାପକ କରାଯିବ ବୋଲି ଚେତାବନୀ ଦେଇଥିଲେ।

ସମ୍ବନ୍ଧିତ ଖବର