ଟୋକନ ଓ ଟାର୍ଗେଟରେ ଛନ୍ଦି ହେଉଛନ୍ତି ଚାଷୀ, ପେକ୍ସରେ ପକାଇଲେ ତାଲା

କଣ୍ଟାମାଳ : ସିମିଳିପଦର ପେକ୍ସରେ ଟୋକନ ଓ ଟାର୍ଗେଟ ବ୍ୟବସ୍ଥାରେ ଅତିଷ୍ଠ ହୋଇ ବୁଧବାର ସମ୍ପାଦକଙ୍କୁ ଚାଷୀ ତାଲା ପକାଇ ଦେଇଥିଲେ। ଖବର ପାଇ ମନମୁଣ୍ଡା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉତ୍ୟକ୍ତ ଚାଷୀଙ୍କୁ ବୁଝାସୁଝା କରି ସମ୍ପାଦକଙ୍କୁ ଅଫିସ ଭିତରୁ ଉଦ୍ଧାର କରିଥିଲେ।

ସୂଚନା ଅନୁସାରେ ଗତ ୧ ଓ ୨ ତାରିଖରେ ଟୋକନ ପାଇଥିବା ଚାଷୀଙ୍କ ପ୍ରାୟ ୫ ହଜାର ବସ୍ତା ଧାନ ମଣ୍ଡିରେ ପଡ଼ି ରହିଛି। ଆଜି ଧାନ ନ ଉଠିଲେ ଆସନ୍ତାକାଲି ତାଙ୍କ ଟୋକନ ଲାପ୍‌ସ ହୋଇଯିବ। ପୁଣି ୭ ଓ ୮ ତାରିଖରେ ଟୋକନ ଥିବା ଚାଷୀଙ୍କ ୨ ହଜାର ବସ୍ତା ଧାନ ପଡ଼ି ରହିଛି। ହେଲେ ଧାନ ଉଠାଇବାକୁ ମାତ୍ର ଗୋଟିଏ ଟ୍ରକ ଆସିଛି ଯେଉଁଥିରେ ଅତି ବେଶୀରେ ସାଢ଼େ ୩ ଶହ ବସ୍ତା ଧାନ ଯାଇ ପାରିବ। ସମସ୍ତ ଚାଷୀ ପ୍ରଥମେ ଧାନ ବିକ୍ରି କରିବାକୁ ନିଜ ନିଜ ମଧ୍ୟରେ ପ୍ରତିଯୋଗିତା କରି ପେକ୍ସ ସମ୍ପାଦକଙ୍କ ଉପରେ ଚାପ ପ୍ରୟୋଗ କରିଥିଲେ। ସମ୍ପାଦକ ଯେତେ ବୁଝାଇଲେ ବି କୌଣସି ଚାଷୀ ଟୋକନ ରଦ୍ଧ ହୋଇଯିବା ଭୟରେ କିଛି ବୁଝିବାକୁ ପ୍ରସ୍ତୁତ ନ ଥିଲେ। ଶେଷରେ ସମ୍ପାଦକଙ୍କୁ ତାଲା ପକାଇ ନିଜ ରାଗ ଶୁଝାଇଥିଲେ।

ଏଥିରେ କ୍ରମାନ୍ବୟରେ ପ୍ରଥମରୁ ସପ୍ତମରେ ଥିବା ୭ ଜଣ ଚାଷୀଙ୍କ ଧାନ ବୁଧବାର ଦିନ ବିକ୍ରି ହୋଇଥାନ୍ତା। ହେଲେ ଉତ୍ତେଜନା ପ୍ରକାଶ ପାଇବାରୁ ଧାନ ବିକ୍ରି ହୋଇପାରି ନଥିଲା। ଆସନ୍ତାକାଲି ତାଙ୍କ ଟୋକନ ଲାପ୍‌ସ ବେଳେ ଦୁଃଖରେ ଭାଙ୍ଗି ପଡ଼ିଛନ୍ତି। ଏପଟେ ଧାନ ଉଠାଇବାକୁ ଆସିଥିବା ଟ୍ରକ ବିନା ଧାନରେ ମିଲକୁ ଫେରିଥିଲା। ଏହାର ସମାଧାନ ପାଇଁ ଯୋଗାଣ ବିଭାଗର କୌଣସି ଅଧିକାରୀ ଆସି ନ ଥିବାରୁ ଆସନ୍ତାକାଲି ଉତ୍ୟକ୍ତ ଚାଷୀ ଖଟଖଟିଆ ଛକ ଠାରେ ରାସ୍ତାରୋକ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏ ସମ୍ପର୍କରେ ପେକ୍ସ ସମ୍ପାଦକ ନିର୍ମଳ ବିଶ୍ୱାଳଙ୍କୁ ପଚାରିବାରୁ ଆଜି ସନ୍ଧ୍ୟା ପର୍ଯ୍ୟନ୍ତ କୌଣସି ସମାଧାନ ହୋଇପାରି ନାହିଁ। ଫଳରେ ଆସିଥିବା ଟ୍ରକଟି ଫେରିଯାଇଛି ବୋଲି କହିଛନ୍ତି। ଏପଟେ ସୁଣ୍ଡିପଦର ପେକ୍ସରେ ମିଲର୍ସ ରାଜ ଚାଲିଥିବା ଚାଷୀ ଅଭିଯୋଗ ଆଣିଛନ୍ତି। ଏହି ମଣ୍ଡିକୁ ହଜାରେ କ୍ୱିଣ୍ଟାଲ ଟାର୍ଗେଟ ଦିଆଯାଇଥିବା ବେଳେ ରାଣୀସତୀକୁ ୫୦୦ ଓ ଓମ୍‌ ଶାନ୍ତି ରାଇସ୍‌ ମିଲ୍‌କୁ ୫୦୦ କ୍ୱିଣ୍ଟାଲ ଭାଗ କରି ଦିଆଯାଇଛି। ହେଲେ ଆଜି ରାଣୀସତୀ ଟ୍ରକ ପଠାଇଥିବା ବେଳେ ଓମ୍‌ ଶାନ୍ତି ମିଲର୍ସ ବହୁତ ଡେରିରେ ଏକ ଛୋଟ ଗାଡ଼ି ପଠାଇ ମାତ୍ର ୧୦୦ କ୍ୱିଣ୍ଟାଲ ଧାନ ଉଠାଇ ନିଜର ମନମାନି ଚଳାଇଥିବା ଚାଷୀମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି। ଏଥିପାଇଁ ୭/୮ ଜଣ ଚାଷୀଙ୍କ ଟୋକନ ଲାପ୍‌ସ ହୋଇଯାଇଛି।

ଏ ସମ୍ପର୍କରେ ସୁଣ୍ଡିପଦର ପେକ୍ସ ସମ୍ପାଦକ ଲାଲ ବିହାରୀ ଦନ୍ତାଙ୍କୁ ପଚାରିବାରୁ ଚାଷୀଙ୍କ ଟୋକନ ଲାପ୍‌ସ ହେବାରୁ ଆମ ଉପରେ ଦାଉ ସାଧୁଛନ୍ତି। ମିଲର୍ସ ଗାଡ଼ି ନ ପଠାଇଲେ ଓ ଟାର୍ଗେଟ ନ ଆସିଲେ ଆମକୁ ଦାୟୀ କରି ଗାଳି ଗୁଳଜ କରୁଛନ୍ତି। ତେଣୁ ଆମେ ବହୁତ ଚାପରେ ରହୁଛୁ ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର