ପଶ୍ଚିମ ଓଡ଼ିଶାରେ ଚାଷୀ ତାତିଲେ : ମୁମ୍ବାଇ-କୋଲକାତା ରାଜପଥ ଅବରୋଧ

୭ ଘଣ୍ଟା ଅଟକି ରହିଲା ଶହ ଶହ ଗାଡ଼ି
ସମାଧାନ ବଦଳରେ ଗିରଫ କରିନେଲା ପୁଲିସ

ସମ୍ବଲପୁର : ଚାଷୀମାନେ ଦେଇଥିବା ସମୟସୀମା ମଧ୍ୟରେ ସେମାନଙ୍କ ସମସ୍ୟାର ସମାଧାନ ପାଇଁ ସରକାର କୌଣସି ପଦକ୍ଷେପ ନେଲେନାହିଁ। ତେଣୁ ପଶ୍ଚିମ ଓଡ଼ିଶା କୃଷକ ସଂଗଠନ ସମନ୍ବୟ ସମିତିର ଆହ୍ବାନକ୍ରମେ ଆଜି ପଶ୍ଚିମ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ଚାଷୀ ସଂଗଠନଗୁଡ଼ିକ ପକ୍ଷରୁ ଆନ୍ଦୋଳନ ଓ ରାସ୍ତାରୋକ କରାଯାଇଛି। ସମ୍ବଲପୁରରେ ମୁମ୍ବାଇ-କୋଲକାତା ଜାତୀୟ ରାଜପଥକୁ ସିନ୍ଦୁରପଙ୍କ ଚୌଧୁରୀ ଛକଠାରେ ପ୍ରାୟ ୭ ଘଣ୍ଟା ଧରି ଅବରୋଧ କରାଯାଇଥିଲା। ଏଥିସହ ବରଗଡ଼, ସୁବର୍ଣ୍ଣପୁର, ଝାରସୁଗୁଡ଼ା, କଳାହାଣ୍ଡି, ସୁନ୍ଦରଗଡ଼ ସମେତ ୧୦ ଟି ଜିଲ୍ଲାରେ ମଧ୍ୟ ବିଭିନ୍ନ ସ୍ଥାନରେ ରାସ୍ତାରୋକ ହୋଇଥିଲା।

ପଶ୍ଚିମ ଓଡ଼ିଶାରେ ଧାନକ୍ରୟ ବ୍ୟବସ୍ଥାର ନୀତି ନିର୍ଧାରଣକୁ ବିକେନ୍ଦ୍ରୀକରଣ କରିବା ଓ ଏହାକୁ ଭୁବନେଶ୍ବର କୈନ୍ଦ୍ରୀକ ନ କରି ଜିଲ୍ଲା ସ୍ତରରେ ଲୋକାଲ ପର୍ଚେଜ୍‌ କମିଟି ଜରିଆରେ କରିବାକୁ ଚାଷୀ ନେତାମାନେ ଦାବି ରଖିଥିଲେ। ମଣ୍ଡିରେ ଥିବା ବିଭିନ୍ନ ଅବ୍ୟବସ୍ଥା ଦୂର ସହ ଟୋକନ୍‌ ବ୍ୟବସ୍ଥା ପ୍ରତ୍ୟାହାର ପାଇଁ ଦାବି କରିଥିଲେ। ଏକର ପ୍ରତି ଧାନକ୍ରୟର ପରିମାଣ ବୃଦ୍ଧି ସହ ଅନ୍ୟାନ୍ୟ ଦାବି ରଖିଥିଲେ। ଏଥିସହ କେନ୍ଦ୍ର ସରକାରଙ୍କ ନୂଆ କୃଷି ଆଇନ୍‌କୁ ମଧ୍ୟ ବିରୋଧ କରିଥିଲେ। ଉପରୋକ୍ତ ଦାବି ତଥା ସରକାରଙ୍କ କୃଷକ ମାରଣ ନୀତି ପ୍ରତିବାଦରେ ସମ୍ବଲପୁରରେ ବହୁ ସଂଖ୍ୟାରେ ଚାଷୀ ଓ କୃଷକ ସଂଗଠନ କର୍ମକର୍ତ୍ତା ଶନିବାର ପୂର୍ବାହ୍ଣରେ ସିନ୍ଦୁରପଙ୍କ ଚୌଧୁରୀ ଛକଠାରେ ମୁମ୍ବାଇ-କୋଲକାତା ଜାତୀୟ ରାଜପଥ ଅବରୋଧ କରିଥିଲେ। ପୂର୍ବାହ୍ନ ୧୧ଟାରୁ ଅନେକ ଧାନ ଗାଡ଼ି ସହିତ ଜିଲ୍ଲାର ସମସ୍ତ ୯ଟି ବ୍ଲକର ଚାଷୀ ପ୍ରତିନିଧି ରାଜରାସ୍ତା ଅବରୋଧ ସହିତ ସମସ୍ୟା ସମାଧାନ ପାଇଁ ସ୍ବର ଉତ୍ତୋଳନ କରିଥିଲେ। ପ୍ରାୟ ୫୦୦ ମିଟର ପର୍ଯ୍ୟନ୍ତ ଧାନ ଗାଡ଼ି ପଛକୁ ପଛ ଠିଆ ହୋଇଥିଲା। ଫଳରେ ରାଜପଥରେ ଯାତାୟାତ ଠପ ହୋଇ ଯାଇଥିଲା। ବହୁସଂଖ୍ୟାରେ ଗାଡ଼ି ଅଟକି ରହିଥିଲେ। ଅପରାହ୍ନ ୫ଟାରେ ଏସ୍‌ଏମ୍‌ସି କମିସନରଙ୍କ ନେତୃତ୍ବରେ ଏକ ପ୍ରତିନିଧି ଦଳ ସେଠାରେ ପହଞ୍ଚିଥିଲେ। ଜିଲ୍ଲାପାଳ ଆଲୋଚନା ପାଇଁ ଚାଷୀ ସଙ୍ଗଠନର କର୍ମକର୍ତ୍ତାମାନଙ୍କୁ ଡାକିଥିଲେ ମଧ୍ୟ ସଙ୍ଗଠନ ଏହାକୁ ଗ୍ରହଣ କରିନଥିଲା। ଅପରାହ୍ନ ୬ଟାରେ ଭାରପ୍ରାପ୍ତ ଏସ୍‌ପି ଅମରେଶ ପଣ୍ଡା ଚାଷୀ ପ୍ରତିନିଧିମାନଙ୍କୁ ରାଜପଥରୁ ଓହରି ଯାଆନ୍ତୁ ନଚେତ ଗିରଫ କରିବା ପାଇଁ ବାଧ୍ୟ ହେବେ ବୋଲି କହିଥିଲେ। ଏହାପରେ ଚାଷୀ ସ୍ବଇଚ୍ଛାରେ ଗିରଫଦାରୀ ଦେଇଥିଲେ। ଏହି ଅବସରରେ ୧୫ ଜଣଙ୍କୁ ଗିରଫ କରିଥିବା ପୁଲିସ କହିଛି। ତେବେ ଆନ୍ଦୋଳନ ବେଳେ କୌଣସି ପ୍ରକାର ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇନଥିଲା। ୭ ଘଣ୍ଟା ପରେ ମୁମ୍ବାଇ-କୋଲକାତା ରାଜପଥରେ ଯାନବାହାନ ଚଳାଚଳ ସ୍ବାଭାବିକ ହୋଇଥିଲା।

ଆଗାମୀ ଦିନରେ ଏହି ଆନ୍ଦୋଳନକୁ ଆହୁରି ଦୁର୍ବାର କରାଯିବ ବୋଲି ପଶ୍ଚିମ ଓଡ଼ିଶା କୃଷକ ସଙ୍ଗଠନ ସମନ୍ବୟ ସମିତି ଆବାହକ ଅଶୋକ ପ୍ରଧାନ କହିଛନ୍ତି।

ସମ୍ବନ୍ଧିତ ଖବର