ସମ୍ବଲପୁରରେ ବିଜେପିର ଚାଷୀ ଆନ୍ଦୋଳନ : ରାତିସାରା ଥାନାରେ ବସିଲେ ନେତା

ଟାଉନ୍‌ ଥାନାରେ ପୁଲିସ୍‌-କର୍ମୀ ଠେଲାପେଲା

ସମ୍ବଲପୁର : ଶୁକ୍ରବାର ସଂଧ୍ୟାରେ ଉତ୍ତରାଞ୍ଚଳ ରାଜସ୍ବ ଆୟୁକ୍ତ (ଆର୍‌ଡିସି) ନିରଂଜନ ସାହୁଙ୍କ ସହ ଆଲୋଚନା ପରେ ବିଜେପି ପକ୍ଷରୁ ୨ ଦିନ ଧରି ଚାଲିଥିବା ଉତ୍ତେଜନାପୂର୍ଣ୍ଣ ଆନ୍ଦୋଳନରେ ସାମୟିକ ବିରତି ଲାଗିଛି। ଆର୍‌ଡିସି ଦେଇଥିବା ପ୍ରତିଶ୍ରୁତି ପାଳନ ପାଇଁ ବିଜେପି ପକ୍ଷରୁ ୭୨ ଘଣ୍ଟା ସମୟ ଦିଆଯାଇଛି। ତେବେ, ଏହି ଆଲୋଚନା ପୂର୍ବରୁ ଗତକାଲି ବିଜେପି ନେତାମାନେ ରାତିସାରା ଥାନାରେ ବସିଥିବାବେଳେ ଆଜି ପୁଲିସ୍‌ ସହ ଧସ୍ତାଧସ୍ତି ଦେଖିବାକୁ ମିଳିଛି।

ଗତକାଲି ଆର୍‌ଡିସି ଅଫିସ୍‌ ଘେରାଉ ଉଦ୍ୟମବେଳେ ପୁଲିସ୍‌ ଗିରଫ୍ କରିଥିବା ବିଜେପି ନେତାଙ୍କୁ ସଂଧ୍ୟାରେ ଟାଉନ୍‌ ଥାନାରୁ ଛାଡ଼ି ଦେଇଥିଲା। କିନ୍ତୁ ସେମାନେ ଥାନାରୁ ଯାଇ ନଥିଲେ। ଆର୍‌ଡିସି ଆସି ଆଲୋଚନା ନ କରିବା ପର୍ଯ୍ୟନ୍ତ ଥାନାରୁ ଉଠିବେ ନାହିଁ ବୋଲି ଜିଦ୍‌ ଧରି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ, ବି‌େଜପି ରାଜ୍ୟ ସଭାପତି ସମୀର ମହାନ୍ତି, ସାଂସଦ ସୁରେଶ ପୂଜାରୀ, ପୂର୍ବତନ ମନ୍ତ୍ରୀ କନକ ବର୍ଧନ ସିଂହଦେଓ, ସମାବେଶର ଆବାହକ ଜୟ ନାରାୟଣ ମିଶ୍ର ଏବଂ ନାଉରୀ ନାୟକ, ରାଜ୍ୟ ସାଧାରଣ ସଂପାଦକ ରବି ନାଏକ ଏବଂ କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ପ୍ରଦୀପ ପୁରୋହିତଙ୍କ ସମେତ ବହୁ ବିଧାୟକ, ପୂର୍ବତନ ବିଧାୟକ ଥାନ‌ାରେ ବସି ରହିଥିଲେ।

ଶୁକ୍ରବାର ସକାଳୁ ଏହି ଆନ୍ଦୋଳନ ଆହୁରି ଉଗ୍ର ରୂପ ନେଇଥିଲା। ଶହଶହ ସଂଖ୍ୟାରେ ପୁରୁଷ, ମହିଳା ବିଜେପି କର୍ମୀ ନିଜ ନେତାଗଣ ଅଟକି ରହିଥିବା ସମ୍ବଲପୁର ଟାଉନ୍‌ ଥାନା ସମ୍ମୁଖରେ ରୁଣ୍ଡ ହୋଇଥିଲେ। କିଛି କର୍ମୀ ଆଗୁଆ ଥାନା ପରିସର ଭିତରକୁ ପଶି ଯାଇଥିଲେ। କୌଣସି ଅଘଟଣ ଆଶଙ୍କା କରି ପୁଲିସ୍‌ ପକ୍ଷରୁ ଏହାପରେ ଥାନାର ମୁଖ୍ୟ ଗେଟ୍‌କୁ ବନ୍ଦ କରି ଦିଆଯାଇଥିଲା। କର୍ମୀମାନେ ଯେମିତି ଭିତରକୁ ନ ପଶି ପାରିବେ ସେଥିପାଇଁ ଗେଟ୍ ଭିତରେ ଓ ବାହାରେ ପୁଲିସ୍‌ ବଳ ମୁତୟନ କରାଯାଇଥିଲା। କର୍ମୀମାନେ ଗେଟ୍ ସମ୍ମୁଖରେ ବସି ଧାରଣା ଓ ସ୍ଳୋଗାନ ଆରମ୍ଭ କରି‌ ଦେଇଥିଲେ। କର୍ମୀଙ୍କ ସଂଖ୍ୟା ବଢ଼ିବା ପରେ ଉଭୟ ଭିତରେ ଓ ବାହାରି ଥିବା କର୍ମୀ ବଳ ପୂର୍ବକ ଗେଟ୍‌କୁ ଖୋଲି ଦେଇଥିଲେ। ପୁଲିସ୍‌ ଗେଟ୍ ବନ୍ଦ କରିବାକୁ ଉଦ୍ୟମ କଲାବେଳେ ପ୍ରବଳ ଠେଲାପେଲା, ଧସ୍ତାଧସ୍ତି ହୋଇଥିଲା। ଗେଟ୍‌ ଖୋଲିଯିବା ପରେ ପୁଲିସ୍‌ ଗୋଟିଏ ମୋଟା ଦଉଡ଼ି ଟାଣି ଭିଡ଼କୁ ଅଟକାଇବାକୁ ଉଦ୍ୟମ କରିଥିଲା। କିନ୍ତୁ କର୍ମୀ ମାନେ ଉକ୍ତ ଦଉଡ଼ିକୁ ବି ପୁଲିସ୍‌ଠୁ ଟାଣି ଛଡ଼ାଇ ନେଇଥିଲେ। ଠେଲାପେଲା, ପାଟିତୁଣ୍ଡ ମଧ୍ୟରେ ପ୍ରବଳ ଉତ୍ତେଜନା ସୃଷ୍ଟି ହୋଇଥିଲା। ମହିଳାଙ୍କ ସମେତ କିଛି ବିଜେପି କର୍ମୀ ପାଚେରି ବାହାରୁ ଥାନା ଭିତରକୁ ଟେକାପଥର ମାଡ଼ କରିଥିଲେ।

କିଛି ସମୟ ପରେ ଆର୍‌ଡିସି ଶ୍ରୀ ସାହୁଙ୍କ ତରଫରୁ ଆଲୋଚନା ପାଇଁ ବିଜେପି ନେତୃବୃନ୍ଦଙ୍କୁ ଆମନ୍ତ୍ରଣ କରାଯାଇଥିବା ପୁଲିସ୍‌ ପକ୍ଷରୁ ସୂଚନା ଦିଆଯାଇଥିଲା। ବିଜେପି ନେତାମାନେ ପ୍ରଥମେ ଆଲୋଚନା ପାଇଁ ଯିବାକୁ ଅମଙ୍ଗ ହୋଇଥିଲେ। କିନ୍ତୁ ପରେ ଦିନ ୩ଟା ବେଳେ ଏକ ପ୍ରତିନିଧି ମଣ୍ଡଳ ଆଲୋଚନା ପାଇଁ ଆର୍‌ଡିସିଙ୍କ କାର୍ଯ୍ୟାଳୟକୁ ଯାଇଥିଲେ। ବିରୋଧୀ ଦଳ ନେତା ଓ ରାଜ୍ୟ ସଭାପତିଙ୍କ ସହ ଅନ୍ୟ ମାନେ ଥାନାରେ ବସି ରହିଥିଲେ।

ସମ୍ବନ୍ଧିତ ଖବର