ଉଜୁଡ଼ା ଓ ଗଜା ଫସଲ ଧରି ଚାଷୀଙ୍କ ବିକ୍ଷୋଭ

ତିଗିରିଆ : ଅଦିନିଆ ଲଗାଣ ବର୍ଷାରେ ଉଜୁଡିଯାଇଛି ହେକ୍ଟର ହେକ୍ଟର ଚାଷ ଜମି । ପାଣି ଭିତରେ ପଡିଛି ସୁନାର ଫସଲ। କଟକ ଜିଲ୍ଲାର ବିଭିନ୍ନ ବ୍ଲକ୍‌ରେ ଏଭଳି ଉଜୁଡା ଫସଲକୁ ନେଇ ଚିନ୍ତାରେ ପଡିଛନ୍ତି ହଜାର ହଜାର ଚାଷୀ। ତେବେ ଆଜି ତିଗିରିଆ ବ୍ଲକ୍‌ରେ ନିଜର ଉଜୁଡା ଫସଲକୁ ନେଇ ତୀବ୍ର ଅସନ୍ତୋଷ ବ୍ୟକ୍ତ କରିଛନ୍ତି ଚାଷୀ। ଉଜୁଡା ଫସଲ ଓ ଗଜା ଧାନ, ବିରି ଫସଲ ଧରି ବ୍ଲକ୍‌ କାର୍ଯ୍ୟାଳୟ ସମ୍ମୁଖରେ ଶତାଧିକ ଚାଷୀ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।

ସୂଚନା ଅନୁସାରେ, ତିଗିରିଆ ବ୍ଲକ୍‌ର ହେକ୍ଟର ହେକ୍ଟର ଚାଷ ଜମି ଉଜୁଡି ଯାଇଛି । ଲଘୁଚାପ ଜନିତ ବର୍ଷା ସହିତ ଯମୁନା ବନ୍ଧର କ୍ଷୁଦ୍ର ଜଳସେଚନ ପ୍ରକଳ୍ପର ଉଛୁଳା ପାଣିରେ ପାଞ୍ଚଗାଁ, ନିଜିଗଡ଼, ସୋମପଡ଼ା, ପୁରୁଣାତିଗିରିଆ ପଞ୍ଚାୟତର ଚାଷ ଜମି ଜଳମଗ୍ନ ହୋଇଛି। ଫଳରେ ଏବେବି ଚାଷ ଜମିରେ ଭରି ରହିଛି ପାଣି । ଧାନ କ୍ଷେତରେ ପାଣି ଭର୍ତ୍ତିଥିବାରୁ ପାଚିଲା ଫସଲ ପାଣିରେ ଭାସୁଛି। ଫଳରେ ପାଣିଭିତରେ ରହି ଜମିରେ ପାଚିଲା ଧାନ ଓ ଖଳାରେ ପଡ଼ିଥିବା ଧାନ ଗଜା ହୋଇ ନଷ୍ଟ ହୋଇସାରିଲାଣି। ଏଭଳି ପରିସ୍ଥିତିରେ ଚାଷୀ ମୁଣ୍ଡରେ ହାତ ଦେଇ ବସିଥିବା ବେଳେ ସରକାରୀ କର୍ମଚାରୀ ନିଜ କାର୍ଯ୍ୟାଳୟରେ କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇଛନ୍ତି। କେହି ଯାଉନାହାନ୍ତି ଚାଷୀର ଉଜୁଡା କ୍ଷେତକୁ । ଏହାର ପ୍ରତିବାଦରେ ଆଜି ଅସଙ୍ଗଠିତ ରୂପେ ଶତାଧିକ କୃଷକ ବ୍ଲକ୍‌ କାର୍ଯ୍ୟାଳୟ ଘେରାଉ କରିଥିଲେ। ହାତରେ ଗଜାଧାନ, ନଷ୍ଟ ହୋଇଥିବା ରବି ଜାତୀୟ ଫସଲ ଧରି ବିଡିଓ ତପନ କୁମାର ଖୁଣ୍ଟିଆଙ୍କୁ ଦେଖାଇବା ସହିତ ସରକାରୀ କ୍ଷତିପୂରଣ ଦାବି କରିଥିଲେ ଚାଷୀ। ଏଥିସହିତ କୃଷକମାନେ ସହକାରୀ କୃଷି ଅଧିକାରୀ ଦେବୀ ପ୍ରସାଦ ପୃଷ୍ଟିଙ୍କ ଉପସ୍ଥିତିରେ ବିଡିଓଙ୍କୁ ଏକ ଦାବିପତ୍ର ପ୍ରଦାନ କରିଥିଲେ।

ସୂଚନାଯୋଗ୍ୟ ଯେ ଚଳିତ ଋତୁରେ ତିଗିରିଆ ବ୍ଲକରେ ୪୧୦୩ ହେକ୍ଟର ଜମିରେ ଧାନ ଚାଷ ହୋଇଥିଲା। ତନ୍ମଧ୍ୟରୁ ୧୦୭୩ ହେକ୍ଟର ଜମିରେ ଲଘୁଧାନ ଚାଷ ହୋଇଥିଲା। ଏଥିସହିତ ୯୯୬ ହେକ୍ଟର ଜମିରେ ଅଣଧାନ ଚାଷ ହୋଇଥିଲା। ଗତ ସପ୍ତାହରେ ଲଗାଣ ବର୍ଷାରେ ଏହିସବୁ ଫସଲ ନଷ୍ଟ ହୋଇଛି। ତିଗିରିଆରେ ଆନୁମାନିକ ୫ରୁ ୧୦ ପ୍ରତିଶତ ଫସଲ ହାନି ହୋଇଥିବା କୃଷି ବିଭାଗ କହୁଥିବାରୁ ଏହାକୁ ନେଇ କୃଷକମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। କୃଷକମାନଙ୍କ ଦାବି ମୁତାବକ ଆଜି ବିଳମ୍ବିତ ସନ୍ଧ୍ୟାରେ ବିଧାୟକ ଓ ବିଭାଗୀୟ ଅଧିକାରୀମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା।

ସମ୍ବନ୍ଧିତ ଖବର