ପଦ୍ମପୁର : ବୀମା କମ୍ପାନିର ପ୍ରତାରଣା ଏବଂ ଚାଷୀଙ୍କ ପ୍ରତି ପ୍ରଶାସନର ଅସହଯୋଗ ପ୍ରତିବାଦରେ ଶତାଧିକ ଚାଷୀ ଆଜି ପଦ୍ମପୁର ଉପଜିଲ୍ଲାପାଳ କାର୍ଯ୍ୟାଳୟ ଘେରାଉ କରିଛନ୍ତି। କୌଣସି କର୍ମଚାରୀଙ୍କୁ ଭିତରକୁ ପଶିବାକୁ ନଦେଇ କାର୍ଯ୍ୟାଳୟ ଅଚଳ କରି ଦେଇଛନ୍ତି। ଏପରିକି ଫସଲବୀମା ନେଇ ବୀମା କମ୍ପାନି ଦେଇଥିବା ରିପୋର୍ଟକୁ ପୋଡ଼ି ଦେଇଥିବା ଜଣାପଡ଼ିଛି।
Sambad is now on WhatsApp
Join and get latest news updates delivered to you via WhatsApp
୨୦୧୮ ଖରିଫ ଫସଲ ବୀମାରେ ସୃଷ୍ଟି ହୋଇଥିବା ତ୍ରୁଟିବିଚ୍ୟୁତି ସମାଧାନ ଏବଂ ଚାଷୀଙ୍କୁ ଉଚିତ ବୀମା ରାଶି ପ୍ରଦାନ ଦାବିରେ ରାଜବୋଡ଼ାସମ୍ବର କ୍ୃଷକ ସଂଗଠନର ନେତୃତ୍ବରେ ଏହି ଆନ୍ଦୋଳନ ହୋଇଥିଲା। ପୂର୍ବରୁ ଚାଷୀ ପ୍ରତିନିଧି ମାନେ ୨୦୧୮ ଖରିଫ ଫସଲ ବୀମାରେ ଦେଖା ଦେଇଥିବା ବିଭ୍ରାଟ ନେଇ ଜିଲ୍ଲାପାଳଙ୍କ ସହ ଆଲୋଚନା କରିଥିଲେ। କିନ୍ତୁ କିଛି ସୁଫଳ ମିଳିଲା ନାହିଁ। ବୀମା କମ୍ପାନି ଓରିଏଣ୍ଟାଲ ଇନ୍ସୁରାନ୍ସ କ୍ରପ୍କଟିଂ ଆଧାରରେ ଚାଷୀଙ୍କୁ ଯେତିକି ବୀମା ରାଶି ମିଳିବା କଥା, ସେତିକିରୁ ୩୦ରୁ ୪୦ ପ୍ରତିଶତ କମ୍ ଟଙ୍କା ମିଳିବ ବୋଲି ରିପୋର୍ଟରେ ଦର୍ଶାଇଛି।
ରିପୋର୍ଟ ଅନୁସାରେ ବୀମା ଟଙ୍କା ମିଳିଲେ ସୋହେଲା, ପଦ୍ମପୁର, ଝାରବନ୍ଧ ଏବଂ ବିଜେପୁର ବ୍ଲକର ଶତାଧିକ ଚାଷୀ କ୍ଷତିଗ୍ରସ୍ତ ହେବେ। ଯାହା ଗ୍ରହଣୀୟ ନୁହେଁ ବୋଲି ଚାଷୀମାନେ ଅଭିଯୋଗ କରି ରିପୋର୍ଟ ପୋଡ଼ି ଦେଇଥିଲେ। ଏପରିକି ଉପଜିଲ୍ଲାପାଳଙ୍କ ଆବାସିକ କାର୍ଯ୍ୟାଳୟ ମଧ୍ୟ ଚାଷୀ ଘେରିଥିଲେ।
ଉପଜିଲ୍ଲାପାଳ ବୀମା କମ୍ପାନି କର୍ତୃପକ୍ଷଙ୍କ ସହିତ ଫୋନ୍ରେ କଥା ହୋଇଥିଲେ ହେଁ ଚାଷୀମାନେ ଏଥିରେ ସନ୍ତୁଷ୍ଟ ହୋଇନଥିଲେ। ଆସନ୍ତା ୨୫ ତାରିଖ ସୁଦ୍ଧା ଚାଷୀଙ୍କୁ ଉଚିତ ବୀମା ରାଶି ନମିଳିଲେ ତୀବ୍ର ଆନ୍ଦୋଳନ ହେବ ବୋଲି ଘୋଷଣା କରିଥିଲେ।