ଧାନ ବିକି ପାରୁ ନାହାନ୍ତି ଚାଷୀ, ଲ୍ୟାମ୍ପସ ସମ୍ମୁଖରେ ଧାରଣା

ହରିଚନ୍ଦନପୁର : ଟୋକନ ଅଛି, ଟାର୍ଗେଟ ନାହିଁ। ଟୋକନ ଧରି ଚାଷୀ ଧାନ ଆଣି ମଣ୍ଡିରେ ପଡିଛି। ସେପଟେ ଟୋକନ ଅବଧି ଶେଷ ହୋଇଯାଉଛି। ଅନ୍ୟପଟେ ଟାର୍ଗେଟ ଆସୁ ନଥିବା ଦର୍ଶାଇ ଧାନ କିଣାଯାଉ ନାହିଁ। ଏଭଳି ସ୍ଥିତିରେ ଚାଷୀ ନୟାନ୍ତ ହୋଇପଡ଼ିଲାଣି। ଆଜି ଏଭଳି ସ୍ଥିତିରେ ଚାଷୀମାନେ ଲ୍ୟାମ୍ପସ ସମ୍ମୁଖରେ ଧାରଣାରେ ବସିଛନ୍ତି। ଗୁରୁବାର ୨୦ ରୁ ଅଧିକ ଚାଷୀ ହରିଚନ୍ଦନପୁର ଲ୍ୟାମ୍ପସ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଥିଲେ। ପୂର୍ବରୁ ଆମ ନାମରେ ଟୋକନ ଥିବାରୁ ଆମ ଧାନ ପ୍ରଥମେ କିଣା ଯାଉ ଏବଂ ପରେ ଅନ୍ୟ ଚାଷୀଙ୍କ ଧାନ କିଣାଯାଉ ବୋଲି ଧାରଣାରେ ବସିଥିବା ଚାଷୀ ଦାବି କରିଛନ୍ତି। ଆମ ଧାନ କିଣା ନଗଲେ ମଣ୍ଡିରେ ଅନ୍ୟ ଚାଷୀଙ୍କ ଧାନ ବିକ୍ରି କରାଇ ଦେବୁ ନାହିଁ ବୋଲି ଚାଷୀମାନେ ଚେତାବନୀ ଦେଇଛନ୍ତି।

ଚାଷୀମାନେ ଟୋକନ ପାଇବାର ଏକ ମାସ ମଧ୍ୟରେ ମଣ୍ଡିରେ ଧାନ ବିକ୍ରି କରି ପାରିବେ। ନଚେତ ସେମାନଙ୍କର ରୋକନ ଲାପସ୍ ହୋଇଯିବ। ସରକାର ଚାଷୀଙ୍କୁ ଟୋକନ ଦେଇଥାଏ ଏବଂ ଲ୍ୟାମ୍ପସକୁ ଚାଷୀଙ୍କ ଠାରୁ ଧାନ କିଣିବା ପାଇଁ ଟର୍ଗେଟ ଦେଇଥାଏ। ଧାରଣାରେ ବସିଥିବା ଚାଷୀମାନେ ଟୋକନ ପାଇଥିଲେ ମଧ୍ୟ ସେହି ସମୟରେ ଲ୍ୟାମ୍ପସକୁ ଟାରଗେଟ ଆସିନଥିଲା। ଚାଷୀ କୁନା ସାହୁ , ଅଧିକାରୀ ବେଜ , ଗୋବିନ୍ଦ ବେଜ୍ , ବନମାଳୀ ବେଜ , ରମେଶ ସାହୁ , ବିକ୍ରମ ସାହୁ , ନାରାୟଣ ସେଠୀ , ଜାଗା ସ୍ୱାଇଁ ପ୍ରମୁଖଙ୍କ ଟୋକନ ଲାପସ ହୋଇଯାଇଛି। ସେମାନଙ୍କୁ ଆଉଥରେ ଟୋକନ ଦିଆଯାଉ ବୋଲି ସେମାନେ ଦାବି କରିଛନ୍ତି। ଘଟଣା ସ୍ଥଳରେ ତହସିଲଦାର ପ୍ରଶାନ୍ତ କୁମାର ସେଠୀ ପହଞ୍ଚି ଚାଷୀଙ୍କୁ ବୁଝାଇ ଥିଲେ ମଧ୍ୟ ସେମାନେ ତାଙ୍କ ଜିଦରେ ଅଟଳ ରହିଥିଲେ। ଟୋକନ ଲାପସ ହୋଇଥିବା ଚାଷୀଙ୍କ ଏକ ତାଲିକା ପ୍ରସ୍ତୁତ କରି ପୁଣି ଥରେ ଟୋକନ ପ୍ରଦାନ ପାଇଁ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଚିଠି କରିବା ପାଇଁ ଲ୍ୟାମ୍ପସର ପରିଚାଳନା ନିର୍ଦ୍ଦେଶକ ଅନନ୍ତ ଚରଣ ମହାନ୍ତଙ୍କୁ ତହସିଲଦାର ନିର୍ଦ୍ଦେଶ ଦେଇଥିଲେ।

ଆଜି ହରିଚନ୍ଦନପୁର, ରେବଣାପଳାଶପାଳ ଓ ଭଗାମୁଣ୍ଡା ମଣ୍ଡିରେ ୬୫ ଜଣ ଚାଷୀଙ୍କ ଠାରୁ ୮୫୦୦ କୁଇଣ୍ଟାଲ ଧାନ କିଣିବା ପାଇଁ ଟୋକନ ଥିବା ବେଳେ ୩ ହଜାର କୁଇଣ୍ଟାଲର ଟାର୍ଗେଟ ଆସିଛି। ଚାଷୀମାନଙ୍କ ଠାରୁ ଧାନ କିଣା ନହେଲେ ଆସନ୍ତାକାଲି ଏହି ୬୫ ଜଣ ଚାଷୀଙ୍କ ଟୋକନ ମଧ୍ୟ ଲାପସ୍ ହୋଇଯିବ ବୋଲି ପରିଚାଳନା ନିର୍ଦ୍ଦେଶକ ଶ୍ରୀ ମହାନ୍ତ ଜଣାଇଛନ୍ତି। ସନ୍ଧ୍ୟା ପର୍ଯ୍ୟନ୍ତ ଚାଷୀମାନେ ଲ୍ୟାମ୍ପସ ସମ୍ମୁଖରେ ବସିଥିଲେ। ସରକାର ଚାଷୀଙ୍କୁ ଟୋକନ ଦେବା ସହ ଲାମ୍ପସକୁ ସେହି ଅନୁସାରେ ଟାର୍ଗେଟ ଦେବା ପ୍ରତି ଦୃଷ୍ଟି ଦେବାକୁ ଚାଷୀଙ୍କ ପକ୍ଷରୁ ଦାବି ହେଉଛି।

ସମ୍ବନ୍ଧିତ ଖବର