ମାଲକାନଗିରି/ନାକଟିଦେଉଳ/ଯାଜପୁର :ଧାନ ମଣ୍ଡି ଖୋଲାଯିବା ପ୍ରସଙ୍ଗରେ ରାଜ୍ୟର କେତେକ ସ୍ଥାନରେ ଚାଷୀ ଅସନ୍ତୋଷ ଦେଖାଦେଇଛି। କେତେକ ସ୍ଥାନରେ ଧାନ ମଣ୍ଡି େଖାଲାଯାଇଥିଲେ ମଧ୍ୟ ଆରମ୍ଭରୁ ବିଭ୍ରାଟ ଦେଖାଦେଇଛି। ଏହାର ପ୍ରତିବାଦରେ ଚାଷୀମାନେ ରାସ୍ତା ଅବରୋଧ କରିଛନ୍ତି। ଆଉ କେତେକ ସ୍ଥାନରେ ଧାନ ମଣ୍ଡି ଖୋଲାଯିବା ବିଳମ୍ବିତ ହୋଇଛି। ଫଳରେ, ଚାଷୀ ନିଜର କଷ୍ଟଲବ୍ଧ ଉତ୍ପାଦକୁ ସରକାରୀ ଧାର୍ଯ୍ୟ ଦରଠାରୁ ବହୁ କମ୍ ଦରରେ ବିକ୍ରି କରିବାକୁ ବାଧ୍ୟ ହେଉଛି।
ଆଜି ଏହି ଘଟଣାକୁ ନେଇ ରାଜ୍ୟର କେତେକ ସ୍ଥାନରେ ଉତ୍ତେଜନା ପ୍ରକାଶ ପାଇଛି। କ୍ବିଣ୍ଟାଲ ପିଛା ୫କିଲୋଗ୍ରାମ ଧାନ କିଟି ବିକ୍ରିକୁ ମାଲକାନଗିରି ଜିଲ୍ଲା ଖଇରପୁଟ ଅଞ୍ଚଳର ଚାଷୀଙ୍କ ବିରୋଧ ଜାରି ରହିଛି। ଯାହାଫଳରେ ମଣ୍ଡି ଆରମ୍ଭରୁ ଏଠାରେ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇ ଅଚଳାବସ୍ଥା ଲାଗି ରହିଥିଲା। ଏହାସେତ୍ତ୍ବ ଯୋଗାଣ ବିଭାଗ କିମ୍ବା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଉ ନଥିବାରୁ ଚାଷୀ ଆଜି ତାତି ଯାଇଥିଲେ। ଏପରିକି ଧାନବସ୍ତା ରାଜରାସ୍ତା ଉପରେ ରଖି ଅବରୋଧ କରିବା ସହ ଧାରଣା ଦେଇଥିଲେ। ଏଥିଯୋଗୁଁ ରାସ୍ତାରେ କିଛି ସମୟ ପାଇଁ ଗାଡ଼ି ଚଳାଚଳ ବାଧାପ୍ରାପ୍ତ ହୋଇଥିଲା।
ସମ୍ବଲପୁର ମାରୱାଡିମୁଣ୍ତା ସ୍ଥିତ ନାକଟିଦେଉଳ ଧାନ ମଣ୍ତି ସମ୍ମୁଖରେ ବିକ୍ରି ପାଇଁ ଆଣିଥିବା ଧାନ ବସ୍ତା ରଖି ଚାଷୀମାନେ ନାକଟିଦେଉଳ-ଦେବଗଡ଼ ରାସ୍ତା ଅବରୋଧ କରିଥିଲେ। ନିର୍ଧାରିତ ନିୟମ ଓ ବ୍ୟବସ୍ଥା ମଧ୍ୟରେ ଧାନ ମଣ୍ଡି ଖୋଲି ନଥିବାରୁ ଏହି ଅବ୍ୟବସ୍ଥା ଦେଖା ଯାଇଥିବା ସେମାନେ ଅଭିଯୋଗ କରିଥିଲେ। କିଛି ବେପାରୀ ଅନ୍ୟ ଜିଲ୍ଲାରୁ ଧାନ ଆଣି ସମ୍ବଲପୁର ଜିଲ୍ଲା ନାକଟିଦେଉଳ ମଣ୍ତିରେ ଅଧିକାରୀଙ୍କୁ ହାତ କରି ପି-ପାସ ସାହାଯ୍ୟରେ ମଣ୍ତିରେ ଅନଲୋଡ ନକରି ସିଧାସଳଖ ମିଲ୍କୁ ପଠାଉଥିବା ଚାଷୀମାନେ ଅଭିଯୋଗ କରିଥିଲେ। ‘ ଚାଷୀମାନେ ନିଜ ଧାନକୁ ମଣ୍ତିରେ ଓଜନ କରିବା ପରେ ପି-ପାସ୍ ପାଇ ମିଲକୁ ନେବା ବ୍ୟବସ୍ଥା ରହିଛି। ଧାନ ବେପାରୀମାନେ ପ୍ରାୟ ୧ ହଜାରରୁ ୧୨ଶହ ଟଙ୍କାରେ ଧାନ କିଣି ଚାଷୀଠାରୁ କାର୍ଡ ସ˚ଗ୍ରହ କରି ଆଣି ଟ୍ରକରେ ଠିଆ କରିବା ସହ ବିନା ଓଜନରେ ପି-ପାସ ଜରିଆରେ ମିଲର୍ସକୁ ୧୭୫୦ ଟଙ୍କାରେ ବିକ୍ରି କରୁଛନ୍ତି,’ ବୋଲି ଅଭିଯୋଗ କରିଛନ୍ତି ଚାଷୀ ସଙ୍ଗଠନର ସଭାପତି ପ୍ରଶାନ୍ତ ପ୍ରଧାନ।
ଅନ୍ୟପକ୍ଷରେ, ଯାଜପୁର ଜିଲ୍ଲାରେ ମଣ୍ଡି ଖୋଲିବାରେ ବିଳମ୍ବ ଯୋଗୁଁ ବିଲରୁ ଧାନ ଘରକୁ ଯିବା ପୂର୍ବରୁ ଦଲାଲମାନେ ଗାଡ଼ି ଲଗାଇ ନେଇ ଯାଉଛନ୍ତି। ସରକାରୀ ବ୍ୟବସ୍ଥାରେ ଧାନ କିଣାବିକାରେ ଚାଷୀମାନେ ନାହିଁ ନଥିବା ଅସୁବିଧା ଭୋଗ କରୁଥିବାରୁ ଦଲାଲ ଅଣ୍ଟିରେ କଷ୍ଟଲବ୍ଧ ଶସ୍ୟକୁ ଅଜାଡ଼ି ଦେଉଛନ୍ତି। ବିଲରେ ରକ୍ତ ନିଗାଡ଼ି ମରୁଡ଼ି ଓ ବନ୍ୟା ଦାଉରୁ ଉତ୍ତାରିଥିବା ସୁନାର ଫସଲକୁ କେତେକ ମିଲର, ଦଲାଲ ଏବଂ ସରକାରଙ୍କ କେତେକ ଏଜେନ୍ସି ମିଳିତ ଭାବେ ଲୁଟି ନେବାକୁ ଆଖେଇଛନ୍ତି। ଯାହା ଫଳରେ ଗତ ବର୍ଷ ଭଳି ବିଭିନ୍ନ ଆଳରେ ଏଥର ମଧ୍ୟ ଚାଷୀମାନଙ୍କୁ ଠାରୁ ଧାନ କିଣିବା କ୍ଷେତ୍ରରେ କାଳେକ୍ଷପଣ ନୀତି ଆପଣେଇଥିବା ଅଭିଯୋଗରୁ ଜଣାପଡ଼ିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/12/SBPHO5-Naktideul-re-Chassi-nka-Rasta-Roka.jpg)