ହରିଚନ୍ଦନପୁର : ଧାନକିଣା ବନ୍ଦ ପ୍ରତିବାଦରେ ତାତିଲେ ଚାଷୀ

ହରିଚନ୍ଦନପୁର : ସରକାର ଚାଷୀଙ୍କୁ ଧାନ ବିକ୍ରି କରିବାକୁ ଟୋକନ ଦେଉଛନ୍ତି। ହେଲେ ଲ୍ୟାମ୍ପ୍‌ସକୁ ଧାନ କିଣିବାପାଇଁ ଟାର୍ଗେଟ ଦେଉନାହାନ୍ତି। ଫଳରେ ଚାଷୀମାନେ ମଣ୍ଡିରେ ଧାନ ବିକ୍ରି କରି ନପାରି କମ୍ ମୂଲ୍ୟରେ ବେପାରୀଙ୍କୁ ବିକ୍ରି କରୁଛନ୍ତି। ଚାଷୀ ଧାନର ଉଚିତ ମୂଲ୍ୟ ପାଉନି। ସରକାରଙ୍କ ଏହି ଚାଷୀ ମାରଣ ନୀତି ପ୍ରତିବାଦରେ ବିଭିନ୍ନ ସ୍ଥାନରେ ଆନ୍ଦୋଳନ ଚାଲିଛି। ଟୋକନ ଦିଆଯାଇଥିବା ଚାଷୀଙ୍କଠାରୁ ତୁରନ୍ତ ଧାନ କିଣିବା ଦାବିରେ ଆଜି ବିଜେପି ପକ୍ଷରୁ ହରିଚନ୍ଦନପୁର ଲ୍ୟାମ୍ପ୍‌ସ ସମ୍ମୁଖରେ ଧାରଣା ଦିଆଯାଇଥିଲା।

ଏଥିରେ ବିଜେପି ହରିଚନ୍ଦନପୁର ମଣ୍ଡଳ ସଭାପତି ଜୟକୃଷ୍ଣ ମହାନ୍ତ ସଭାପତିତ୍ବ କରିଥିଲେ। ବିଜେପି ରାଷ୍ଟ୍ରୀୟ କୃଷକମୋର୍ଚ୍ଚା ଉପସଭାପତି ମହେଶ୍ୱର ସାହୁ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ତଥା ପୂର୍ବତନ ବିଧାୟକ ଧନୁର୍ଜୟ ସିଦ୍ଧୁ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପୃଥ୍ବୀରାଜ କୁଅଁର, ପୂର୍ବତନ ଜିଲ୍ଲା ସଭାପତି ରାଧାକାନ୍ତ ମହାନ୍ତ ଓ ପୂର୍ବତନ ଜିଲ୍ଲା ସାଧାରଣ ସମ୍ପାଦକ ସୁବ୍ରତ ମହାନ୍ତି ସାମିଲ ହୋଇ ରାଜ୍ୟ ସରକାରଙ୍କ ଚାଷୀମାରଣ ନୀତିକୁ ନିନ୍ଦା କରିଥିଲେ। ଟୋକନ ପାଇଥିବା ଚାଷୀଙ୍କଠାରୁ ତୁରନ୍ତ ଧାନ କିଣିବା ସହ ଲ୍ୟାମ୍ପ୍‌ସରେ ପଞ୍ଜୀକରଣ କରିଥିବା ଚାଷୀଙ୍କୁ ଟୋକନ ଦେଇ ସେମାନଙ୍କଠାରୁ ଧାନ କିଣିବାକୁ ଦାବି କରିଥିଲେ। ହରିଚନ୍ଦନପୁର ଲ୍ୟାମ୍ପ୍‌ସ ପକ୍ଷରୁ ହରିଚନ୍ଦନପୁର, ବଡ଼ପଳାଶପାଳ, ରେବଣାପଳାଶପାଳ ଓ ଭଗାମୁଣ୍ଡାରେ ମଣ୍ଡି ଖୋଲାଯାଇ ଚାଷୀଙ୍କଠାରୁ ଧାନ କିଣାଯାଉଛି। ଆଜିପର୍ଯ୍ୟନ୍ତ ଚାଷୀଙ୍କୁ ୮୬ ହଜାର କୁଇଣ୍ଟାଲ ଧାନ ବିକିବାକୁ ଟୋକନ ଦିଆଯାଇଛି। କିନ୍ତୁ ଲ୍ୟାମ୍ପ୍‌ସକୁ ଟାର୍ଗେଟ ମିଳିଛି ମାତ୍ର ୪୮ ହଜାର କୁଇଣ୍ଟାଲ ଧାନ କିଣିବାକୁ।

ସେହିପରି ଜଂଘିରା ଳ୍ୟାମ୍ପ୍‌ସ ପକ୍ଷରୁ ଜଂଘିରା, ବକ୍ସିବାରିଗାଁ ଓ ପିଠାଗୋଳରେ ମଣ୍ଡି ଖୋଲାଯାଇ ଚାଷୀଙ୍କଠାରୁ ଧାନ କିଣାଯାଉଛି। ଏହି ଲ୍ୟାମ୍ପ୍‌ସ ଅଧୀନରେ ଥିବା ଚାଷୀଙ୍କୁ ୫୫ ହଜାର କୁଇଣ୍ଟାଲ ଧାନ ବିକ୍ରି କରିବାକୁ ଟୋକାନ ଦିଆଯାଇଛି। କିନ୍ତୁ ଲ୍ୟାମ୍ପ୍‌ସକୁ ଟାର୍ଗେଟ ଦିଆଯାଇଛି ମାତ୍ର ୩୫ ହଜାର କୁଇଣ୍ଟାଲ ଧାନ କିଣିବାପାଇଁ। ଏଭଳି ସ୍ଥିତିରେ ଟୋକନ ପାଇଥିଲେ ମଧ୍ୟ ଚାଷୀ ଧାନ ବିକ୍ରି କରିପାରୁ ନଥିବାରୁ ସେମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। ଏହାର ପ୍ରତିବାଦରେ ବିଜେପି ପକ୍ଷରୁ ହରିଚନ୍ଦନପୁର ଲ୍ୟାମ୍ପ୍‌ସ ସମ୍ମୁଖରେ ଧାରଣା ଦିଆଯାଇଥିଲା। ଧାରଣାସ୍ଥଳକୁ ବିଡିଓ ସୁବ୍ରତ କୁମାର ଜେନା, ତହସିଲଦାର ପ୍ରଶାନ୍ତ କୁମାର ସେଠୀ, ଥାନା ଅଧିକାରୀ ମନୋରଞ୍ଜନ ପ୍ରଧାନ ଓ ଲ୍ୟାମ୍ପ୍‌ସର ପରିଚାଳନା ନିର୍ଦ୍ଦେଶକ ଅନନ୍ତ ଚରଣ ମହାନ୍ତ ଯାଇ ଚାଷୀ ଓ ବିଜେପି ନେତାଙ୍କ ସହ ଆଲୋଚନା କରିଥିଲେ। ଟୋକନ ପାଇଥିବା ଚାଷୀଙ୍କଠାରୁ ଧାନ କିଣିବା ପାଇଁ ଜିଲ୍ଲା ପ୍ରଶାସନକୁ ଅବଗତ କରାଇବେ ବୋଲି ବିଡିଓ ଶ୍ରୀ ଜେନା ପ୍ରତିଶ୍ରୁତି ଦେବାପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା। ଏହି ଧାରଣାରେ ବ୍ରାହ୍ମଣୀପାଳ ମଣ୍ଡଳ ସଭାପତି ହୃଷୀକେଶ ମହାନ୍ତ, ସରପଞ୍ଚ ରାଜେଶ ଗାଗରାଇ, ପୂର୍ବତନ ମଣ୍ଡଳ ସଭାପତି ଅଭିମନ୍ୟୁ ସାହୁ, ଅଭୟ କୁମାର ରଥ, ଜଳଧର ସାହୁ, କ୍ଷେତ୍ରବାସୀ ମହାନ୍ତ, ପଞ୍ଚାନନ ସାହୁ, ସୁଧାକର ସାହୁ, ସୁଶାନ୍ତ ମହାନ୍ତ, ସଂଜୟ ସାହୁ, ଚତୁର୍ଭୁଜ ସାହୁ, ହିମାଂଶୁ ଶେଖର ସାହୁ ସାମିଲ ହୋଇଥିଲେ।

ସମ୍ବନ୍ଧିତ ଖବର