କପାଣିରେ ଚାଷୀ ସଂଗଠନର ବିକ୍ଷୋଭ: କପା, ଧାନ ବସ୍ତା ରଖି ରାସ୍ତା ଅବରୋଧ

ବେଲପଡ଼ା: ବେଲପଡ଼ା ବ୍ଲକ୍‌ରେ ଚାଷୀମାନେ ତାଙ୍କ ଉତ୍ପାଦିତ ଦ୍ରବ୍ୟ ଧାନ, କପା ବିକ୍ରି କରିବା ପାଇଁ ଘୋର ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବେଲପଡ଼ା ବ୍ଲକ୍‌ରେ ଥିବା ମଣ୍ତିଗୁଡ଼ିକରେ ନାନାଦି ଅବ୍ୟବସ୍ଥା ଲାଗି ରହିଥିବାରୁ କଟନି ଛଟନି, ଏଫ୍‌କ୍ୟୁ ମାନର ଧାନ କପାର ଆର୍ଦତା ଆଦି ପାଇଁ ମଣ୍ତିଗୁଡ଼ିକରେ ୮କେଜି ୧୦ କେଜି କଟନି ଛଟନିକୁ ଚାଷୀମାନେ ଘୋର ବିରୋଧ କରୁଛନ୍ତି। କଟନି ଛଟନି ଯୋଗୁଁ ଧୁମାଭଟା ଧାନ ମଣ୍ତି ୨ସପ୍ତାହ ହେଲା ଖୋଲା ଯାଇଥିଲେ ମଧ୍ୟ ମଲର୍ସଙ୍କ ଜିଦ୍‌ ଓ ଛାଷୀମାନଙ୍କ ବିରୋଧ ଯୋଗୁଁ ଉକ୍ତ ମଣ୍ତିରେ ଆଜିଯାଏ ଧାନ ଉଠିପାରି ନାହିଁ। ଏହି ସବୁ ଅବ୍ୟବସ୍ଥାକୁ ନେଇ ଶନିବାର ପାଟଣାଗଡ଼ ବେଲପଡ଼ା ମୁଖ୍ୟ ରାସ୍ତା କପାଣି ଛକଠାରେ ଚାଷୀମାନେ ରାସ୍ତା ଅବରୋଧ କରି ବିକ୍ଷୋଭ ପ୍ରଦର୍ଶନ କରିଥିଲେ।

ବ୍ଲକ୍‌ର ଜୟ କିଷାନ ଆନ୍ଦୋଳନ ଓ ବିଭିନ୍ନ ଚାଷୀ ସଂଗଠନ ଏଥିରେ ସାମିଲଥିଲେ। ରସ୍ତା ଉପରେ ଧାନ, କପା ବସ୍ତା ରଖି ଚାଷୀମାନେ ସରକାର ଓ ସ୍ଥାନୀୟ ପ୍ରଶାସନକୁ ସମାଲୋଚନା କରିଥିଲେ। ରାସ୍ତାରୋକ ଦିନ ୧୦ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ଲାଗିରହିଥିଲା। ବିକ୍ଷୋଭ ସ୍ଥଳକୁ ବେଲପଡ଼ା ତହସିଲଦାର ପ୍ରିୟରଂଜନ କୁମାର, ପାଟଣାଗଡ଼ ଏସ୍‌ଡିପିଓ ସୁରେଶ ଚନ୍ଦ୍ର ନାଏକ, ବେଲପଡ଼ା ଥାନା ଆଇଆଇସି ସଚ୍ଚିଦାନନ୍ଦ ବରିହା ଓ ଥାନା ଅଧିକାରୀ କିରନ ଜାନୀ ପ୍ରମୁଖ ଚାଷୀନେତା ବନମାଳି ନାଏକ, ଅଚ୍ୟୁତ ସିପୁନ ଖମାରୀ, ଗିରି ଭୋଇ ପ୍ରମୁଖଙ୍କ ସହ ଆଲୋଚାନା କରିଥିଲେ। ଚାଷୀମାନେ କଟନି ଛଟନିକୁ ବନ୍ଦ ପାଇଁ ଅଡ଼ି ବସିଥିଲେ। ପରେ ତହସିଲଦାର ମିଲର୍‌ମାନ ସହ ଆଲୋଚାନ କରି ପଦକ୍ଷେପ ନେବେ ବୋଲି ଚାଷୀମାନଙ୍କୁ କହିଥିଲେ। ଚାଷୀମାନେ ସ୍ଥାନୀୟ ପ୍ରଶାସକଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ୭ଦଫା ଦାବିପତ୍ର ଦେଇଥିଲେ। ତଦସିଲଦାର ଚାଷୀମାନଙ୍କ ସମସ୍ତ ଦାବି ଜିଲ୍ଲାପାଳଙ୍କୁ ଜଣାଇବେ ବୋଲି ପ୍ରତିଶ୍ରୁତି ଦେବା ପରେ ରାସ୍ତା ଅବରୋଧ ହଟିଥିଲା।

ସମ୍ବନ୍ଧିତ ଖବର