ଭୁବନେଶ୍ବର : କରୋନା ବା କୋଭିଡ୍-୧୯ ଯୋଗୁଁ ସାରା ଦେଶରେ ତାଲାବନ୍ଦ ଚାଲିଥିବାରୁ ରବି ଧାନ ସଂଗ୍ରହ ପାଇଁ ଚାଷୀଙ୍କ ପଞ୍ଜୀକରଣ ତାରିଖ ଅବଧିକୁ ଗୋଟିଏ ସପ୍ତାହ ସରକାର ବୃଦ୍ଧି କରିଛନ୍ତି। ଆଜି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁଙ୍କ ନିର୍ଦ୍ଦେଶକ୍ରମେ ଏହି ଅବଧିକୁ ଆସନ୍ତା ୧୪ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଏ ନେଇ ବିଭାଗୀୟ ଅତିରିକ୍ତ ଶାସନ ସଚିବ ୧୭ଟି ଜିଲ୍ଲାର ଜିଲ୍ଲାପାଳଙ୍କ ସମେତ ସମବାୟ ନିବନ୍ଧକଙ୍କୁ ଚିଠି ଲେଖି ଜଣାଇଦେଇଛନ୍ତି।
ଚିିଠି ଅନୁଯାୟୀ, ବାଲେଶ୍ବର, ବରଗଡ଼, ବଲାଙ୍ଗୀର, ବୌଦ୍ଧ, କଟକ, ଯାଜପୁର, ଝାରସୁଗୁଡ଼ା, କଳାହାଣ୍ଡି, ଖୋର୍ଦ୍ଧା, କୋରାପୁଟ, ମୟୂରଭଞ୍ଜ, ନବରଙ୍ଗପୁର, ନୂଆପଡ଼ା, ପୁରୀ, ରାୟଗଡ଼ା, ସମ୍ବଲପୁର ଓ ସୁବର୍ଣ୍ଣପୁର ଜିଲ୍ଲାରେ ରବି ଧାନ ବିକିବା ପାଇଁ ଏବେସୁଦ୍ଧା ୧ ଲକ୍ଷ ୮୩ ହଜାର ୧୬୫ ଜଣ ଚାଷୀ ସେମାନଙ୍କର ନାମ ନବୀକରଣ ଓ ପଞ୍ଜୀକରଣ କରିଛନ୍ତି। ୨୦୨୯-୨୦ ଖରିଫ୍ ସଂଗ୍ରହ ବର୍ଷର ରବି ଧାନ କିଣିବା ପାଇଁ ଏସବୁ ଜିଲ୍ଲାଗୁଡ଼ିକରେ ଚାଷୀ ପଞ୍ଜୀକରଣ କାର୍ଯ୍ୟ ଗତମାସ ପହିଲାରୁ ଆରମ୍ଭ ଚଳିତମାସ ୭ ତାରିଖ ପର୍ଯ୍ୟନ୍ତ ଧାର୍ଯ୍ୟ ହୋଇଥିଲା। କିନ୍ତୁ ରାଜ୍ୟରେ କରୋନା ମହାମାରୀ ସ୍ଥିତି ଯୋଗୁଁ ଚାଷୀମାନେ ପଞ୍ଜୀକରଣ କରିବାରେ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହାକୁ ଦୃଷ୍ଟିରେ ରଖି ସରକାର ସମସ୍ତ ଆବେଦନକାରୀ ଚାଷୀଙ୍କ ଫର୍ମ୍ଗୁଡ଼ିକର ଡିଜିଟାଇଜେସନ୍ କାର୍ଯ୍ୟ ୧୮ ତାରିଖ ସୁଦ୍ଧା ଶେଷ କରିବାକୁ ସବୁ ପ୍ରାଥମିକ ସମବାୟ ସମିତି, ଲ୍ୟାମ୍ପ୍ସ୍, ମହିଳା ସ୍ବୟଂସହାୟକ ଗୋଷ୍ଠୀଗୁଡ଼ିକୁ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ଅଭିଯୋଗ ପାଇଁ ୨୦ ତାରିଖ ଏବଂ ଆସନ୍ତା ୩୦ ତାରିଖ ସୁଦ୍ଧା ଚୂଡ଼ାନ୍ତ ପଞ୍ଜୀକୃତ ଚାଷୀଙ୍କ ତାଲିକା ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ୨୦୧୮-୧୯ ଖରିଫ୍ ବର୍ଷରେ ରବି ଧାନ ସଂଗ୍ରହ ପାଇଁ ୧୯ଟି ଜିଲ୍ଲାରେ ମୋଟ୍ ୨ ଲକ୍ଷ ୧୬ ହଜାର ଚାଷୀ ପଞ୍ଜୀକରଣ କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/08/farmer.jpg)