ଡିସେମ୍ବର ୧୫ ଯାଏଁ ଘୁଞ୍ଚିବ ଚାଷୀ ପଞ୍ଜୀକରଣ : ୧୨ ଲକ୍ଷ ଛୁଇଁବ ପଞ୍ଜୀକୃତ ଚାଷୀଙ୍କ ସଂଖ୍ୟା

ଭୁବନେଶ୍ବର : ଚଳିତ ଖରିଫ ଧାନ ସଂଗ୍ରହ ଋତୁରେ ୧୫ ଲକ୍ଷ ଚାଷୀଙ୍କୁ ଆନୁଷ୍ଠାନିକ ଭାବେ ପଞ୍ଜୀକରଣ କରିବାକୁ ରାଜ୍ୟ ସରକାର ଲକ୍ଷ୍ୟଧାର୍ଯ୍ୟ କରିଛନ୍ତି। ଆଜି ସୁଦ୍ଧା ପଞ୍ଜୀକୃତ ଚାଷୀଙ୍କ ସଂଖ୍ୟା ୧୧.୯୭ ଲକ୍ଷରେ ପହଞ୍ଚିଛି। ଆହୁରି ଅଧିକ ସଂଖ୍ୟକ ଚାଷୀଙ୍କୁ ପଞ୍ଜୀକରଣ କରାଯିବା ଲକ୍ଷ୍ୟ ନେଇ ପଞ୍ଜୀକରଣ ପାଇଁ ସମୟସୀମା ଆଉ ମାସେ ଅର୍ଥାତ୍‌ ଡିସେମ୍ବର ୧୫ ତାରିଖ ପର୍ଯ୍ୟନ୍ତ ଘୁଞ୍ଚାଇବାକୁ ସରକାର ନିଷ୍ପତ୍ତି ନେଇଛନ୍ତି।

ଏ ନେଇ ଆସନ୍ତାକାଲି ସୁଦ୍ଧା ଘୋଷଣା କରାଯିବ ବୋଲି ଖାଦ୍ୟ ଯୋଗାଣ ବିଭାଗ ସୂତ୍ରରୁ ଜଣାପଡ଼ିଛି। ଆଜି ସୁଦ୍ଧା ୧୧.୯୭ ଲକ୍ଷ ଚାଷୀ ଧାନ ବିକ୍ରି ପାଇଁ ସେମାନଙ୍କ ନାମ ପଞ୍ଜୀକରଣ କରିସାରିଛନ୍ତିି। ଗତବର୍ଷ ଏହି ତାରିଖ ସୁଦ୍ଧା ୯.୮୬ ଲକ୍ଷ ଚାଷୀଙ୍କ ପଞ୍ଜୀକରଣ ହୋଇଥିଲା। ପଞ୍ଜୀକୃତ ଚାଷୀମାନଙ୍କ ମଧ୍ୟରେ ୧.୮୩ ଲକ୍ଷ ନୂଆ ଚାଷୀ ଅନ୍ତର୍ଭୁକ୍ତ। ମୋଟ ୨୬୧୪ଟି ପ୍ରାଥମିକ କୃଷି ସମବାୟ ସମିତି ବା ପାକ୍‌ସ ଜରିଆରେ ଚାଷୀଙ୍କ ପଞ୍ଜୀକରଣ ଚାଲିଛି। ସୂଚନାଯୋଗ୍ୟ, ଏଥର ସବୁ ବଳକା ଧାନ ବିକ୍ରୟଯୋଗ୍ୟ ବୋଲି ସରକାର ଘୋଷଣା କରିବା ସହିତ ବିକ୍ରି ପାଇଁ କୌଣସି ସୀମା କଟକଣା ରଖିନାହାନ୍ତିି। ତେବେ ୧ ହେକ୍ଟର ଅଣଜଳସେଚିତ ଜମି ପିଛା ୧୩ କ୍ବିଣ୍ଟାଲ୍‌ ଏବଂ ୧ ହେକ୍ଟର ଜଳସେଚିତ ଜମିରୁ ଉତ୍ପାଦିତ ଧାନରୁ ୧୯ କ୍ବିଣ୍ଟାଲ୍‌ ବିକ୍ରି କରିହେବ।

ସମ୍ବନ୍ଧିତ ଖବର