ନୂଆପଡ଼ା: ନୂଆପଡ଼ା ଜିଲ୍ଲା କୋମନା ବ୍ଲକ ପେଣ୍ତରାବନ୍ଧ ଗାଁରେ ରାଜସ୍ବ ନିରୀକ୍ଷକ (ଆର୍ଆଇ) ଓ ଗ୍ରାମ୍ୟ କୃଷି କର୍ମଚାରୀ (ଭିଏଡବ୍ଲୁ)ଙ୍କ ଭୁଲ ରିପୋର୍ଟ ଯୋଗୁଁ ଚାଷୀ ଧାନ ବିକ୍ରିରୁ ବଞ୍ଚିତ ହୋଇଥିବା ଅଭିଯୋଗ ହୋଇଛି। ଏନେଇ ଜିଲ୍ଲା କଂଗ୍ରେସ କମିଟି ଜିଲ୍ଲା ପ୍ରଶାସନର ଦ୍ବାରସ୍ଥ ହୋଇ ସମ୍ପୃକ୍ତ ଆରଆଇ ଓ ଭିଏଡବ୍ଲୁଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛି।
ସୂଚନାମତେ, ଗତ ଖରିଫ ଋତୁରେ ପେଣ୍ତରାବନ୍ଧ ଗାଁର ଖଗେଶ୍ବର ମାଝୀ ଖାତାନଂ ୩୭ରେ ୬ ଏକର ୨୫ ଡିସମିଲ ଓ ବାହାବଲ ମୌଜାରେ ଖାତା ନଂ୧୭ରେ ୧.୨୫ ଜମିରେ ଧାନ ଚାଷ କରିଥିଲେ। ପେଣ୍ତରାବନ୍ଧ ଓ ବାହାବଲ ମୌଜାର ଚାଷ ଜମିର ଧାନ ବିକ୍ରି ପାଇଁ ପେଣ୍ଡରାବନ୍ଧ ସମବାୟ ସମିତିରେ ପଂଜୀକରଣ କରିଥିଲେ। ଏଆର୍ସିଏସ ଅଫିସର ନିର୍ଦ୍ଦେଶ କ୍ରମେ ପେଣ୍ତରାବନ୍ଧ ଆର୍ଆଇ ଓ ଭିଏଡବ୍ଲୁ ମିଳିତ ଭାବେ ତଦନ୍ତ କରି ରିପୋର୍ଟ ପଠାଇଥିଲେ। ଏଥିରେ ବାହାବଲ ମୌଜା ଚାଷ ଜମିରେ ୨୩.୭୫ କ୍ବିଣ୍ଟାଲ ଧାନ ବିକ୍ରି ପାଇଁ ଟୋକନ ଆସିଛି। ଖଗେଶ୍ବରଙ୍କ ନାରେ ଟୋକନ ନଂ ୩୮୯ରେ ଡିସେମ୍ବର ୧୯ରୁ ଜାନୁଆରି ୫ ପର୍ଯ୍ୟନ୍ତ ଧାନ ବିକ୍ରି ଧାର୍ଯ୍ୟ ସମୟ ରହିଛି। ହେଲେ ଗତ ୨୧ ତାରିଖରୁ ମଣ୍ତିରେ ଧାନ ପକାଇ ରଖିଥିବା ବେଳେ ବର୍ତ୍ତମାନ ସୁଦ୍ଧା ଧାନ ବିକ୍ରି ହୋଇନଥିବା କହିଛନ୍ତି। ଏନେଇ ଏଆର୍ସିଏସ ଅଫିସରେ ଖଗେଶ୍ବର ଅନୁସନ୍ଧାନ କରିବାରୁ ପେଣ୍ତରାବନ୍ଧ ମୌଜାର ଚାଷ ଜମି ତିଖାଲି ଲୋୟର ଇନ୍ଦ୍ର ପ୍ରକଳ୍ପରେ ଜଳମଗ୍ନ ଦର୍ଶାଇ କାଟି ଦେଇଥିବା ଜଣାପଡିଛି।
ଫଳରେ ସେ ପେଣ୍ତରାବନ୍ଧ ମୌଜାର ଚାଷ ଜମିର ଧାନ ବିକ୍ରି କରିବାରୁ ବଞ୍ଚିତ ରହିଛନ୍ତି। ଏହାକୁ ନେଇ ସେ ଅସନ୍ତୋଷ ପ୍ରକାଶ କରିଥିବା ବେଳେ ଏହି ଘଟଣାକୁ ନେଇ ଜିଲ୍ଲା କଂଗ୍ରେସ ସଭାପତି ଘାସିରାମ ମାଝୀଙ୍କ ନେତୃତ୍ବରେ ଏକ ପ୍ରତିନିଧି ଦଳ ଜିଲ୍ଲା ପ୍ରଶାସନର ଦ୍ବାରସ୍ଥ ହୋଇଥିଲେ। ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଅତିରିକ୍ତ ଜିଲ୍ଲାପାଳ ଅଗସ୍ତୀ ପ୍ରଧାନଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ। ଘଟଣାର ତଦନ୍ତ କରାଯାଇ ସଂପୃକ୍ତ ଆର୍ଆଇ ଓ ଭିଏଡବ୍ଲୁଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଥିଲେ। ତେବେ ଘଟଣାର ବିହିତ ତଦନ୍ତ କରି ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପ୍ରଧାନ ପ୍ରତିଶ୍ରୁତି ଦେଇଛନ୍ତି। ଦାବିପତ୍ର ପ୍ରଦାନ ସମୟରେ ବରିଷ୍ଠ କଂଗ୍ରେସ ନେତା ଦେବଦତ୍ତ ଦୀକ୍ଷିତ, ନୂଆପଡ଼ା ବ୍ଲକ ସଭାପତି ଜଗଦୀଶ ସାହୁ, ପୂର୍ବତନ ସରପଞ୍ଚ ହରି ମାଝୀ ପ୍ରମୁଖ ଉପସ୍ଥିତ ଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/12/35-24.jpg)