ରବି ଋତୁରେ ୯୦.୭୫% ଚାଷୀ ଧାନ ବିକିଛନ୍ତି

ଧାର୍ଯ୍ୟ ଲକ୍ଷ୍ୟ ଠାରୁ ଅଧିକ ଧାନ ସଂଗ୍ରହ କରି ବିଭାଗ ଖୁସ୍
ସମୀକ୍ଷା ବୈଠକରେ ଚାଷୀଙ୍କ ସମସ୍ୟା ଉଠିଲାନି

ଭୁବନେଶ୍ବର : ଚଳିତ ରବି ଋତୁରେ ରାଜ୍ୟରେ ମୋଟ୍‌ ୧୪ ଲକ୍ଷ ୪୪ ହଜାର ୧୨୧ ମେଟ୍ରିକ ଟନ୍ ଧାନ ସଂଗ୍ରହ କରାଯାଇଛି। ଧାନ ବିକ୍ରି ନିମନ୍ତେ ପଞ୍ଜୀକୃତ କରିଥିବା ଚାଷୀଙ୍କ ମଧ୍ୟରୁ ୯୦.୭୫% ଚାଷୀ ଧାନ ବିକ୍ରି କରିଛନ୍ତି। ଆଜି ଯୋଗାଣ ବିଭାଗ ପକ୍ଷରୁ ରବି ଧାନ ସଂଗ୍ରହ ଉପରେ ହୋଇଥିବା ଏକ ସମୀକ୍ଷା ବୈଠକରେ ଏହି ସୂଚନା ଦିଆଯାଇଛି। ଖରିଫ ବିପଣନ ଋତୁ ୨୦୨୦-୨୧ରେ ଧାର୍ଯ୍ୟ ଲକ୍ଷ୍ୟ ଠାରୁ ୬ ଲକ୍ଷ ମେଟ୍ରିକ୍ ଟନ୍ ଅଧିକ ଧାନ ସଂଗ୍ରହ ହୋଇଥିବାରୁ ବୈଠକରେ ‌ବେଶ୍‌ ଖୁସି ପ୍ରକାଶ କରାଯାଇଛି। କିନ୍ତୁ ଟୋକନ ଲାପ୍ସ ଯୋଗୁ ଧାନ ବିକି ପାରି ନ ଥିବା ଚାଷୀଙ୍କ ସମସ୍ୟା ସମ୍ପର୍କରେ ବୈଠକରେ ପଦୁଟିଏ ବି ଆଲୋଚନା ହୋଇ ନାହିଁ। ସମ୍ପୂର୍ଣ୍ଣ ପ୍ରସଙ୍ଗଟିକୁ ଅଣଦେଖା କରାଯାଇଛି। ସେ ସମ୍ପର୍କରେ କୌଣସି ସ୍ପ‌ଷ୍ଟୀକରଣ ଦେବାକୁ କେହି ଉଚିତ ମଣି ନାହାନ୍ତି।

ବିଭାଗୀୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁଙ୍କ ଅଧ୍ୟକ୍ଷତାରେ ହୋଇଥିବା ଏହି ବୈଠକରେ ସୂଚନା ଦିଆଯାଇଥିଲା ଯେ କୋଭିଡ କଟକଣାକୁ ଅନୁପାଳନ କରି ରାଜ୍ୟର ୧୭ଟି ଜିଲ୍ଲାରେ ୧୦୨୫ଟି ଧାନ ସଂଗ୍ରହ କେନ୍ଦ୍ରରେ ରବି ଧାନ ସଂଗ୍ରହ କରାଯାଇଥିଲା। ୨ ଲକ୍ଷ ୨୪ ହଜାର ୫୪୪ ଜଣ ଚାଷୀଙ୍କ ନାମ ପଞ୍ଜୀକୃତ ଓ ଯାଞ୍ଚ୍‌ ‌ହୋଇଥିଲା ବେଳେ ୨ ଲକ୍ଷ ୩ ହଜାର ୭୮୯ ଜଣ ଚାଷୀ ଧାନ ବିକ୍ରି କରିଥିଲେ। ୨୦୨୦ ରବି ଧାନ ସଂଗ୍ରହ କାର୍ଯ୍ୟକ୍ରମରେ ପଞ୍ଜୀକୃତ ଓ ଯାଞ୍ଚ୍‌ ଚାଷୀଙ୍କ ମଧ୍ୟରୁ ୮୨.୬୯% ଚାଷୀ ଧାନ ବିକିଥିଲେ। ସେହିପରି ଖରିଫରେ ୮୦.୯୫% ପଞ୍ଜୀକୃତ ଓ ଯାଞ୍ଚ୍‌ ଚାଷୀ ଧାନ ବିକ୍ରି କରିଥିଲେ। ଗତ ଖରିଫ ଠାରୁ ଚଳିତ ରବିରେ ପ୍ରାୟ ୧୦% ଅଧିକ ପଞ୍ଜୀକୃତ ଚାଷୀ ଧାନ ବିକ୍ରି କରିଛନ୍ତି। ଖରିଫ ବିପଣନ ଋତୁ ୨୦୨୦-୨୧ ନିମନ୍ତେ ରାଜ୍ୟ ସରକାରଙ୍କ ପକ୍ଷରୁ ୭୧ ଲକ୍ଷ ମେଟ୍ରିକ ଟନ୍ ଖରିଫ ଓ ରବି ଧାନ ସଂଗ୍ରହ କରାଯିବା ପାଇଁ ଲକ୍ଷ୍ୟ ରଖାଯାଇଥିଲା ବେଳେ ମୋଟ ୭୭ ଲକ୍ଷ ୩୭ ହଜାର ୮୭୩ ମେଟ୍ରିକ ଟନ୍ ଧାନ ସଂଗ୍ରହ କରାଯାଇଛି। ଏହା ଧାର୍ଯ୍ୟ ଲକ୍ଷ୍ୟ ଠାରୁ ୬ ଲକ୍ଷ ୩୭ ହଜାର ମେଟ୍ରିକ୍ ଟନ୍‌ରୁ ଅଧିକ। ବରଗଡ଼ରୁ ସର୍ବାଧିକ ୫,୧୧,୦୬୮ ମେଟ୍ରିକ୍ ଟନ୍ ଧାନ ସଂଗ୍ରହ କରାଯାଇଛି। ପଞ୍ଜୀକୃତ ଚାଷୀଙ୍କ ମଧ୍ୟରୁ ନୂଆପଡ଼ା ଜିଲ୍ଲାରେ ୯୬.୯୪%, ବରଗଡ଼ରେ ୯୫.୭୩% ଓ ସୁବର୍ଣ୍ଣପୁରରେ ୯୪.୭୩% ଚାଷୀ ସେମାନଙ୍କ ଧାନ ବିକ୍ରି କରିଥିଲେ।

ଆସନ୍ତା ଖରିଫ ଧାନ ସଂଗ୍ରହ ନିମନ୍ତେ ଚାଷୀ ନାମ ପଞ୍ଜୀକରଣ ଓ ଯାଞ୍ଚ୍‌ ପ୍ରକ୍ରିୟା ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ମନ୍ତ୍ରୀ ଶ୍ରୀ ସ୍ବାଇଁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ବୈଠକରେ ଯୋଗାଣ ବିଭାଗର ପ୍ରମୁଖ ଶାସନ ସଚିବ ବୀରବିକ୍ରମ ଯାଦବ, ସମବାୟ ସମିତି ସମୂହର ନିବନ୍ଧକ ସୁଶାନ୍ତ କୁମାର ବାରିକ ଓ ଯୋଗାଣ ନିଗମର ପରିଚାଳନା ନି‌ର୍ଦ୍ଦେଶକ ବିଶ୍ବଜିତ କେଶରୀ ଦାସ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର