ସମ୍ବଲପୁର : ସମ୍ବଲପୁର ଜିଲ୍ଲାରେ ମଣ୍ଡି ଖୋଲିନି ଏଣେ ଧାନ ବିକ୍ରି କଲେଣି ଚାଷୀ। ତାହା ପୁଣି କେଜି ପ୍ରତି ୯ରୁ ୧୦ ଟଙ୍କା ହିସାବରେ କ୍ବିଣ୍ଟାଲକୁ ୯୦୦ କିମ୍ବା ୧ ହଜାର ଟଙ୍କାରେ। ଏଥିସହିତ ସରକାରଙ୍କ କମନ ଗ୍ରେଡ ଧାନ ପାଇଁ ଘୋଷଣା ହୋଇଥିବା ଏମଏସପି ୧୮୬୮ ଟଙ୍କାର ଅସଲ ଚିତ୍ର ପଦାରେ ପକାଉଛି। ମଣ୍ଡି ବ୍ୟବସ୍ଥା କାର୍ଯ୍ୟକାରୀ ହୋଇ ମଧ୍ୟ ଜିଲ୍ଲାରେ ଏଭଳି ସ୍ଥିତି ରହିଛି। କେନ୍ଦ୍ର ସରକାରଙ୍କ ନୂଆଁ କୃଷି ନୀତି କାର୍ଯ୍ୟକାରୀ ହେବା ପରେ କିଭଳି ଅବସ୍ଥା ହେବ ଏହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ପଞ୍ଜାବ ଭଳି ଓଡ଼ିଶାରେ ମଧ୍ୟ ଏମଏସପିରେ ଧାନ କ୍ରୟ ନହେଲେ ଆଇନଗତ କାର୍ଯ୍ୟାନୁଷ୍ଠାନର ବ୍ୟବସ୍ଥା କରାଯାଉ ବୋଲି ଚାଷୀମାନେ ଦାବି କରିଛନ୍ତି।
ସମ୍ବଲପୁର ଉପଖଣ୍ଡରେ ୧୨ ତାରିଖ ଏବଂ କୁଚିଣ୍ଡାରେ ୧୯ ତାରିଖରୁ ଧାନ ସଂଗ୍ରହ ଆରମ୍ଭ ହେଉଛି। ମାତ୍ର କୁଚିଣ୍ଡା ଉପଖଣ୍ଡ ଅନ୍ତର୍ଗତ ବାମରା ବ୍ଲକ ଅନ୍ତର୍ଗତ ରାଜାବସା, ବିଲେଇଘାଟି, ବାଦପଡ଼ା, ରେଙ୍ଗାପଡ଼ା ଏବଂ ଉଚକାପଟା ସମେତ ବିଭିନ୍ନ ଆଭ୍ୟନ୍ତରୀଣ ଗ୍ରାମାଞ୍ଚଳର କ୍ଷୁଦ୍ର ଏବଂ ନାମମାତ୍ର ଚାଷୀ ପ୍ରାୟ ଏକ ମାସ ହେଲା ଧାନ ବିକ୍ରି ଆରମ୍ଭ କରି ଦେଇଛନ୍ତି। ମଣ୍ଡି ଖୋଲିବାରେ ବିଳମ୍ବ, ଟଙ୍କାର ଆବଶ୍ୟକତା ଏବଂ ଋଣ ପରିଶୋଧ ପାଇଁ ଏହି ଚାଷୀମାନେ ଅଣ୍ଡର ରେଟରେ ଧାନ ବିକ୍ରି କରିଥିବା କହିଛନ୍ତି। ଟାଙ୍କୋବାହାଲ ଚାଷୀ ରୋହିତ ମାଝି କହନ୍ତି, ଅର୍ଥର ଆବଶ୍ୟକତା ପଡ଼ିବାରୁ କେଜି ପ୍ରତି ମାତ୍ର ୧୦ ଟଙ୍କାରେ ବାପା ଧାନ ବିକ୍ରି କରିଛନ୍ତି। ଚଳିତ ବର୍ଷ ପ୍ରଥମ ଥର ପାଇଁ ନୁହେଁ ଅଧିକାଂଶ ବର୍ଷରେ ସେମାନେ ଏହିଭଳି ଧାନ ବିକନ୍ତି। କିଛି ବର୍ଷ ଅଧା ଧାନ ବ୍ୟବସାୟୀଙ୍କୁ ବିକ୍ରି କରି ଅଧା ମଣ୍ଡିକୁ ନେଇଥାଆନ୍ତି। ଟାଙ୍କରମୁଣ୍ଡା ଚାଷୀ ଦେଓକିରଣ ଲୁହା କହନ୍ତି, ବାମରା ବ୍ଲକ ଅନ୍ତର୍ଗତ ବିଭିନ୍ନ ଗାଁରେ ମାଲ, ବାହାଲ, ବେର୍ଣ୍ଣା ଧାନ ଉତ୍ପାଦିତ ହୋଇ ସାରିଛି। ମଣ୍ଡି ଖୋଲିବାକୁ ଆହୁରି ୧୫ ଦିନ ଅଛି। ଧାନ ରଖିବାକୁ ଘରେ ସ୍ଥାନ ନାହିଁ। ତେଣୁ କିଏ ଋଣ ପରିଶୋଧତ ଆଉ କିଏ ଟଙ୍କା ଆବଶ୍ୟକତା ପାଇଁ କେଜି ପ୍ରତି ୯ରୁ୧୦ ଟଙ୍କାରେ ଧାନ ବିକ୍ରି କରି ଦେଉଛନ୍ତି। ଏହା ତାଙ୍କ ଅଞ୍ଚଳରେ ସାଧାରଣ ଘଟଣା।
କ୍ଷୁଦ୍ର ଏବଂ ନାମମାତ୍ର ଚାଷୀଙ୍କ ଆବଶ୍ୟକତା ଅନୁସାରେ ମଣ୍ଡି ଖୋଲିଲେ ଏଭଳି ହୁଅନ୍ତା ନାହିଁ। ସରକାରଙ୍କ ଘୋଷିତ ଏମଏସପି ଏହି ଅଞ୍ଚଳକୁ ମିଳେ ନାହିଁ। ମାନେଶ୍ବର ବ୍ଲକ ଧଧୋଲୋମୁଣ୍ଡା ଚାଷୀ ପ୍ରଶାନ୍ତ ବନଛୋର କହନ୍ତି, ତାଙ୍କ ଅଞ୍ଚଳରେ ବର୍ତ୍ତମାନ ଧାନ କଟା ଚାଲିଛି। ମଣ୍ଡି ଖୋଲିବା ପରେ ମଧ୍ୟ ୮ରୁ୧୦ କିଲୋମିଟର ଯିବାକୁ ପଡ଼େ। କ୍ଷୁଦ୍ର, ନାମମାତ୍ର ଚାଷୀ ମଣ୍ଡିକୁ ଯାଇ ଧାନ ବିକ୍ରି କରିବାରେ ଅଧିକ ଖର୍ଚାନ୍ତ ହେବା ଆଶଙ୍କାରେ ଅଣ୍ଡର ରେଟରେ ଧାନ ବିକ୍ରି କରି ଦିଅନ୍ତି। ବାମରା ଚାଷୀ ସଙ୍ଗଠନର କିରଣ କୁମାର କହନ୍ତି, କ୍ଷୁଦ୍ର, ନାମମାତ୍ର ଚାଷୀ ସମବାୟ ସମିତିରୁ ଋଣରୁ ବଞ୍ଚିତ ହୋଇ ଗାଁ ମହାଜନ କିମ୍ବା ଏସଏଚଜି ଗ୍ରୁପ ଠାରୁ ଅଧିକ ସୁଧରେ ଋଣ, ସାର କିମ୍ବା କୀଟନାଶକ ନେଇଥାଆନ୍ତି। ଏହାର ପରିଶୋଧ ପାଇଁ ପୂର୍ବରୁହିଁ ଅଣ୍ଡର ରେଟରେ ଧାନ ବିକ୍ରି ପାଇଁ ଚୁକ୍ତିନାମା ସ୍ବାକ୍ଷରିତ ହୋଇଥାଏ। ଅନେକ କ୍ଷେତ୍ରରେ ଦୋକାନୀ ଠାରୁ ମଧ୍ୟ ଜିନିଷ କ୍ରୟ ବାବଦରେ ଧାନ ଦେଇ ଚାଷୀ ଜିନିଷ ଆଣିଥାଏ। ୧ ରୁ ୨ କିମ୍ବା ୫ ଏକର ଚାଷ କରୁଥିବା ଚାଷୀର ଉତ୍ପାଦନ ଖୁବ କମ ଥିବାରୁ ଏତେ କମ ଧାନ ନେଇ ମଣ୍ଡିକୁ ଯିବା ପାଇଁ ଆବଶ୍ୟକ ଅର୍ଥର ଅଭାବ ମଧ୍ୟ ରହିଥାଏ। ବିଭିନ୍ନ ପ୍ରକାର ଜଟିଳ ପ୍ରକ୍ରିୟା ଥିବାରୁ ଏହାକୁ ସେମାନେ ସାମ୍ନା କରି ପାରନ୍ତି ନାହିଁ। ଘର ପାଖରୁ ବ୍ୟବସାୟୀ ସେମାନଙ୍କ ଠାରୁ ନେଉଥିବା ଧାନ ସେମାନଙ୍କ ପାଇଁ ସହଜ ହୁଏ।
ଜାତୀୟ ସ୍ତରୀୟ ସର୍ଭେ ଆଧାରରେ ସମ୍ବଲପୁର ଜିଲ୍ଲା କୃଷକ ସଙ୍ଗଠନ ପକ୍ଷରୁ ବିଭିନ୍ନ ସମୟରେ କୁହାଯାଇଛି, ସର୍ବାଧିକ କେବଳ ୬ ପ୍ରତିଶତ ଚାଷୀହିଁ ମଣ୍ଡିରେ ଧାନ ବିକ୍ରି ସରକାରଙ୍କ ଘୋଷିତ ଏମଏସପିର ଲାଭ ଉଠାନ୍ତି। ଅଧିକାଂଶ ଯେଉଁ ଚାଷୀ ମଣ୍ଡି ବାହାରେ ବିକ୍ରି କରନ୍ତି ସେମାନେ କମ ମୂଲ୍ୟରେ ବିକ୍ରି କରନ୍ତି। ବର୍ତ୍ତମାନ ରାଜ୍ୟରେ ମଣ୍ଡି ବ୍ୟବସ୍ଥା ଠୋସ ଭାବରେ କାର୍ଯ୍ୟକାରୀ ହେଉଛି। ଏହାର ଉପଯୁକ୍ତ ପରିଚାଳନା ଦାୟିତ୍ବ ପ୍ରଶାସନ ନେଉଛି। ଏହା ସତ୍ତ୍ବେ ଆଜିବି ଚାଷୀକୁ ଏମଏସପି ମିଳୁ ନାହିଁ। ମଣ୍ଡି ବ୍ୟବସ୍ଥା ଦୁର୍ବଳ ହେଲେ କିଭଳି ସ୍ଥିତି ହେବ ସହଜରେ ଅନୁମାନ କରାଯାଇ ପାରେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/11/paddy-aa.jpg)