କେନ୍ଦୁଝର:ବିଭିନ୍ନ ଦାବି ନେଇ ସମବାୟ କର୍ମଚାରୀମାନେ ମାସେରୁ ଊର୍ଦ୍ଧ୍ବ ହେବ ଆନ୍ଦୋଳନରତ ଅଛନ୍ତି। କର୍ମଚାରୀଙ୍କ ଆନ୍ଦୋଳନ ଯୋଗୁଁ ସରକାର ଧାନ କିଣିବା ପାଇଁ ବିକଳ୍ପ ବ୍ୟବସ୍ଥା କରିଛନ୍ତି। ହେଲେ ସରକାରୀ ଅଧିକାରୀମାନଙ୍କର ଖେଳ ଏବେ ଚାଷୀଙ୍କ ପାଇଁ କାଳ ହେଲାଣି। ପରିସ୍ଥିତିରୁ ଫାଇଦା ଉଠାଇ ଦଲାଲ ଏବେ ସକ୍ରିୟ ହେଲେଣି। ପାଖାପାଖି ୭ଶହରୁ ୮ ଶହ ଟଙ୍କା କମ୍ ମୂଲ୍ୟରେ ଧାନ କିଣି ନେବା ଲାଗି ଏମାନେ ଗାଁ ଗାଁ ବୁଲୁଛନ୍ତି।
ମିଳିଥିବା ସୂଚନା ଅନୁସାରେ, କେନ୍ଦୁଝର ଜିଲ୍ଲାରେ ପ୍ରଥମେ ଡିସେମ୍ବର ୬ ତାରିଖରେ ମଣ୍ଡି ଖୋଲାଯାଇ ଧାନକିଣା ହେବ ବୋଲି ନିଷ୍ପତ୍ତି ହୋଇଥିଲା। ବାତ୍ୟା ‘ଜୱାଦ’ ପାଇଁ ଏହାକୁ ୧୩ ତାରିଖକୁ ଘୁଞ୍ଚାଇ ଦିଆଯାଇଥିଲା। ଏହାରି ଭିତରେ ଚାଷୀଙ୍କ ପାଖକୁ ଧାନ ବିକିବା ପାଇଁ ମେସେଜ ମଧ୍ୟ ଆସିଯାଇଥିଲା। ହେଲେ କର୍ମଚାରୀଙ୍କ ଆନ୍ଦୋଳନ ଯୋଗୁଁ ୧୩ ତାରିଖରେ ମଧ୍ୟ ଧାନକିଣା ଆରମ୍ଭ ହୋଇପାରିଲାନି।
ଏବେ ଆର୍ଏମ୍ସି ଜରିଆରେ ଚାଷୀଙ୍କ ଠାରୁ ଧାନ କିଣିବା ପାଇଁ ସ୍ଥିର ହୋଇଛି। ଫଳରେ କେନ୍ଦୁଝର ଜିଲ୍ଲାରେ ପୂର୍ବରୁ ୮୯ଟି ସ୍ଥାନରେ ଧାନକିଣା ଲାଗି ସ୍ଥାନ ଚିହ୍ନଟ ହୋଇଥିବା ବେଳେ ଏବେ ଏହି ସଂଖ୍ୟା ୨୬କୁ ଖସିଆସିଛି। କେଉଁ ବ୍ଲକ୍ରେ ଗୋଟିଏ ତ ଆଉ କେଉଁଠି ଦୁଇଟି ଧାନକିଣା କେନ୍ଦ୍ର ଖୋଲିବାକୁ ନିଷ୍ପତ୍ତି ହୋଇଛି। ତାହା ପୁଣି ପର୍ଯ୍ୟାୟକ୍ରମେ ଖୋଲିବ ବୋଲି ସୂଚନା ମିଳିଛି। କେନ୍ଦୁଝର ଜିଲ୍ଲାରେ ମୋଟ ୨୬ଟିରୁ ପ୍ରଥମ ପର୍ଯ୍ୟାୟରେ ମାତ୍ର ୩ଟି ସ୍ଥାନରେ ଧାନକିଣା କେନ୍ଦ୍ର ଖୋଲାଯିବ। ସେଗୁଡ଼ିକ ହେଲା ଆନନ୍ଦପୁର ପୌରାଞ୍ଚଳ ଅନ୍ତର୍ଗତ ଶାଳପଡ଼ା ମାର୍କେଟ୍ ୟାର୍ଡ, ଝୁମ୍ପୁରା ବ୍ଲକ୍ର ଉଖୁଣ୍ଡା ଏବଂ କେନ୍ଦୁଝର ସଦର ବ୍ଲକ୍ର ନରଣପୁର। ପରେ ପର୍ଯ୍ୟାୟକ୍ରମେ ଅନ୍ୟ ସ୍ଥାନରେ କେନ୍ଦ୍ର ଖୋଲାଯାଇ ଚାଷୀଙ୍କ ଠାରୁ ଧାନ କିଣାଯିବ।
ପୂର୍ବରୁ ଜିଲ୍ଲାରେ ୮୯ଟି ସ୍ଥାନରେ ଚାଷୀଙ୍କଠାରୁ ଧାନ ସଂଗ୍ରହ କରାଯାଉଥିଲା। ଏହାସତ୍ତ୍ବେ ବିଭିନ୍ନ ସ୍ଥାନରେ ବିଭ୍ରାଟ ଦେଖା ଦେଉଥିଲା। ଅନେକ ଚାଷୀ ମଣ୍ଡିରେ ଧାନ ବିକ୍ରି କରିପାରୁ ନଥିଲେ। ଏବେ ଜିଲ୍ଲାରେ ମାତ୍ର ୨୬ଟି କେନ୍ଦ୍ରରେ ଦେଢ଼ଲକ୍ଷରୁ ଊର୍ଦ୍ଧ୍ବ ଚାଷୀ କିପରି ଧାନ ବିକିବେ ତାକୁ ନେଇ ପ୍ରଶ୍ନ ଉଠିଛି। ପ୍ରଶାସନ ଏଭଳି ବ୍ୟବସ୍ଥା ଉପରେ ଭରସା କରି ନପାରି ଚାଷୀ ଧାରକରଜ ପରିଶୋଧ କରିବାକୁ ଯାଇ ଦଲାଲ ହାତରେ ଧାନ ଟେକି ଦେଉଥିବା ଖବର ଆସୁଛି।