ଖଡ଼ିଆଳ : ନୂଆପଡ଼ା ଜିଲ୍ଲାର ଚାଷୀ ଗତ ଡିସେମ୍ବର ମାସରୁ ମଣ୍ଡିରେ ଧାନ ପକାଇ ବିକ୍ରି କରିନପାରି ଶେଷରେ ଚରମ ନିଷ୍ପତ୍ତି ନେଇଛନ୍ତି। ଗତ ୨୦୨୦ ଡିସେମ୍ବର ମାସରୁ ଟୋକନ୍‌ ପାଇବା ପରେ ଲ୍ୟାପସ୍‌ ହୋଇଥିବା ପ୍ରାୟ ୫୮ ଜଣ ଚାଷୀ ୧୪ ଶହ ବସ୍ତା ଧାନକୁ (ପ୍ରାୟ ୭ଶହ କ୍ବିଣ୍ଟାଲ) କ୍ବିଣ୍ଟାଲ ପିଛା ୧୩ରୁ ୧୪ଶହ ଟଙ୍କାରେ ବିକ୍ରି କରିଥିବା ଚାଷୀମାନେ ପ୍ରକାଶ କରିଛନ୍ତି। ରାଜ୍ୟ ସରକାର ଧାନର କ୍ବିଣ୍ଟାଲ ପିଛା ମୂଲ୍ୟ ୧୮୮୬ ଟଙ୍କା ଧାର୍ଯ୍ୟ କରିଛନ୍ତି। କିନ୍ତୁ ଟୋକନ୍‌ ଲ୍ୟାପ୍‌ସ ହେବାରୁ ଚାଷୀ ୫ଶହରୁ ୬ଶହ ଟଙ୍କା କମ୍‌ରେ ଧାନ ବିକ୍ରି କରିବାକୁ ବାଧ୍ୟ ହେଉଛି। ନୂଆପଡ଼ା ଜିଲ୍ଲା ଖରିଆର ରୋଡର ମିଲର୍ସ ଧାନକୁ ଟ୍ରକ୍‌ରେ ନେଉଥିବା ଜଣାପଡ଼ିଛି। ରାଜ୍ୟ ସରକାରଙ୍କ ଚାଷୀଙ୍କ ପ୍ରତି କେତେ ଦରଦ ରହିଛି ତାହା ଏହି କଥାରୁ ସହଜେ ଅନୁମେୟ ହେଉଛି।

Advertisment

ଅନ୍ୟପଟେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଖଡ଼ିଆଳକୁ ଗସ୍ତ କରିବା ପରେବି ଚାଷୀଙ୍କ କୌଣସି ସମସ୍ୟା ଦୂର ହେଲାନାହିଁ ବୋଲି କିଛି ଚାଷୀ ଅଭିଯୋଗ କରିଛନ୍ତି। ମୁଖ୍ୟମନ୍ତ୍ରୀ ଖଡ଼ିଆଳକୁ ଆସିବା ପରେ ଚାଷୀଙ୍କ ସମସ୍ୟା ଦୂର ହେବୁ ଆଶା ରଖିଥିଲୁ। ହେଲେ ମୁଖ୍ୟମନ୍ତ୍ରୀ ମଣ୍ଡି ସମସ୍ୟା ନେଇ ପଦୁଟିଏ କହିଲେ ନାହିଁ। ଗତ ଡିସେମ୍ବର ମାସରୁ ଜିଲ୍ଲାର ଶତାଧିକ ମଣ୍ଡିରେ ହଜାର ହଜାର ଧାନ କ୍ବିଣ୍ଟାଲ ପଡ଼ିରହିଛି। ମୁଖ୍ୟମନ୍ତ୍ରୀ ସେ ବିଷୟରେ କୌଣସି ବି ଉତ୍ତର ରଖିଲେନି। ଗୁରୁବାର ଖଡିଆଳ ବ୍ଲକ୍‌ ବରଗାଁ ମଣ୍ଡିରେ ଧାନ ପକାଇଥିବା ଚାଷୀ ପ୍ରଦ୍ୟମ୍ନ ମୁଣ୍ଡ, ଶାନ୍ତନୁ ମୁଣ୍ଡ, ପାଣ୍ଡେ ଶବର, ନିଶାକାନ୍ତ ଶବର, ଯୁଗେ ଶବର, ଉପେନ୍ଦ୍ର ଶବର, ମାନସ ପଣ୍ଡା, ରାଜନ ବଘେଲ, ଲକ୍ଷ୍ମଣ ବାରିକ, ଉଗ୍ରେସନ ଶବର ପ୍ରମୁଖ ଚାଷୀ ଏକଥା ପ୍ରକାଶ କରିଥିଲେ।