ବିଜେପିର ଚାଷ, ବିଜେଡିର ପୋଲାଭରମ୍‌

ଅଟକିଗଲା ଗୃହ କାର୍ଯ୍ୟ, ଦୁଇ ଥର ମୁଲତବୀ

ଭୁବନେଶ୍ୱର : ବିଜେପି ଉଠାଇଲା ଚାଷ ଓ ଚାଷୀଙ୍କ ପ୍ରସଙ୍ଗ। ବିଜେଡି ଉଠାଇଲା ପୋଲାଭରମ୍‌ ପ୍ରସଙ୍ଗ। ଉଭୟ ଛକାପଞ୍ଝା ହୋଇ ଦୁଇ ପର୍ଯ୍ୟାୟରେ ହୋହଲ୍ଲା କଲେ। ଫଳରେ ପ୍ରଥମାର୍ଦ୍ଧରେ ଗୃହ ସ୍ୱାଭାବିକ ହେଲା ନାହିଁ। ପ୍ରଶ୍ନକାଳ, ଶୂନ୍ୟକାଳ ହୋଇପାରି ନ ଥିଲା।

ଗତକାଲି ମହାନଦୀ ପ୍ରସଙ୍ଗରେ ସର୍ବଦଳୀୟ ବୈଠକରେ ନିର୍ଯ୍ୟାସ ବାହାରିଲା ପରେ ଆଜି ଗୃହ କାର୍ଯ୍ୟ ସ୍ୱାଭାବିକ ହେବ ବୋଲି ଅନୁମାନ କରାଯାଉଥିଲା। କିନ୍ତୁ ୧୦ଟା ୩୦ରେ ଗୃହ କାର୍ଯ୍ୟ ଆରମ୍ଭ ହେବା ମାତ୍ରେ ବିଜେପି ଦଳ ସଭ୍ୟମାନେ ଠିଆ ହୋଇପଡ଼ିଲେ। ଚିତ୍କାର କରି ପଚାରିଲେ, ଚାଷୀ ଆତ୍ମହତ୍ୟା ସରକାର କାହିଁକି ମାନୁନାହାନ୍ତି ? କୃଷି ଋଣ କେବେ ଛାଡ଼ କରାଯିବ ?

ବିଜେପି ସଭ୍ୟଙ୍କ ପାଟିତୁଣ୍ଡ ଭିତରେ ବାଚସ୍ପତି ପ୍ରଶ୍ନକାଳ ଆରମ୍ଭ କରିବାକୁ ଘୋଷଣା କଲେ। ଏକ ପ୍ରଶ୍ନର ଉତ୍ତର ଦେବାକୁ ନଗର ଉନ୍ନୟନ ମନ୍ତ୍ରୀଙ୍କୁ ଡାକିଲେ। ମନ୍ତ୍ରୀ ଉତ୍ତର ପଢ଼ୁଥିବା ବେଳେ ବିଜେପିର ୫ ଜଣ ସଭ୍ୟ ଗୃହ ମଧ୍ୟଭାଗକୁ ମାଡ଼ି ଆସିଲେ। ରାଜ୍ୟ ସରକାର ଓ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ନାରାବାଜି କଲେ। ନିଜ ନିଜ ଆସନକୁ ଫେରିଯିବା ପାଇଁ ବାଚସ୍ପତି ବାରମ୍ବାର ଅନୁରୋଧ କଲେ। କିନ୍ତୁ ବିଜେପି ସଭ୍ୟମାନେ ଛାଡ଼ିବାକୁ ପ୍ରସ୍ତୁତ ନ ଥିଲେ। ରାଜ୍ୟ ସରକାର ହାଏ…ହାଏ, ନବୀନ ପଟ୍ଟନାୟକ ହାଏ…ହାଏ ନାରାବାଜିରେ ଗୃହ କମ୍ପାଇଥିଲେ। ୧୦ଟା ୩୨ରେ ବାଚସ୍ପତି ଗୃହକୁ ୧୨ଟା ଯାଏଁ ମୁଲତବୀ ରଖିଥିଲେ।

ଗୃହ ବାହାରେ ବିଜେପି ବିଧାୟକ ପ୍ରଦୀପ ପୁରୋହିତ କହିଥିଲେ, ଚାଷୀ ଆତ୍ମହ୍ୟାକୁ ସରକାର ମାନୁ ନାହାନ୍ତି। ଏହାକୁ ରୋକିବା ପାଇଁ କିଛି ପଦକ୍ଷେପ ବି ନେଉ ନାହାନ୍ତି। ଫଳରେ ନିୟମିତ ଭାବେ ରାଜ୍ୟର ବିଭିନ୍ନ ସ୍ଥାନରେ ଚାଷୀ ଆତ୍ମହତ୍ୟା କରୁଛନ୍ତି। ସେହିପରି କୃଷି ଋଣ ଛାଡ଼ କରିବା ପାଇଁ ସରକାର ଏ ପର୍ଯ୍ୟନ୍ତ ଘୋଷଣା କଲେ ନାହିଁ।

କିନ୍ତୁ କୃଷି ମନ୍ତ୍ରୀ ଦାମୋଦର ରାଉତ କହିଥିଲେ, ଛୋଟ ଛୋଟ କଥାରେ ବିରୋଧୀ ଦଳ ଗୃହକୁ ଅଚଳ କରିବା ଏକ ଅଭ୍ୟାସରେ ପରିଣତ ହୋଇଗଲାଣି। ବିଧାନସଭା ବନ୍ଦ କରିଦେଲେ ସମସ୍ୟା ସମାଧାନ ହେବନି। ବରଂ ଚାଷୀ ଆତ୍ମହତ୍ୟା ପ୍ରସଙ୍ଗ ଆଲୋଚନା କଲେ କିଛି ନିଷ୍କର୍ଷ ବାହାରିପାରିବ।

ଉଦ୍ଦେଶ୍ୟମୂଳକ ଭାବେ ପାଳି କରି ବିଜେପି ଓ ବିଜେଡି ଗୃହକୁ ଚଳାଇ ଦେଉନାହାନ୍ତି ବୋଲି କଂଗ୍ରେସ ମୁଖ୍ୟ ସଚେତକ ତାରା ବାହିନୀପତି ଅଭିଯୋଗ କରିଥିଲେ।

ମଧ୍ୟାହ୍ନ ୧୨ଟାରେ ଗୃହ କାର୍ଯ୍ୟ ଆରମ୍ଭ ହେଲା ମାତ୍ରେ ଶାସକ ଦଳ ମୁଖ୍ୟ ସଚେତକ ଅମର ପ୍ରସାଦ ଶତପଥୀ କହିଲେ, ମହାନଦୀ ପ୍ରସଙ୍ଗରେ ଗତକାଲି ଆଲୋଚନା ହେଲା। କୃଷି ବିଭାଗର ଖର୍ଚ୍ଚଦାବି ଆଲୋଚନା ମଧ୍ୟ ଗତକାଲି ହୋଇଥିଲା। କିନ୍ତୁ ବିଜେପି ସଭ୍ୟମାନେ ଚାଷ ପ୍ରସଙ୍ଗ ଉଠାଇ ଆଜି ହଠାତ୍‌ ଗୃହରେ ଅଚଳାବସ୍ଥା ସୃଷ୍ଟି କଲେ। ଅନାବଶ୍ୟକ ଭାବେ ଏମିତି କଲେ ଗୃହ ଚାଲିପାରିବ ନାହିଁ। ଯଦି ଆଜି କୌଣସି ପ୍ରସଙ୍ଗ ଉଠାଯିବାର ଥିଲା, ତେବେ ତାହା ପୋଲାଭରମ୍‌ ପ୍ରସଙ୍ଗ ହେବାର ଥିଲା।

ଶାସକ ଦଳ ସଭ୍ୟ ସଞ୍ଜୟ ଦାସବର୍ମା କହିଲେ, ସଂଘୀୟ ବ୍ୟବସ୍ଥାକୁ କେନ୍ଦ୍ର ସରକାର ପାଦରେ ଦଳିଛନ୍ତି। ପୋଲାଭରମ୍‌ ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ମାଲକାନଗିରି ଜିଲ୍ଲାର ହଜାର ହଜାର ଏକର ଚାଷଜମି ବୁଡ଼ିଯିବ। ୬,୮୦୦ ଲୋକ ପ୍ରଭାବିତ ହେବେ। ସେମାନଙ୍କ ମଧ୍ୟରୁ ୫,୯୧୯ ହେଲେ ଆଦିବାସୀ। ଉପା ସରକାର ସମୟରେ ଏହି ପ୍ରକଳ୍ପ ‘ଫରେଷ୍ଟ କ୍ଲିୟରାନ୍ସ’ ପାଇଲା। ଏନ୍‌ଡିଏ ସରକାର ଏହାକୁ ଜାତୀୟ ପ୍ରକଳ୍ପ ଘୋଷଣା କଲେ। ପ୍ରକଳ୍ପ ଦ୍ୱାରା ଓଡ଼ିଶା ପ୍ରଭାବିତ ହେଉଥିବାରୁ ପ୍ରଧାନମନ୍ତ୍ରୀଙ୍କ ହସ୍ତକ୍ଷେପ ଦାବିରେ ମୁଖ୍ୟମନ୍ତ୍ରୀ ଚିଠି ଲେଖିଛନ୍ତି। କିନ୍ତୁ କେନ୍ଦ୍ର କିଛି ଶୁଣୁ ନାହିଁ। ବରଂ ସୁପ୍ରିମକୋର୍ଟରେ ସତ୍ୟପାଠ ଦାଖଲ କରି ଓଡ଼ିଶାର ଦାବିକୁ ଅଗ୍ରାହ୍ୟ କରିଦେଇଛନ୍ତି। ଗୋଟିଏ ରାଜ୍ୟର ସ୍ୱାର୍ଥ ପାଇଁ ଅନ୍ୟ ରାଜ୍ୟର ସ୍ୱାର୍ଥକୁ ବଳି ପକାଇ ଦିଆଯାଉଛି। କେନ୍ଦ୍ର ଓଡ଼ିଶା ବିରୋଧୀ ଆଭିମୁଖ୍ୟ ଧରାପଡ଼ିଯାଇଛି।

ଶ୍ରୀ ଦାସବର୍ମାଙ୍କ ବକ୍ତବ୍ୟ ଶେଷ ହେଉ ହେଉ ଶାସକ ଦଳ ସଭ୍ୟମାନେ ଠିଆ ହୋଇପଡ଼ିଲେ। ସମସ୍ତେ କେନ୍ଦ୍ର ବିରୋଧରେ ନାରାବାଜି କଲେ। ୧୨ଟା ୬ରେ ବାଚସ୍ପତି ଗୃହକୁ ୧୨ଟା ୩୦ ପର୍ଯ୍ୟନ୍ତ ମୁଲତବୀ ଘୋଷଣା କଲେ। ୧୨ଟା ୩୦ରେ ଗୃହ କାର୍ଯ୍ୟ ଆରମ୍ଭ ହେଲା ମାତ୍ରେ ବିଜେପି ସଭ୍ୟ ପ୍ରଦୀପ ପୁରୋହିତ କିଛି କହିବା ପାଇଁ ଠିଆ ହେଲେ। କିନ୍ତୁ ବାଚସ୍ପତି ତାଙ୍କୁ ସୁଯୋଗ ନ ଦେଇ ସିଧାସଳଖ ଗୃହ ବିଭାଗର ଖର୍ଚ୍ଚଦାବି ଆଲୋଚନା ଆରମ୍ଭ କରିବା ପାଇଁ ଘୋଷଣା କଲେ।

ଗୃହ ବିଭାଗ ଖର୍ଚ୍ଚଦାବି ଆଲୋଚନା ଆରମ୍ଭ କଲା ବେଳେ ବିରୋଧୀ ଦଳ ନେତା ନରସିଂହ ମିଶ୍ର ପୋଲାଭରମ୍‌ ପ୍ରସଙ୍ଗ ଉପରେ ନିଜ ମତ ରଖିଥିଲେ। ସେ କହିଥିଲେ, ପୋଲାଭରମ୍‌ ଏକ ‘ମୃତ ପ୍ରସଙ୍ଗ’ ପାଲଟିଯାଇଛି। କାରଣ ନୀଳମଣି ରାଉତରାୟ ମୁଖ୍ୟମନ୍ତ୍ରୀ ଥିଲା ସମୟରେ ପୋଲାଭରମ୍‌ ପ୍ରକଳ୍ପ ହେବା ନେଇ ଆନ୍ଧ୍ରପ୍ରଦେଶ ଓ ଓଡ଼ିଶା ମଧ୍ୟରେ ଚୁକ୍ତି ହୋଇଥିଲା। ବିଭିନ୍ନ ସମୟରେ ଏଥି ପାଇଁ କମିଟି ଗଠନ ହୋଇଛି। ଓଡ଼ିଶା ସରକାର ଯୁକ୍ତି ବାଢ଼ୁଛନ୍ତି ଯେ ଆନ୍ଧ୍ର ସରକାର ପ୍ରକଳ୍ପର ଉଚ୍ଚତା ବଢ଼ାଉଛନ୍ତି। କିନ୍ତୁ ଆନ୍ଧ୍ର ସରକାର ଏହାକୁ ସ୍ୱୀକାର କରୁ ନାହାନ୍ତି।  ଓଡ଼ିଶାର ଇଞ୍ଚେ ବି ଜମି ଜଳମଗ୍ନ ହେବନି ବୋଲି ସର୍ତ୍ତରେ ପ୍ରକଳ୍ପକୁ ପରିବେଶ ମଞ୍ଜୁରି ମିଳିଛି। କିନ୍ତୁ କିଛି ଜମି ଜଳମଗ୍ନ ହେବ ବୋଲି ଜଣାପଡ଼ିଛି। ଆଶ୍ଚର୍ଯ୍ୟର କଥା ଯେତେବେଳେ ବି ବିଧାନସଭାରେ ପୋଲାଭରମ୍‌ ପ୍ରକଳ୍ପ ପାଇଁ କେତେ ଗାଁ ଓ କେତେ ଜମି ବୁଡ଼ିବ ବୋଲି ପ୍ରଶ୍ନ କରାଯାଉଛି, ସେତେବେଳେ ସରକାରଙ୍କ ଉତ୍ତର ରହୁଛି, ‘ତଥ୍ୟ ସଂଗ୍ରହ କରାଯାଉଛି।’ ଏହାର ଅର୍ଥ ରାଜ୍ୟ ସରକାର ନିଜେ ସ୍ପଷ୍ଟ ନୁହନ୍ତି। ଆହୁରି ମଧ୍ୟ ପୋଲାଭରମ୍‌ ପ୍ରକଳ୍ପ ନେଇ ସୁପ୍ରିମକୋର୍ଟରେ ମାମଲା ବିଚାରାଧୀନ ଅଛି। ୭/୮ ବର୍ଷ ହେଲା ମାମଲା ଚାଲିଛି। କିନ୍ତୁ ସରକାର ପ୍ରକଳ୍ପ କାମ ଉପରେ ରହିତାଦେଶ ଆଣିପାରୁ ନାହାନ୍ତି। ତେଣୁ ଗୃହ ଭିତରେ ଚିତ୍କାର କଲେ କ’ଣ ଲାଭ?

ସମ୍ବନ୍ଧିତ ଖବର