ଧାନ ଟଙ୍କା ନପାଇ ଚାଷୀଙ୍କ ଆତ୍ମାହୁତି ଉଦ୍ୟମ

ଯାଜପୁର/ଛତିଆ : ଯାଜପୁର ଜିଲ୍ଲାରେ ଚାଲିଥିବା ବିଭିନ୍ନ ଦୁର୍ନୀତି କାରବାରରୁ ଧାନଚାଷୀମାନେ ମଧ୍ୟ ବାଦ୍‌ ପଡ଼ିନାହାନ୍ତି। ଧାନ କିଣାବିକା କେଳେଙ୍କାରୀ ନେଇ ସମଗ୍ର ରାଜ୍ୟରେ ଆନ୍ଦୋଳନ ମୁଣ୍ଡ ଟେକିଥିବାବେଳେ ବିଧାନସଭାରେ ହୋ’ହଲ୍ଲା ଲାଗିରହିଛି। ଏହିଭଳି ଏକ ସମୟରେ ଗତବର୍ଷର ଧାନ ବିକା ଅର୍ଥ ପାଇ ନଥିବା ଧାନ ଚାଷୀ ନିରଞ୍ଜନ ସାହୁ ଆଜି ଛତିଆ ସମବାୟ ସମିତି ସମ୍ମୁଖରେ ଆତ୍ମାହୁତି ‌ଦେବାକୁ ଯାଉଥିବାବେଳେ ଛତିଆ ଫାଣ୍ଡି ପୁଲିସ ଓ ଅନ୍ୟମା‌ନଙ୍କ ହସ୍ତକ୍ଷେପ ଯୋଗୁ ତାଙ୍କ ଜୀବନ ରକ୍ଷା ପାଇଁ ଯାଇଛି। ଆସନ୍ତାକାଲି ଏଥିନେଇ ତଦନ୍ତ ହେବ ବୋଲି ସମବାୟ ସମିତି ସମ୍ପାଦକ କହିଛନ୍ତି। ତେବେ ନିରଞ୍ଜନଙ୍କ ୩୩ କୁଇଣ୍ଟାଲ ୭୯ଧାନ ଗଲା କୁଆଡ଼େ? ଚାଷୀମାନଙ୍କର ଧାନ ହିସାବରେ ହେରାଫେରି ଧାନ କିଣା ମହାଦୁର୍ନୀତି ସୁରାକ ଦେଉଛି ବୋଲି ଚାଷୀମାନେ ଦାବି କରିଛନ୍ତି।

ଛତିଆ ପ୍ରାଥମିକ କୃଷି ସମବାୟ ସମିତି (ପାକ୍ସ)ରେ ଚମ୍ପାପୁର ପଞ୍ଚାୟତର ରଘୁଦାସପୁର ଗ୍ରାମର ଚାଷୀ ନିରଞ୍ଜନ ସାହୁ ଗତବର୍ଷ ଜାନୁଆରି ୧୫ ତାରିଖରେ ୩୩ କୁଇଣ୍ଟାଲ ୭୯ କେଜି ଧାନ ଦେଇଥିଲେ। ଏଥିମଧ୍ୟରେ ବର୍ଷେ ବିତିଯାଇଥିଲେ ହେଁ ଶ୍ରୀ ସାହୁଙ୍କ ଖାତାକୁ ଧାନ ପ୍ରାପ୍ୟ ପ୍ରଦାନ କରାଯାଇନାହିଁ। ବର୍ଷତମାମ ଶ୍ରୀ ସାହୁ ଦୌଡ଼ିଦୌଡ଼ି ନୟାନ୍ତ ହେବାପରେ ଆଜି ଶେଷ ନିଷ୍ପତ୍ତି ସ୍ବରୂପ ଛତିଆ ସମବାୟ ସମିତି ସାମ୍ନାରେ ଆତ୍ମାହୁତି ଦେବାକୁ ଉଦ୍ୟମ କରିଥିଲେ। ଏ ସମ୍ପର୍କରେ ପାକ୍ସ ସମ୍ପାଦକ ରଞ୍ଜନ ଜେନା କହିଛନ୍ତି ସେ ତିନିଟି ପାକ୍ସ ଦାୟିତ୍ବରେ ଅଛନ୍ତି। ସେ ସବିଶେଷ ଜାଣିନାହାନ୍ତି। ଚାଷୀ ଶ୍ରୀ ସାହୁ ପାକ୍ସରେ ଧାନ ଦେଇନାହାନ୍ତି ବୋଲି ଅଭିଯୋଗକୁ ଏଡ଼ାଇ ଯାଇଥିଲେ। ଆସନ୍ତାକାଲି ଇ‌ଷ୍ଟର୍ଣ୍ଣ ରାଇସ ମିଲ୍କୁ ଯାଇ ତଦନ୍ତ କରାଗଲେ ସତ୍ୟାସତ୍ୟ ଜଣା ପଡ଼ିବ ବୋଲି ସମ୍ପାଦକ ଶ୍ରୀ ଜେନା କହିଛନ୍ତି।

ସମ୍ବନ୍ଧିତ ଖବର