କୀଟନାଶକ ପିଇ ଚାଷୀଙ୍କ ଆତ୍ମହତ୍ୟା ଘଟଣା: ଏବେ ବେସାହାରା ଜଗନ୍ନାଥଙ୍କ ପରିବାର

୫ ବର୍ଷ ହେଲା ହୋଇପାରିନି ଘର ଛପର

ଭୁବନ : ଋଣ ଚିନ୍ତାରେ ମାନସିକ ଭାରସାମ୍ୟ ହରାଇ ଆତ୍ମହତ୍ୟା କରିଥିବା ଭୁବନ ଥାନା ପଳାଶପିଠିଆଗୋଡ଼ା ଗ୍ରାମର ଚାଷୀ ଜଗନ୍ନାଥ ମହାପାତ୍ର (୫୯)ଙ୍କ ପରିବାର ଏବେ ବେସାହାରା ହୋଇ ପଡ଼ିଛନ୍ତି। ଘରେ ଦୁଇ ବଢ଼ିଲା ଝିଅ। ପୁଅ ଗତ ବର୍ଷ +୨ ପାସ୍‌ କରି ଘରେ ଅଛନ୍ତି। ସେ କିପରି ଉଚ୍ଚଶିକ୍ଷା ଲାଭ କରିବେ ତାହା ଏବେ ଜଗନ୍ନାଥଙ୍କ ପତ୍ନୀଙ୍କ ଲାଗି ଚିନ୍ତାର ବଷୟ ହୋଇଛି। ସେହିପରି ବିଜ୍ଞାନରେ ସ୍ନାତକ ଶିକ୍ଷା ଶେଷ କରି ଘରେ ଥିବା ଦୁଇ ଝିଅଙ୍କ ଭବିଷ୍ୟତକୁ ନେଇ ମଧ୍ୟ ଚିନ୍ତା ବଢ଼ିଯାଇଛି। ଏପଟେ ପରିବାରର ଆର୍ଥିକ ସ୍ଥିତି ଦିନକୁ ଦିନ ଖରାପ ହେବାରେ ଲାଗିଛି। ଚାଷ କାମ ବାଧାପ୍ରାପ୍ତ ହୋଇଛି। ୫ ବର୍ଷ ହେଲା ସେମାନେ ରହୁଥିବା ଚାଳଘର ଖଣ୍ଡିକର ଛପର କରିପାରି ନାହାନ୍ତି। ପଲିଥିନ୍‌ ଘୋଡ଼ାଇ କଷ୍ଟେ ମଷ୍ଟେ ପୂରା ପରିବାର ମୁଣ୍ଡ ଗୁଞ୍ଜିଛନ୍ତି। ଏପରିକି ଚାଳ ଉପରେ ଗଛ ଉଠିଗଲାଣି। ଯେକୌଣସି ମୁହୂର୍ତ୍ତରେ ଘର ଭୁଶୁଡ଼ି ଯାଇପାରେ ବୋଲି ପରିବାର ଲୋକ ଆଶଙ୍କା କରିଛନ୍ତି। ସରକାରୀ ଗୃହ ଯୋଜନାରେ ଘର ଖଣ୍ଡିଏ ଲାଗି ବର୍ଷ ବର୍ଷ ଧରି ଦୌଡ଼ିଥିଲେ ମଧ୍ୟ ସବୁଠି ଜଗନ୍ନାଥଙ୍କୁ ନିରାଶ ହେବାକୁ ପଡ଼ିଛି। ଏହିସବୁ କାରଣରୁ ଜଗନ୍ନାଥ ମାନସିକ ଦୁଶ୍ଚିନ୍ତାରେ ରହୁଥିଲେ ବୋଲି ପରିବାର ଲୋକ କହିଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ, ଅର୍ଥାଭାବରୁ ଜଗନ୍ନାଥ ଏକ ଏକର ଜମିକୁ ବଛା ବଛି କରି ପାରି ନଥିଲେ। ଏ ନେଇ ସେ ସବୁବେଳେ ଦୁଃଖରେ ରହୁଥିଲେ। ଘରେ ଅଶାନ୍ତି ସୃଷ୍ଟି ହେଉଥିଲା। ଏପଟେ ଋଣ ବୋଝ ତାଙ୍କୁ ଅତିଷ୍ଠ କରିଥିଲା। ଫଳରେ ବୁଧବାର ଦିନ ସେ କୀଟନାଶକ ପିଇ ଦେଇଥିଲେ। ଭୁବନ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା। ଜଗନ୍ନାଥ ଜଣେ ଟ୍ରକ ମାଲିକ ଥିଲେ। ପନ୍ଦର ବର୍ଷ ପୂର୍ବେ ବ୍ରେନ୍‌ ହାମରେଜ୍‌ ହୋଇଥିଲା। ତାଙ୍କୁ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲ୍‌ରେ ଚିକିତ୍ସା କରାଯାଇଥିଲା। ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ସେ ଘରେ ବିଶ୍ରାମ ନେଉଥିଲେ। ଆଗପରି କାମ କରିପାରୁ ନଥିଲେ। ଚିକିତ୍ସା ଲାଗି ଟ୍ରକ ବିକ୍ରି କରିବା ସହ ଜମି ମଧ୍ୟ ବିକ୍ରି କରିଥିଲେ। ତଥାପି ତାଙ୍କ ଦୁଃଖ ଶେଷ ହୋଇ ନଥିଲା। ସେହି ଦିନଠାରୁ ଧାର କରଜ ଲାଗି ରହିଲା। ୨ ଝିଅଙ୍କୁ ବିଜ୍ଞାନରେ ସ୍ନାତକ ପଢାଇଥିଲେ। ସାନ ପୁଅ ମଧ୍ୟ ଗତ ବର୍ଷ ଯୁକ୍ତ ୨ ପାସ କରି ସାରିଥିଲେ ମଧ୍ୟ ଉଚ୍ଚଶକ୍ଷା ଲାଗି ନାମ ଲେଖାଇ ପାରି ନଥିଲା। ଆର୍ଥିକ ସଂକଟ ଜଗନ୍ନାଥଙ୍କୁ ଦିନକୁ ଦିନ ରୁଗ୍‌ଣ କରିଦେଲା। ଶେଷରେ ସେ ଏପରି ଚରମ ନିଷ୍ପତ୍ତି ନେଲେ ବୋଲି ପରିବାର ଲୋକ ଆଶଙ୍କା କରିଛନ୍ତି।

ଏ ନେଇ ଜଗନ୍ନାଥଙ୍କ ବିଧବା ପତ୍ନୀ ସନ୍ଧ୍ୟାରାଣୀ ମହାପାତ୍ର କହିଛନ୍ତି ସରକାର ତାଙ୍କ ପରିବାରକୁ ସହାୟତା କରନ୍ତୁ। ଆବାସ ଯୋଜନାରେ ଘର ଖଣ୍ଡିଏ ଯୋଗାଇ ଦିଅନ୍ତୁ। ରହୁଥିବା ଘରର କିଛି ଅଂଶ ଭାଙ୍ଗି ଗଲାଣି। ଏ ନେଇ ପୂର୍ବତନ ପଞ୍ଚାୟତ ସମିତି ଅଧ୍ୟକ୍ଷ ପ୍ରକାଶ କୁଅଁର କହିଛନ୍ତି, ଜଗନ୍ନାଥଙ୍କ ମୃତ୍ୟୁ ପରେ ତାଙ୍କ ପରିବାର ଲୋକ ବେସାହାରା ହୋଇ ପଡ଼ିଛନ୍ତି। ତାଙ୍କ ପରିବାରକୁ ସରକାର ସହାୟତା ଯୋଗାଇ ଦିଅନ୍ତୁ। ସେହିପରି ଜଗନ୍ନାଥଙ୍କ ପଡ଼ୋଶୀ ନଗେନ ମହାପାତ୍ର କହିଛନ୍ତି, ଆମ ଗାଁରେ ଅନେକ ଥିଲାବାଲା ଲୋକ ଆବାସ ଯୋଜନାରେ ଘର ହାତେଇଥିବା ବେଳେ ଜଗନ୍ନାଥଙ୍କ ପରିବାର ଏଥିରୁ ବଞ୍ଚିତ କାହିଁକି ବୋଲି ପ୍ରଶ୍ନ କରିଛନ୍ତି।

ସମ୍ବନ୍ଧିତ ଖବର