ଭୁଲିଗଲେ ଚାଷୀ ଆତ୍ମହତ୍ୟା କଥା; ବିଧାନସଭାରେ ସମସ୍ତେ ତତ୍ପର, ପରେ ଶିଥିଳ

ତୁରେକେଲାରେ ଚାଷୀ ଆତ୍ମହତ୍ୟା ରହସ୍ୟ ହୋଇ ରହିଗଲା
ପୂର୍ବରୁ ବି ଗୃହ କମିଟି ଚାଷୀଙ୍କୁ ନ୍ୟାୟ ଦେଇନି

ଭୁବନେଶ୍ୱର : ଗତ ସେପ୍ଟେମ୍ବର ୨ ତାରିଖରେ ବଲାଙ୍ଗୀର ଜିଲ୍ଲା ତୁରେକେଲା ବ୍ଲକ୍ କାଦୋବେଡ଼ା ଗାଁର ଚାଷୀ ରେଚକା ବନଛୋର ବିଷ ପିଇ ଆତ୍ମହତ୍ୟା କଲେ। ମରୁଡ଼ି ଯୋଗୁ ଫସଲ ନଷ୍ଟ ହେଲା ବୋଲି ସେ ଏପରି ଚରମ ପଦକ୍ଷେପ ନେଇଥିବା ଅଭିଯୋଗ ହେଲା। ସେତେବେଳେ ବିଧାନସଭା ଅଧିବେଶନ ଚାଲିଥିବାରୁ ଗୃହରେ ଏହି ପ୍ରସଙ୍ଗ ଉଠାଇଲେ ବିରୋଧୀ। ସରକାରଙ୍କୁ ଘେରିଲେ, ସରଗରମ ଆଲୋଚନା ହେଲା। ରାଜସ୍ବ ମନ୍ତ୍ରୀ ଫସଲ ପାଇଁ ଆତ୍ମହତ୍ୟାକୁ ଅସ୍ବୀକାର କଲେ। କିନ୍ତୁ ବିରୋଧୀ ସାନି ତଦନ୍ତ କରି ରିପୋର୍ଟ ଦେବାକୁ ଅଡ଼ି ବସିଲେ। ବାଚସ୍ପତି ରିପୋର୍ଟ ତଲବ କଲେ। ବାସ୍, ସେତିକିରେ ଅଟକିଗଲା ଏପରି ଏକ ସମ୍ବେଦନଶୀଳ ପ୍ରସଙ୍ଗ।

କେବଳ ଏହି ଗୋଟିଏ ଘଟଣା ନୁହେଁ, ଯେତେବେଳେ ବି ଚାଷୀ ଆତ୍ମହତ୍ୟା ପ୍ରସଙ୍ଗ ଉଠୁଛି ସେତେବେଳେ ତାହା କେବଳ ରାଜନୈତିକ ଆରୋପ, ପ୍ରତ୍ୟାରୋପ ଭିତରେ ସୀମିତ ରହିଯାଉଛି। ଏହି ଅଭିଯୋଗ ସତ କି ମିଛ, ତାହା ସାଧାରଣ ଲୋକଙ୍କ ପାଇଁ ରହସ୍ୟ ହୋଇ ରହିଯାଉଛି। ରାଜ୍ୟବାସୀ ଘଟଣା ସମ୍ପର୍କରେ ଅନ୍ଧାରରେ ରହୁଛନ୍ତି। ଏପରିକି ବିଧାନସଭା ଭିତରେ ବି ଏହି ପ୍ରସଙ୍ଗକୁ ଅଧପନ୍ତରିଆ ଛାଡ଼ି ଦିଆଯାଉଛି। ଗୃହରେ ଚାଷୀ ପ୍ରସଙ୍ଗରେ ହୋହଲ୍ଲା ସିନା ହେଉଛି, କିନ୍ତୁ ଚାଷୀଙ୍କ ପରିବାରକୁ ନ୍ୟାୟ ମିଳିପାରୁନି। ବାରମ୍ବାର ଏମିତି ଘଟଣା ଘଟିଚାଲିଛି। ଚାଷୀ ଆତ୍ମହତ୍ୟା ପରି ସଙ୍ଗୀନ ଅଭିଯୋଗକୁ ବିନା ଫଳାଫଳରେ ଛାଡ଼ିଦେବାକୁ କେହି ସହଜରେ ଗ୍ରହଣ କରିପାରୁ ନାହାନ୍ତି।

ruralindiaonline.org

ଗତ ବିଧାନସଭା ଅଧିବେଶନରେ ତୁରେକେଲା ଚାଷୀ ଆତ୍ମହତ୍ୟା ପ୍ରସଙ୍ଗରେ ସରଗରମ ଆଲୋଚନା ହୋଇଥିଲା। ଫସଲ ହାନୀ ଓ ଋଣ ଭାର ଯୋଗୁଁ ଚାଷୀ ଆତ୍ମହତ୍ୟା କରିଛନ୍ତି ବୋଲି ବିରୋଧୀ ଜୋର୍‌ ଦେଇ କହିଲେ। ଏପରିକି ଜିଲ୍ଲା କଂଗ୍ରେସ କମିଟି କରିଥିବା ତଦନ୍ତରୁ ଚାଷୀ ଆତ୍ମହତ୍ୟା କରିଥିବା ସ୍ପଷ୍ଟ ବୋଲି କଂଗ୍ରେସ ପକ୍ଷରୁ କୁହାଗଲା। ପ୍ରଥମେ ରାଜସ୍ବ ମନ୍ତ୍ରୀ ଚାଷୀ ଆତ୍ମହତ୍ୟାକୁ ଅସ୍ବୀକାର କଲେ। କଂଗ୍ରେସ ଏହାର ପ୍ରତିବାଦ କଲା। ଘଟଣାସ୍ଥଳ ପରିଦର୍ଶନ ନ କରି ମନ୍ତ୍ରୀ ଚାଷୀ ଆତ୍ମହତ୍ୟା ଅଭିଯୋଗକୁ ଖଣ୍ଡନ କରିବା ଦୁର୍ଭାଗ୍ୟଜନକ ବୋଲି ଦଳ ଯୁକ୍ତି ବାଢ଼ିବା ସହ ମନ୍ତ୍ରୀଙ୍କ ବିରୋଧରେ ସ୍ବାଧୀକାର ଭଙ୍ଗ ନୋଟିସ୍‌ ଆଣିଲା। ଗୃହ କମିଟି ଗଠନ କରିବାକୁ ବିରୋଧୀ ଅଡ଼ି ବସିଥିଲେ। କମିଟି ଘଟଣାସ୍ଥଳକୁ ଯାଇ ସରଜମିନ ତଦନ୍ତ କରିବାକୁ ଦାବି କରିଥିଲେ।

କମିଟି ତ ଗଠନ ହେଲାନି। ତେବେ ବାଚସ୍ପତି ୭୨ ଘଣ୍ଟାରେ ରିପୋର୍ଟ ଦେବାକୁ ସରକାରଙ୍କୁ ନିର୍ଦ୍ଦେଶ ଦେଲେ। କିନ୍ତୁ ସରକାର କି ରିପୋର୍ଟ ବିଧାନସଭାକୁ ଦେଲେ ତାହା ଅଧିବେଶନର ଶେଷ ପର୍ଯ୍ୟନ୍ତ ଜଣାପଡ଼ିଲାନି। ଚାଷୀ ଆତ୍ମହତ୍ୟାକୁ ସବୁବେଳେ ଅସ୍ବୀକାର କରୁଥିବା ପ୍ରଶାସନ ଯେମିତି ଏହାକୁ ଗ୍ରହଣ କରିବାକୁ ନାରାଜ ଥିଲା। ବିଧାନସଭା ଅଧିବେଶନ ସରିବା ପୂର୍ବରୁ ବିରୋଧୀ ଏହି ପ୍ରସଙ୍ଗରେ ଆଉ ଜବାବ ମାଗିଲେନି। ଅଧିବେଶନ ପରେ ଏକ ମାସ ବିତିଗଲାଣି। ସମସ୍ତେ ଏହି ପ୍ରସଙ୍ଗକୁ ଭୁଲିଗଲେ। ତୁରେକେଲାର ଏହି ଚାଷୀ ପରିବାର ନ୍ୟାୟ ପାଇଲେନି।

indiatoday.in

କେବଳ ରେଚକା ବନଛୋରଙ୍କ ଆତ୍ମହତ୍ୟା ନୁହେଁ, ଏମିତି ଅନେକ ସମୟରେ ଚାଷୀ ଆତ୍ମହତ୍ୟା ପ୍ରସଙ୍ଗ ଅମିମାଂସିତ ରହିଆସିଛି। ଏହି ସଙ୍ଗୀନ ପ୍ରସଙ୍ଗରେ ବିଧାନସଭାର ଆଭିମୁଖ୍ୟ ଆହୁରି ଚିନ୍ତାଜନକ ହୋଇପଡ଼ିଛି। ୨୦୧୭ ମାର୍ଚ୍ଚ ମାସରେ ବରଗଡ଼ ଜିଲ୍ଲାର ହାଡ଼ୁ ବଗର୍ତ୍ତି ନାମକ ଜଣେ ଚାଷୀଙ୍କ ଆତ୍ମହତ୍ୟା ପ୍ରସଙ୍ଗରେ ଗୃହ ୬ ଦିନ ଧରି ଅଚଳ ହେଲା। ବିରୋଧୀଙ୍କ ଚାପରେ ତତ୍କାଳୀନ ବାଚସ୍ପତି ବିଧାନସଭାର କୃଷି ସଂକ୍ରାନ୍ତୀୟ ଷ୍ଟାଣ୍ଡିଂ କମିଟି-୨ ଦ୍ବାରା ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଲେ। ଏହି କମିଟିର ଅଧ୍ୟକ୍ଷା ଥିଲେ ବରିଷ୍ଠ ବିଧାୟିକା ପ୍ରମିଳା ମଲ୍ଲିକ। ଏଥିରେ ଉଭୟ କଂଗ୍ରେସ ଓ ବିଜେପିର ବିଧାୟକ ସଦସ୍ୟ ଥିଲେ। ପରବର୍ତ୍ତୀ ଅଧିବେଶନରେ ରିପୋର୍ଟ ଦେବାକୁ ବାଚସ୍ପତି ରିପୋର୍ଟ ଦେଇଥିଲେ। କମିଟି ଘଟଣାସ୍ଥଳକୁ ଯାଇ ଯାଞ୍ଚ୍ କରିବ ବୋଲି ଶ୍ରୀମତୀ ମଲ୍ଲିକ ସୂଚନା ଦେଇଥିଲେ। ଏହା ମଧ୍ୟରେ ଚାରି ବର୍ଷ ବିତିଯାଇଥିଲେ ବି କମିଟି କି ରିପୋର୍ଟ ଦେଲା, ତାହା କେହି ଜାଣିପାରିଲେ ନାହିଁ। କମିଟି କାହିଁକି ରିପୋର୍ଟ ଦେଲା ନାହିଁ, ସେ ସମ୍ପର୍କରେ ସମସ୍ତେ ନିରୁତ୍ତର। ଏପରିକି ମଝିରେ ମଝିରେ ବିରୋଧୀ ଦଳ ଏହି ପ୍ରସଙ୍ଗ ଉଠାଉଥିଲେ ବି ଏହାର ଠୋସ୍ ଉତ୍ତର ମିଳୁ ନାହିଁ। ସରକାରଙ୍କ ନୀରବତା ବି ବେଶ୍ ରହସ୍ୟଜନକ। ଖୋଦ୍ ବିଧାନସଭାରେ ଚାଷୀଙ୍କ ପ୍ରତି ଏପରି ମନୋଭାବ ଚାଷୀକୂଳକୁ ବ୍ୟଥିତ କରିଛି।

୨୦୧୬ ମାର୍ଚ୍ଚ ମାସରେ ବିଧାନସଭାର ବଜେଟ୍ ଅଧିବେଶନ ବେଳେ ବଲାଙ୍ଗୀର ଜିଲ୍ଲାର ଲୋଇସିଂହା ବ୍ଲକ୍‌ରେ ଜଣେ ଚାଷୀଙ୍କ ଆତ୍ମହତ୍ୟା ପ୍ରସଙ୍ଗ ଉଠିଥିଲା। ଫସଲ ନଷ୍ଟ ଯୋଗୁ ଚାଷୀ ଆତ୍ମହତ୍ୟା କରିଥିବା ଅଭିଯୋଗ ଆଣି ବିରୋଧୀ ସରକାରଙ୍କୁ ହଲାପଟ୍ଟା କରିଥିଲେ। କିନ୍ତୁ ତାହା ସେଇଠି ହିଁ ସୀମିତ ରହିଗଲା। ୨୦୧୯ ଜୁଲାଇ ମାସରେ ବଲାଙ୍ଗୀର ସଦର ବ୍ଲକ୍‌ରେ ଜଣେ ଚାଷୀ ଆତ୍ମହତ୍ୟା ପ୍ରସଙ୍ଗ ଗୃହକୁ ହୁଲୁସ୍ତୁଲୁ କରିଥିଲା। ଫସଲ ନଷ୍ଟ ସହ ଦୁଇ ବର୍ଷ ହେଲା ଫସଲ ବୀମା ଟଙ୍କା ସଂପୃକ୍ତ ଚାଷୀ ପାଇ ନାହାନ୍ତି ବୋଲି ବିରୋଧୀ ଦଳ ଅଭିଯୋଗ କରିଥିଲେ। ସରକାର ଏହା ଉପରେ ଅନୁଧ୍ୟାନ କରିବାକୁ ବାଚସ୍ପତି କହିଥିଲେ। କିନ୍ତୁ ସରକାର କି ଅନୁଧ୍ୟାନ କଲେ ଓ ସେହି ଅଭିଯୋଗ ସତ କି ମିଛ, ସେ ସମ୍ପର୍କରେ ସରକାର ସମ୍ପୂର୍ଣ୍ଣ ନୀରବ ରହିଲେ। ରାଜ୍ୟବାସୀ ଜାଣିପାରିଲେନି ଘଟଣା ପଛର ସତ କ’ଣ?

ସମ୍ବନ୍ଧିତ ଖବର