ନୂଆପଡ଼ା: ନୂଆପଡ଼ା ଜିଲ୍ଲାରେ କିଛି ଦିନ ହେଲା ମଣ୍ଡି ମାନଙ୍କରେ ଅଚଳାବସ୍ଥା ଲାଗି ରହିଛି। ଜିଲ୍ଲାର ୫୩ଟି ମଣ୍ଡିରେ ୨ ଲକ୍ଷରୁ ଅଧିକ ବସ୍ତା ଧାନ ପଡ଼ି ରହିଥିବା ବେଳେ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ଅନ୍ୟପକ୍ଷରେ ବୁଢ଼ୀପାଲି ମଣ୍ଡିରେ ୩୫ ଜଣ ଚାଷୀଙ୍କ ୧୦ ହଜାର କ୍ବିଣ୍ଟାଲରୁ ଅଧିକ ଧାନ ପଡ଼ିରହିଛି। ଆଜିକୁ ୧୦ ଦିନ ହେଲା ଧାନ ପଡ଼ିରହିଥିଲେ ମଧ୍ୟ ଉଠୁ ନଥିବାରୁ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି।
ଏହାକୁ ନେଇ ଚାଷୀ ନେତା ଭକ୍ତବନ୍ଧୁ ଧରୁଆଙ୍କ ନେତୃତ୍ବରେ ଚାଷୀମାନେ ନୂଆପଡ଼ା ଜିଲ୍ଲା ଯୋଗାଣ କାର୍ଯ୍ୟାଳୟ ଘେରାଉ କରିବା ସହ ଯୋଗାଣ ଅଧିକାରୀଙ୍କୁ ଆଲୋଚନା କରିଛନ୍ତି। ଖୁବ୍ ଶୀଘ୍ର ଧାନ ଉଠାଯିବ ବୋଲି ଯୋଗାଣ ଅଧିକାରୀ ପି. ପ୍ରଭାକର ପାତ୍ରୋ କହିଛନ୍ତି। ସେହିପରି ନୂଆପଡ଼ା ଜିଲ୍ଲାର ୫୩ଟି ମଣ୍ଡିରେ ୨୫୭୭ ଚାଷୀଙ୍କ ୨ ଲକ୍ଷ୬୯ ହଜାର ୫୫୦ ବସ୍ତା ଧାନ ପଡ଼ିରହିଛି। ମଣ୍ଡିକୁ ମିଲର୍ସ ଆସୁନଥିବାରୁ ଚାଷୀମାନେ ଦିନ ରାତି ଧାନକୁ ଜଗି ରହୁଛନ୍ତି। ଶିବ ଶଙ୍କର ସାହୁ, ମଣ୍ଟୁ ପାଣ୍ଡେ, ଅଲକରାମ ଦଣ୍ଡସେନା ପ୍ରମୁଖ ଚାଷୀ କହିଛନ୍ତି ଯେ, ମିଲର୍ସ ମଣ୍ଡିକୁ ଆସି ଚାଷୀଠାରୁ ୪ରୁ ୫ କେଜି କଟ୍ନିଛଟ୍ନିରେ ରାଜି ହେଲେ ତୁରନ୍ତ ଧାନ ଉଠିଯାଉଛି। ରାଜି ନହେଲେ ସେହି ଚାଷୀଙ୍କ ଧାନ ମଣ୍ଡିରେ ପଡିରହୁଛି। ଏନେଇ ଅଭିଯୋଗ କରାଯାଉଥିଲେ ମଧ୍ୟ ପ୍ରଶାସନ ଦୃଷ୍ଟି ଦେଉନଥିବା ଅଭିଯୋଗ ହେଉଛି। ଜିଲ୍ଲାପାଳ ଏଥିପ୍ରତି ଦୃଷ୍ଟି ଦେଇ ଆବଶ୍ୟକ ପଦକ୍ଷେପ ନେବାକୁ ଦାବି ହେଉଛି।