ପ୍ରତାପୁର : ଗଞ୍ଜାମ ଜିଲ୍ଲା ଉତ୍ତର ଘୁମୁସର ବନଖଣ୍ଡ ଅଞ୍ଚଳରେ ହାତୀ ଉପଦ୍ରବ ଚାଷୀଙ୍କ ନିଦ ହଜାଇ ଦେଇଛି। କ୍ଷେତରେ ବର୍ଷ ତମାମ ପରିଶ୍ରମ କରି ଚାଷୀ ଫଳାଇଥିବା ସୁନାର ଫସଲକୁ ୩୫ ଟିକିଆ ହାତୀପଲ ମାସେ ହେଲା ଦଳି ଚକଟି ନଷ୍ଟ କରୁଛନ୍ତି। ଆଉ ହାତୀ ଦାଉରୁ ଫସଲକୁ ସୁରକ୍ଷା ଦେବାକୁ ଗଛ ଉପରେ ମଞ୍ଚା କରି ରାତି ଉଜାଗର ରହୁଛନ୍ତି ଚାଷୀ। ସେହିପରି କିଛି ଚାଷୀ ପେଂକାଳି(ତୁରୀ) ବଜାଇ ଓ ନିଆଁହୁଳା ଦେଖାଇ ହାତୀ ଘଉଡ଼ାଇବାକୁ ଚେଷ୍ଟା କରୁଛି।
ସ୍ଥାନୀୟ ତାରସିଙ୍ଗି ବନାଞ୍ଚଳରୁ କିଛିଦିନ ହେଲା ସଞ୍ଜ ନଇଁବା କ୍ଷଣି ୩୫ ଟିକିଆ ହାତୀପଲ୍ଲ ଜଙ୍ଗଲରୁ ବାହାରି ଚାଷ ଜମି ମୁହାଁ ହେଉଛନ୍ତି। ଜମିରେ ପଶି ଧାନ ଓ ପରିବା ଫସଲ ଖାଇବା ସହିତ ଅଧିକାଂଶ ଫସଲକୁ ଦଳି ଚକଟି ନଷ୍ଟ କରୁଛନ୍ତି। କୋକଳବା, ତାରସିଙ୍ଗି, ଗରୁଡ଼ପଥର, ଲେମ୍ଭେଇ, ଗାଡ଼ିଆପଡ଼ା, ଗେରେଡ଼ା, ବାରଦଣ୍ଡା ଓ ତିନିଛକିଆ ଅଞ୍ଚଳରେ ଏକର ଏକର ଚାଷ ଜମିକୁ ହାତୀପଲ ନଷ୍ଟ କରିଥିବା ଅଭିଯୋଗ ହୋଇଛି। ଫଳରେ ବାଧ୍ୟ ହୋଇ ଚାଷୀ ଉଜାଗର ରହି ଫସଲ ଜଗୁଛନ୍ତି। ପାଖରେ ଟର୍ଚ୍ଚ, ଘଣ୍ଟ, ପେଂକାଳି ଓ ବାଣ ଫୁଟାଇ ହାତୀ ଘଉଡ଼ାଇବାକୁ ଚେଷ୍ଟା କରୁଛନ୍ତି। ସେହିପରି ବେଳେ ବେଳେ ବାର୍ହା ପଲ ମଧ୍ୟ ଫସଲ ଆଡ଼କୁ ମାଡ଼ି ଆସୁଛନ୍ତି। ଏହାକୁ ନେଇ ଏବେ ଚାଷୀମାନେ ଚିନ୍ତାରେ ପଡ଼ିଥିବା ବେଳେ ପ୍ରଶାସନ ପକ୍ଷରୁ କ୍ଷତିପୂରଣ ପ୍ରଦାନ କରିବା ପାଇଁ ଦାବି କରିଛନ୍ତି।
ଅନ୍ୟପଟେ ହାତୀର ଗତିବିଧି ଉପରେ ସଂପୂର୍ଣ୍ଣ ଭାବେ ନଜର ରଖିଛି ବନବିଭାଗ। ହାତୀ ଯେମିତି ଜନବସତି ମୁହାଁ ନହେବ ସେଥିପ୍ରତି ପଦକ୍ଷେପ ନେଉଛନ୍ତି। ପାଞ୍ଚଟି ସ୍ୱତନ୍ତ୍ର ବାହିନୀ ନିୟୋଜିତ କରାଯାଇ ଗ୍ୟାସ୍ ବମ୍ ବ୍ୟବହାର କରି ହାତୀଙ୍କୁ ଘଉଡ଼ାଇବା ପାଇଁ ଉଦ୍ୟମ ଜାରି ରହିଛି। ସେହିପରି ଅନୁକମ୍ପା ପୋର୍ଟାଲ ମାଧ୍ୟମରେ ଚାଷୀ ଆବେଦନ କରି କ୍ଷତିପୂରଣ ପାଇପାରିବେ ବୋଲି କହିଛନ୍ତି ଉତ୍ତର ଘୁମୁସର ବନଖଣ୍ଡ ଅଧିକାରୀ ସୁଦର୍ଶନ ବେହେରା।