ଦେଓଗାଁ : ରବି ଧାନ ବିକ୍ରି ପାଇଁ ମିଳିଥିବା ଟୋକନର ୧୨ଦିନିଆ ମହଲତ ସରିଗଲା। ମଣ୍ଡିରେ ଧାନ ପକାଇଥିଲେ ମଧ୍ୟ ଟାର୍ଗେଟ ନଥିବାରୁ ଟୋକନ ଲେପ୍ସ ହୋଇଯାଇଛି। ଶେଷରେ ନିରାଶ ହୋଇ ମଣ୍ଡିରେ ପକାଇଥିବା ଧାନକୁ ଦେଓଗା ଅଞ୍ଚଳର ଚାଷୀମାନେ ଫେରାଇ ନେଇଛନ୍ତି।
ପ୍ରକାଶ ଯେ ରବିଧାନ ବିକ୍ରିକୁ ନେଇ ଦେଓଗାଁ ବ୍ଲକ୍ ଅଞ୍ଚଳରେ ଅଚଳାବସ୍ଥା ଲାଗିରହିଛି। ଟୋକନ ଥିଲେ ଟାର୍ଗେଟ ନାହିଁ ଓ ଟାର୍ଗେଟ ଥିଲେ ଟୋକନ ନାହିଁ ନୀତିରେ ଧାନ କିଣା ଚାଲିଛି। ଫଳରେ ଗତ ଦୁଇଦିନ ତଳେ ଜାତୀୟ ରାଜପଥ ଅବରୋଧ କରି ଚାଷୀ ପ୍ରତିବାଦ କରିଥିଲେ। ଅସନ୍ତୋଷର ନିଆଁରେ ତହସିଲଦାରଙ୍କୁ ଆକ୍ରମଣ କରିବାକୁ ମଧ୍ୟ ପଛାଇ ନଥିଲେ। ଗତ ମଙ୍ଗଳବାର ଦେଓଗାଁ ପେକ୍ସକୁ ୫ଶହ କୁଇଣ୍ଟାଲ ଧାନ କିଣିବା ପାଇଁ ଯୋଗାଣ ବିଭାଗ ଟାର୍ଗେଟ ଦେଇଥିଲା। କିନ୍ତୁ ଟାର୍ଗେଟ ସରିଯାଇଥିବା ଜଣାପଡ଼ିଛି। ଟୋକନ ପାଇ ଧାନ ବିକ୍ରି ଅପେକ୍ଷାରେ ଥିବା ଦେଓଗାଁ ଓ ଗାଇବାହଲ ପଞ୍ଚାୟତର ପ୍ରାୟ ୨୫ ଜଣ ଚାଷୀଙ୍କ ଟୋକନ ବୁଧବାର ଲେପ୍ସ ହୋଇଯାଇଛି। ଫଳରେ ଚାଷୀମାନେ ପେକ୍ସରୁ ଧାନ ଫେରାଇ ନେଇ ଅଭାବୀ ବିକ୍ରିର ଶିକାର ହୋଇଛନ୍ତି।
ସରକାର ଧାନ କୁଇଣ୍ଟାଲ ପ୍ରତି ୧୮୬୮ ଟଙ୍କାରେ କିଣୁଥିବା ବେଳେ ମିଲରମାନେ ଗାଁରେ ଦଲାଲ ଲଗାଇ ୧୨୫୦ରୁ ୧୪ ଶହ ଭିତରେ କିଣୁଥିବା ଦେଖାଦେଇଛି। ଏଣୁ ଦେଓଗାଁ ଅଞ୍ଚଳକୁ ଅଧିକ ଟାର୍ଗେଟ ଯୋଗାଇ ଦେବାକୁ ଚାଷୀ ମହଲରେ ଦାବି ହେଉଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/04/paddy.jpg)