ଝାରସୁଗୁଡ଼ା : ସରକାରୀ ବିହନ ପ୍ରତି ଚାଷୀ ବିମୁଖ। ଅଦ୍ୟାବଧି ଝାରସୁଗୁଡ଼ା ଜିଲ୍ଲାରେ ସରକାରୀ ବିହନ ବିକ୍ରି ହୋଇନାହିଁ କହିଲେ ଚଳେ। ଚଳିତ ଖରିଫ୍‌ ଋତୁ ପାଇଁ ଜିଲ୍ଲାରେ ଚାଷୀଙ୍କୁ ୨୪ଶହ କୁଇଣ୍ଟାଲ ଧାନ ବିହନ ବିକ୍ରି କରିବା ନେଇ କୃଷି ବିଭାଗ ଲକ୍ଷ୍ୟ ଧାର୍ଯ୍ୟ କରିଥିଲା। କିନ୍ତୁ ବର୍ତ୍ତମାନ ସୁଦ୍ଧା ଜିଲ୍ଲାରେ ମାତ୍ର ୨୪୮ କୁଇଣ୍ଟାଲ ଧାନ ବିହନ ବିକ୍ରି ହୋଇଛି। ଅର୍ଥାତ୍‌ ଜୁନ୍‌ ଶେଷ ସପ୍ତାହ ବେଳକୁ ଜିଲ୍ଲାର ଚାଷୀ ନେଇଥିବା ସରକାରୀ ବିହନର ପରିମାଣ ମାତ୍ର ୧୦ ପ୍ରତିଶତ। ଚାଷୀଙ୍କୁ କିଭଳି ଉତ୍ତମ ବିହନ ମିଳିବ, ଚାଷୀଙ୍କ ଧାନ ଶତ ପ୍ରତିଶତ ଗଜା ହେବ ସେନେଇ ସରକାରଙ୍କ ପକ୍ଷରୁ ଯୋଜନା ରହିଥିବା ବେଳେ ରିହାତି ଦରରେ ମଧ୍ୟ ବିହନ ଯୋଗାଇ ଦିଆଯାଉଛି। କିନ୍ତୁ ଜିଲ୍ଲା କୃଷି ବିଭାଗର ଅପାରଗତା କାରଣରୁ ‌ଚାଷୀଙ୍କ ନିକଟକୁ ସ୍ବୀକୃତିପ୍ରାପ୍ତ ବିହନ ପହଞ୍ଚିପାରୁନଥିବା ବେଳେ ଏବେ ଅଣସ୍ବୀକୃତିପ୍ରାପ୍ତ ବିହନ କବ୍‌ଜାରେ ବଜାର। ଏ ସମ୍ପର୍କରେ ଜିଲ୍ଲା କୃଷି ବିଭାଗକୁ ପଚାରିବାରେ, ଏଭଳି କିଛି ଅଭିଯୋଗ ପରେ ଜିଲ୍ଲାର ସମସ୍ତ ସୋସାଇଟିଙ୍କୁ ଡାକି ବିହନ ଉଠାଇବାକୁ ତାଗିଦ୍‌ କରାଯାଇଛି। ଯଦି ସୋସାଇଟିଗୁଡ଼ିକ ଲକ୍ଷ୍ୟ ଅନୁସାରେ ବିହନ ନଉଠାନ୍ତି, ତେବେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦିଆଯାଇଥିବା ଜଣାପଡ଼ିଛି।

Advertisment

ଝାରସୁଗୁଡ଼ା ଜିଲ୍ଲା ଝାରସୁଗୁଡ଼ା, ଲଇକେରା, କୋଲାବିରା ଓ ଲଖନପୁରର ବିଭିନ୍ନ ବିହନ ଦୋକାନରେ କୁଇଣ୍ଟାଲ କୁଇଣ୍ଟାଲ ଅଣସ୍ବୀକୃତିପ୍ରାପ୍ତ ତଥା ଫାଉଣ୍ଡେସନ ଟ୍ୟାଗ୍‌ ନଥିବା ଧାନ ବିହନ ଗଦା ହୋଇଥିବା ଦେଖିବାକୁ ମିଳିଛି। ଡିଲରମାନେ ଅଧିକ ଲାଭ ଆଶାରେ ସରକାରୀ ବିହନ ବିକ୍ରି ନକରି ଚାଷୀଙ୍କୁ ଫାଉଣ୍ଡେସନ ଟ୍ୟାଗ୍ ନଥିବା ବିହନ ବିକ୍ରି ଉପରେ ଅଧିକ ଗୁରୁତ୍ବାରୋପ କରୁଥିବା ଅଭିଯୋଗ ହେଉଛି। ଚାଷୀଙ୍କୁ ଅଣସ୍ବୀକୃତି ପ୍ରାପ୍ତ ଧାନ ବିକ୍ରି କରୁଥିବା ନେଇ ଅଭିଯୋଗ ପରେ ୨ଜଣ ଡିଲରଙ୍କୁ ଜିଲ୍ଲା କୃଷି ବିଭାଗ ପକ୍ଷରୁ କାରଣ ଦର୍ଶାଅ ନୋଟିସ୍‌ ଜାରି କରାଯାଇଛି। ଉକ୍ତ ୨ଟି ଦୋକାନରୁ ଫାଉଣ୍ଡେସନ ଟ୍ୟାଗ୍‌ ନଥିବା ମୋଟ ୩୩ ପ୍ରକାର ବିହନର ନମୁନା ସଂଗ୍ରହ କରାଯାଇଛି। ନମୁନା ପରୀକ୍ଷା ପାଇଁ ଲାବ୍ରୋଟାରିକୁ ପଠାଯାଇଥିବା ବେଳେ ଚଳିତ ସପ୍ତାହରେ ଚଢ଼ାଉକୁ ଅଧିକ କଡ଼ାକଡ଼ି କରାଯିବ ବୋଲି ଜିଲ୍ଲା କୃଷି ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ଜିଲ୍ଲା କୃଷି ବିଭାଗରୁ ମିଳିଥିବା ତଥ୍ୟ ଅନୁସାରେ, ପ୍ରଥମ ପର୍ଯ୍ୟାୟରେ ସୋସାଇଟି ଓ ଡିଲର ଆଣିଥିବା ୮୦୦ କୁଇଣ୍ଟାଲ ଧାନରୁ ଏଯାବତ୍‌ ୨୪୮କୁଇଣ୍ଟାଲ ଧାନ ବିହନ ବିକ୍ରି ହୋଇଛି। ସେପଟେ, ଦ୍ବିତୀୟ ପର୍ଯ୍ୟାୟରେ ଜିଲ୍ଲାକୁ ଅତିରିକ୍ତ ୩୨୨ କୁଇଣ୍ଟାଲ ଧାନ ବିହନ ଆସିଛି। ଏହି ପର୍ଯ୍ୟାୟ ବିହନ ଶେଷ ହେବା ପରେ ପୁଣି ନୂଆ ବିହନ ଆସିବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି।

publive-image freepik.com

ଜିଲ୍ଲା କୃଷି ବିଭାଗରୁ ମିଳିଥିବା ସୂଚନା ଅନୁସାରେ, ଚଳିତ ଖରିଫ୍‌ ଋତୁ ପାଇଁ ଜିଲ୍ଲାର ମୋଟ ୪୧ ହଜାର ୮୨୫ ଜଣ ଚାଷୀ ମୋଟ ୪୭ ହଜାର ୫୦୦ ହେକ୍ଟର ଜମିରେ ଧାନ ଚାଷ କରିବାକୁ ପଞ୍ଜୀକୃତ ହୋଇଛନ୍ତି। ଗତବର୍ଷର ଆବଶ୍ୟକତା ଆଧାରରେ ଚଳିତ ଥରର ଟାର୍ଗେଟ୍‌ ନିଆଯାଇଛି। ସେହି ଆଧାରରେ ଏଥର ଚାଷୀ ଅତିକମ୍‌ରେ ୨୪୦୦ କୁଇଣ୍ଟାଲ ବିହନ କିଣିବେ ବୋଲି ବିଭାଗ ପକ୍ଷରୁ ସୂଚନା ମିଳିଛି। ସୋସାଇଟି ଗୁଡ଼ିକରେ କେବଳ ସ୍ବୀକୃତିପ୍ରାପ୍ତ ବା ସାର୍ଟିଫାଏଡ୍‌ ଓ ଫାଉଣ୍ଡେସନ ଟ୍ୟାଗ୍‌ ଥିବା ଧାନ ବିକ୍ରି ହେଉଛି। କିନ୍ତୁ ଡିଲରମାନେ ଅଣସ୍ବୀକୃତିପ୍ରାପ୍ତ ଟିଏଲ୍‌, ହାଇବ୍ରିଡ୍‌ ଓ ରିସର୍ଚ ଧାନ ମଧ୍ୟ ବିକ୍ରି କରୁଛନ୍ତି। ସରକାରୀ ଦର ଅନୁସାରେ ବିହନ କିଲୋ ପିଛା ୩୨ ଟଙ୍କା ରହିଥିବା ବେଳେ ଡିଲରମାନେ ଚାଷୀଙ୍କୁ ଉକ୍ତ ଧାନ ବିହନ ନଦେଇ ଅଣସ୍ବୀକୃତିପ୍ରାପ୍ତ ଧାନ କିଲୋ ପିଛା ୬୫ ଟଙ୍କା ଯାଏ ବି ବିକ୍ରି କରୁଥିବା ଅଭିଯୋଗ ହେଉଛି। ବିଶେଷ କରି ୩ କିଲୋର ପ୍ୟାକେଟ୍‌ରେ ଆସୁଥିବା ହାଇବ୍ରିଡ୍‌ ଧାନ ତଥା ୧୦ କିଲୋର ପ୍ୟାକେଟ୍‌ରେ ଆସୁଥିବା ରିସର୍ଚ ଧାନ ବିହନ ବିକ୍ରି ଉପରେ ଡିଲର ଫୋକସ୍‌ କରୁଥିବା ସୂଚନା ମିଳିଛି। ବର୍ତ୍ତମାନ ସୁଦ୍ଧା ଜିଲ୍ଲାର ସମସ୍ତ ପ୍ୟାକ୍ସ ଓ ଲାମ୍ପସ ୬୫୯ କୁଇଣ୍ଟାଲ ଧାନ କିଣିଛନ୍ତି। ଏଥିରୁ ପ୍ରାୟ ୧୭୦ କୁଇଣ୍ଟାଲ ବିହନ ବିକ୍ରି ହୋଇଥିବା ବଳକା ବିହନ ପଡ଼ି ରହିଛି। ସେହିପରି ଜିଲ୍ଲାର ପଞ୍ଜିକୃତ ଘରୋଇ ଡିଲରଙ୍କ ମଧ୍ୟରୁ ମାତ୍ର ୭ ଜଣ ଡିଲର  ୧୩୩.୨୦ କୁଇଣ୍ଟାଲ ସରକାରୀ ବିହନ କିଣିଥିଲେ। ଏଥିମଧ୍ୟରୁ ମାତ୍ର ୧୦ କୁଇଣ୍ଟାଲ ବିହନ ବିକ୍ରି ହୋଇଥିବା ବେଳେ ଅନ୍ୟ ବିହନଗୁଡ଼ିକ ଡିଲରଙ୍କ ନିକଟରେ ପଡ଼ିରହିଛି। ସରକାରୀ ସ୍ବୀକୃତିପ୍ରାପ୍ତ ଧାନ ବିହନ ଗଜା ନହେଲେ ସେଥିପାଇଁ ଜିଲ୍ଲା କୃଷି ବିଭାଗ ଦାୟୀ ରହୁଛି। ଅନେକ ସମୟରେ କୃଷି ବିଭାଗ ସେଥିପାଇଁ ହରଡ଼ଘଣାରେ ବି ପଡ଼ୁଛି। ତେଣୁ ଚାଷୀ ବାହାରୁ ଅଣସ୍ବୀକୃତିପ୍ରାପ୍ତ ଧାନ କିଣିଲେ ବିଭାଗ ବି ଅଚିନ୍ତାରେ ରହୁଥିବା ଚାଷୀ ଅଭିଯୋଗ କରିଛନ୍ତି। ସେପଟେ, ଖରିଫ୍‌ ପାଇଁ ଆସିଥିବା ସ୍ବୀକୃତିପ୍ରାପ୍ତ ବିହନ ବଳିଗଲେ ତାହା ସରକାରୀ ଭାବେ ଫେରସ୍ତ ହୋଇପାରୁନାହିଁ। ଫଳରେ ଡିଲର ଓ ସୋସାଇଟି ପାଖରେ ତାହା ପଡ଼ିରହୁଛି। ଅପରପକ୍ଷେ, ଅଣସ୍ବୀକୃତିପ୍ରାପ୍ତ ତଥା ହାଇବ୍ରିଡ୍‌ ବିହନ ବଳିଗଲେ ବି କମ୍ପାନି ଫେରସ୍ତ ନେଉଥିବାରୁ ତାହା ଉପରେ ଡିଲର ବିଶେଷ ଭାବେ ଧ୍ୟାନ ଦେଉଥିବା ସୂଚନା ମିଳିଛି।