କେନ୍ଦୁଝର: ରାଜ୍ୟରେ ଥିବା ଝୋଟକଳଗୁଡିକ ବନ୍ଦ ହୋଇଯିବା ପରେ ଏବେ ନଳିତା ଚାଷ ଉଜୁଡ଼ିବାକୁ ବସିଛି। ପ୍ରୋତ୍ସାହନ ଅଭାବରୁ ଏହି ଚାଷ ଖୁବଶୀଘ୍ର ବନ୍ଦ ହୋଇଯିବାର ଆଶଙ୍କା ଉପୁଜିଛି। ଖର୍ଚ୍ଚ ତୁଳନାରେ ଆୟ ହେଉ ନଥିବା ଏବଂ ଅଭାବୀ ବିକ୍ରି କାରଣରୁ ଚାଷୀ ସେଥିରୁ ମୁହଁ ଫେରାଇ ନେଉଛନ୍ତି। ଝୋଟ ଚାଷୀଙ୍କୁ ଆବଶ୍ୟକ ସହାୟକ ମୂଲ୍ୟ ପ୍ରଦାନ କରାନଗଲେ ଏହି ଚାଷ ସଂପୂର୍ଣ୍ଣ ବନ୍ଦ ହୋଇଯିବ ବୋଲି ଚାଷୀମାନେ ମତ ରଖିଛନ୍ତି। ପୂର୍ବରୁ ଧାନମଣ୍ଡଳ, ଚୌଦ୍ବାର ଓ ଢେଙ୍କାନାଳରେ ଝୋଟକଳ ଥିଲା। ଚାଷୀମାନେ ଝୋଟ ବିକ୍ରି କରି ଅଧିକ ମୂଲ୍ୟ ପାଉଥି‌ଲେ। ହେଲେ ବର୍ତ୍ତମାନ ଚାଷୀଙ୍କୁ ଆବଶ୍ୟକ ଦର ଓ ପ୍ରୋତ୍ସାହନ ମିଳୁ ନ ଥିବାରୁ ଚାଷୀମାନେ ଚାଷ କରିବାକୁ ଆଗ୍ରହ ଦେଖାଉ ନାହାନ୍ତି। ସରକାରୀ ତଥ୍ୟ ଅନୁସାରେ, ରାଜ୍ୟର ବାଲେଶ୍ବର, ଭଦ୍ରକ, କଟକ, ଢେଙ୍କାନାଳ, ଯାଜପୁର, କେନ୍ଦ୍ରାପଡ଼ା ଓ କେନ୍ଦୁଝର ଜିଲ୍ଲାରେ ନଳିତା ଚାଷ ହେଉଛି। ୨୦୨୩-୨୪ ଆର୍ଥିକ ବର୍ଷରେ ବାଲେଶ୍ବରରେ ୭୬୦ ‌ହେକ୍ଟର, ଭଦ୍ରକ ଜିଲ୍ଲାରେ ୪୧୦ ହେକ୍ଟର, କଟକ ଜିଲ୍ଲାରେ ୭୬୦ ହେକ୍ଟର, ଢେଙ୍କାନାଳରେ ୧୮୦ ହେକ୍ଟର, ଯାଜପୁରରେ ୮୧୦ ହେକ୍ଟର, କେନ୍ଦ୍ରାପଡ଼ା ଜିଲ୍ଲାରେ ୭୪୦ ହେକ୍ଟର ଓ କେନ୍ଦୁଝର ଜିଲ୍ଲାରେ ସର୍ବାଧିକ ୧୩୦୦ ହେକ୍ଟର ଜମିରେ ନଳିତା ଚାଷ ହୋଇଥିଲା। କେନ୍ଦୁଝର ଜିଲ୍ଲାର ୧୩ଟି ବ୍ଲକ୍‌ ମଧ୍ୟରୁ ମାତ୍ର ତିନିଟି ଘସିପୁରା, ଆନନ୍ଦପୁର ଓ ହାଟଡିହିରେ ନଳିତା ଚାଷ କରାଯାଉଛି। ବିଶେଷ କରି ଶାଳବଣି, ଖଡ଼ିପାଳ, ‌ମୋଚିନ୍ଦା, ପଚାଙ୍ଗ, ଛତ୍ରକଣା, ବଳଦଚୁଆଁ, ଫକୀରପୁରରେ ଏହି ଚାଷ ଅଧିକ ପରିମାଣରେ ହେଉଛି। ପ୍ରୋତ୍ସାହନ ଅଭାବ ଓ ଚାଷରୁ ଭଲ ଆୟ ହେଉନଥିବାରୁ ପ୍ରତିବର୍ଷ ଏହି ଚାଷ କମିବାରେ ଲାଗିଛି।

Advertisment

ପୂର୍ବରୁ ଆନନ୍ଦପୁର ବ୍ଲକ୍‌ ମୋଚିନ୍ଦା ଗ୍ରାମରେ ପ୍ରାୟ ୧୦୦ଟି ପରିବାର ନଳିତା ଚାଷ କରୁଥିଲେ। ଝୋଟର ଅଭାବୀ ବିକ୍ରି ପାଇଁ ଏବେ ମାତ୍ର ୧୫ରୁ ୨୦ଟି ପରିବାର ଚାଷ କରୁଛନ୍ତି। ଚାଷୀଙ୍କ କହିବା କଥା ହେଲା, ନଳିତା ଚାଷ ପାଇଁ ଯେତିକି ଖର୍ଚ୍ଚ ହେଉଛି, ଝୋଟ ତାହାଠାରୁ କମ୍‌ ଦରରେ ବିକ୍ରି ହେଉଛି। ଗୋଟିଏ ଗୋଛା ନଳିତାରୁ ‌୧ କେଜି ‌ଝୋଟ ବାହାରିଥାଏ। ଏଥିପାଇଁ ହଳ, ବେଉଷଣ, ବଛାବଛିକୁ ଛାଡ଼ିଦେଲେ ଗୋଟିଏ ଗୋଛା ନଳିତା କାଟିବାକୁ ୨୦ ଟଙ୍କା, ପାଣିରେ ବୁଡ଼ାଇ ରଖିବାକୁ ୫ ଟଙ୍କା, ପିଟିବାକୁ ୨୦ ଟଙ୍କା ଓ ଘରକୁ ଆଣି ଥାକ ମାରିବାକୁ ମଜୁରି ବାବଦରେ ୧୦ ଟଙ୍କା ଖର୍ଚ୍ଚ ହୋଇଥାଏ। ଅର୍ଥାତ ଗୋଟିଏ ଗୋଛା ନଳିତାରୁ ଝୋଟ ପ୍ରସ୍ତୁତି ପାଇଁ ପ୍ରାୟ ୫୦ ଟଙ୍କା ଖର୍ଚ୍ଚ ହୋଇଥାଏ। କିନ୍ତୁ ୧ କେଜି ଝୋଟର ଦାମ୍ ମାତ୍ର ୪୨ ଟଙ୍କା। ଯେଉଁ ଚାଷୀଙ୍କ ପରିବାରର ଏକାଧିକ ସଦସ୍ୟ ପରିଶ୍ରମ କରୁଛନ୍ତି, ସେମାନେ କେବଳ ମଜୁରି ଉଠିବା ଲକ୍ଷ୍ୟରେ ଏହି ଚାଷ କରୁଛନ୍ତି। ଏ ସମ୍ପର୍କରେ ମୋଚିନ୍ଦା ଗ୍ରାମର ଲକ୍ଷ୍ମଣ ସାହୁ କହିଛନ୍ତି, ଆମ ଗାଁ ଓ ଆଖପାଖ ଅଞ୍ଚଳରେ ପୂର୍ବରୁ ପ୍ରାୟ ୧୦ଟି ଟ୍ରକ‌୍‌ରେ ଝୋଟ ‌ବିକ୍ରି ପାଇଁ ଯାଉଥିଲା। ଏବେ ଗୋଟିଏ ଟ୍ରକ୍‌ ବି ଝୋଟ ବାହାରୁନାହିଁ। ସରକାର ଏହି ଚାଷ ପ୍ରତି ସ୍ବତନ୍ତ୍ର ଦୃଷ୍ଟି ଦେବା ସହ ଏହାର ସହାୟକ ମୂଲ୍ୟ ବୃଦ୍ଧି ନ କଲେ ଆଉ କିଛିବର୍ଷ ପରେ ଝୋଟ ଚାଷ ସଂପୂର୍ଣ୍ଣ ବନ୍ଦ ହୋଇଯିବ।