ଜାତୀୟ କୃଷି ବଜାର ପାଇଁ ଚାଷୀଙ୍କ ଅନାଗ୍ରହ!

୩ ବ୍ଲକ୍‌ରୁ ମାତ୍ର ୪୮୦୦ ଚାଷୀ କରିଛନ୍ତି ପଞ୍ଜୀକରଣ

ଜଳେଶ୍ବର: ଜଳେଶ୍ବର ଆର୍‌ଏମ୍‌ସି ଅଫିସ ଅଧୀନରେ ଥିବା ଉତ୍ତର ବାଲେଶ୍ବର ଅଞ୍ଚଳର ୩ଟି ବ୍ଲକ୍‌ରେ କୃଷିକୁ ନେଇ ବଡ଼ ସମ୍ଭାବନା ଥିଲେ ମଧ୍ୟ ଉପଯୁକ୍ତ ବଜାର ନଥିବାରୁ ସଂପୃକ୍ତ ଅଞ୍ଚଳର ଚାଷୀମାନେ କ୍ଷତିଗ୍ରସ୍ତ ହେଉଛନ୍ତି ଏବଂ ଦଲାଲ ମାଲାମାଲ ହେଉଛନ୍ତି। ତେବେ ଏହାର ମୁକାବିଲା ସହ ଚାଷୀଙ୍କ ଆର୍ଥିକ ଅବସ୍ଥାରେ ସୁଧାର ଆଣିବା ପାଇଁ କେନ୍ଦ୍ର ସରକାର ଇଲେକ୍ଟ୍ରୋନିକ୍ସ ଜାତୀୟ କୃଷି ବଜାର ବ୍ୟବସ୍ଥାର ପ୍ରଚଳନ କରିଛନ୍ତି। ଏହି ବ୍ୟବସ୍ଥାରେ ଚାଷୀମାନେ ସିଧାସଳଖ ନିଜ ଉତ୍ପାଦିତ କୃଷି ସାମଗ୍ରୀ ଫାର୍ମାର ପ୍ରଡ୍ୟୁସର ଏଗ୍ରିକଲ୍‌ଚର ଗ୍ରୁପ୍‌ ବା ଏଫ୍‌ପିଏକୁ ସରକାରୀ ମଣ୍ଡିରେ ଅଥବା ଅନ୍‌ଲାଇନ୍‌ ଟ୍ରେଡିଂ ଜରିଆରେ ବିକ୍ରି କରି ପାରିବେ। ଜଳେଶ୍ୱର ଅଞ୍ଚଳରେ ଏହି ସୁବିଧା ଯୋଗାଇବା ପାଇଁ ଚାଳନ୍ତିସ୍ଥିତ ମାର୍କେଟ୍‌ ୟାର୍ଡରେ ପାଖାପାଖି ଅଢ଼େଇ କୋଟି ଟଙ୍କାରେ ମଡେଲ୍‌ ମଣ୍ଡି ନିର୍ମାଣ କାମ ମଧ୍ୟ ଆରମ୍ଭ ହୋଇଛି। କିନ୍ତୁ କୃଷକଙ୍କ ପାଇଁ ଉଦ୍ଦିଷ୍ଟ ଏହି ସୁନ୍ଦର ଯୋଜନା ନେଇ ଚାଷୀଙ୍କ ମନରେ ବିଶେଷ ଆଗ୍ରହ ନଥିବା ଜଣାପଡ଼ିଛି।

କୁହାଯାଏ ଉତ୍ତର ବାଲେଶ୍ୱରର ୩ଟି ବ୍ଲକ୍‌; ଜଳେଶ୍ୱର,ଭୋଗରାଇ ଓ ବାଲିଆପାଳ ବ୍ଲକରେ ଅଣଧାନ ଚାଷ କରୁଥିବା ପରିବାର ସଙ୍ଖ୍ୟା ୫୦ ହଜାରରୁ ଅଧିକ। ଉପରୋକ୍ତ ୩ ବ୍ଲକ୍‌ର ଚାଷୀମାନେ ପ୍ରାୟ ୨୦୩ ପ୍ରକାରର ଅଣଧାନ ଚାଷ କରିଥା’ନ୍ତି। ତେବେ ସେହି ସବୁ ଚାଷ ମଧ୍ୟରୁ ମୁଖ୍ୟତଃ ପାନ, ନଡ଼ିଆ, ଗୁଆ, ଆମ୍ବ, କଦଳୀ, ପଣସ, ତୈଳବୀଜ ତଥା ବିଭିନ୍ନ ପ୍ରକାରର ପନିପରିବା ଚାଷ ଅଧିକ ପରିମାଣରେ ହୋଇଥାଏ। ସରକାରୀ ତଥ୍ୟ ଅନୁଯାୟୀ ଇଲେକ୍ଟ୍ରୋନିକ୍ସ ଜାତୀୟ କୃଷି ବଜାର ବ୍ୟବସ୍ଥାରେ ଗତ ଦୁଇ ବର୍ଷ ମଧ୍ୟରେ ଉପରୋକ୍ତ ୩ ବ୍ଲକ୍‌ରୁ ମାତ୍ର  ୪୮୦୦ ଅଣଧାନ ଚାଷୀ ସେମାନଙ୍କ ନାମ ପଞ୍ଜୀକରଣ କରିଛନ୍ତି। ଏତେ କମ୍‌ ସଂଖ୍ୟକ ଚାଷୀ ପଞ୍ଜୀକରଣ କରିବା ଆର୍‌ଏମ୍‌ସି ଓ ଇନାମ କର୍ତୃପକ୍ଷଙ୍କ ଚିନ୍ତା ବଢ଼ାଇ ଦେଇଛି।

ସବୁଠାରୁ ଆଶ୍ଚର୍ଯ୍ୟର କଥା; ଭୋଗରାଇ ଓ ବାଲିଆପାଳ ବ୍ଲକ୍‌ ପାନ ଚାଷ ପାଇଁ ସମଗ୍ର ରାଜ୍ୟରେ ପରିଚିତ ଥିବା ବେଳେ ଏହି ଦୁଇ ବ୍ଲକ୍‌ରେ ୧୫ ହଜାରରୁ ଅଧିକ ପାନଚାଷୀ ଅଛନ୍ତି। ପାନଚାଷ ପାଇଁ ଉକ୍ତ ଦୁଇ ବ୍ଲକ୍‌ରେ କୌଣସି ବଜାର ବ୍ୟବସ୍ଥା ନଥିବାରୁ ସରକାର ପାନଚାଷୀଙ୍କ ଆର୍ଥିକ ସ୍ଥିତିରେ ଉନ୍ନତି ଆଣିବା ପାଇଁ ଚାହୁଁଛନ୍ତି। ସେଥିପାଇଁ ଚାଷୀଙ୍କ ନାମ ପଞ୍ଜିକରଣ ହେବାର ଆବଶ୍ୟକତା ରହିଛି। ତେବେ ଜାତୀୟ କୃଷି ବଜାର ବ୍ୟବସ୍ଥା ପାଇଁ ଏହି ଦୁଇ ବ୍ଲକ୍‌ରୁ ମାତ୍ର ୧୫୦ ଚାଷୀ ସେମାନଙ୍କ ନାମ ପଞ୍ଜୀକରଣ କରିବା ବିସ୍ମୟ ସୃଷ୍ଟି କରିଛି। ଏନେଇ ଜଳେଶ୍ୱର ଆର୍‌ଏମସି ଓ ଇନାମ କର୍ତ୍ତୁପକ୍ଷ ଚାଷୀଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ପାଇଁ ଉଦ୍ୟମ ଆରମ୍ଭ କରିଥିବା ଜଣାପଡ଼ିଛି। ବାଲିଆପାଳ ବ୍ଲକ୍‌ର ବାଲିକୋଟିଠାରେ ଆଖପାଖ ଅଞ୍ଚଳର ପାନଚାଷୀଙ୍କୁ ନେଇ ଏକ ବୈଠକ ମଧ୍ୟ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟର ନିମାପଡ଼ା ଅଞ୍ଚଳର ପାନ ଚାଷୀ ଇନାମ ବ୍ୟବସ୍ଥାରେ ବେଶ ଉପକୃତ ହେଉଥିବାରୁ ଭୋଗରାଇ ଓ ବାଲିଆପାଳର ପାନ ଚାଷୀଙ୍କ ସହ ଅନ୍ୟ ସମସ୍ତ ଅଣଧାନ ଚାଷୀ ଏହାର ସୁବିଧା ନିଅନ୍ତୁ ବୋଲି କୃଷି ବିଶେଷଜ୍ଞ ଓ ବୁଦ୍ଧିଜୀବୀମାନେ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର